ତୁଷାରଙ୍କ ମୁଣ୍ଡରେ ସୁନାକଳସ, ସମୀର ଯାହା ଚାହିଁଲେ ତାହା ପାଇଲେ

ପୁରୀ (ବୁ୍ୟରୋ): ନବୀନ ସରକାରର ୫ ପାଳିର ତୃତୀୟ ବର୍ଷରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ହୋଇଛି । ହେଲେ ଏହି ନୂତନ ମନ୍ତ୍ରିମଣ୍ଡଳରେ ଅନେକ ପୁରୁଣା ମୁହଁ ରହିଥିବା ବେଳେ ନୂଆ ମୁହଁ ମଧ୍ୟ ସ୍ଥାନ ପାଇଛନ୍ତି । ହେଲେ ଏହାରି ମଧ୍ୟରେ ପ୍ରଥମରୁ ଅର୍ଥାତ୍ ୨୦୧୯ରୁ ସରକାର ଗଠନ ହେବା ସମୟରେ ପୁରୀ ଜିଲ୍ଲାରୁ ସମୀର ରଞ୍ଜନ ଦାସ ଓ ତୁଷାନ୍ତିକାନ୍ତି ବେହେରା ମନ୍ତ୍ରୀ ପଦରେ ସ୍ଥାନିତ ହୋଇଥିଲେ । ମାତ୍ର ୩ ବର୍ଷ ପୂର୍ତ୍ତ ଅବସରରେ ମନ୍ତ୍ରିମଣ୍ଡଳ ଅଦଳବଦଳ ସମୟରେ ପ୍ରଥମେ ସମସ୍ତ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଜିଲ୍ଲାରୁ ସମୀର ଓ ତୁଷାରଙ୍କ ମଧ୍ୟରୁ ଜଣଙ୍କୁ ବାଦ୍ ଦିଆଯିବ ବୋଲି ଜିଲ୍ଲାରେ ଚର୍ଚ୍ଚା ଲାଗି ରହିଥିବା ବେଳେ ରବିବାର ନୂତନ ମନ୍ତ୍ରିମଣ୍ଡଳ ଗଠନ ହେବା ପରେ ସବୁ ଚର୍ଚ୍ଚାର ଅବସାନ ଘଟିଛି ।
ନବୀନ ପଟ୍ଟନାୟକ ସରକାରର ମନ୍ତ୍ରିମଣ୍ଡଳରେ ଦୁଇ ମନ୍ତ୍ରୀ ତାଙ୍କ ପଦବୀ ସହ ବିଭାଗକୁ ଦଖଲ କରିବାରେ ସଫଳ ହୋଇଥିଲେ । କିନ୍ତୁୁ କାକଟପୁର ନିର୍ବାଚନମଣ୍ଡଳୀର ନେତୃତ୍ୱ ନେଇଥିବା ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ତାଙ୍କ ବିଭାଗ ସହ ପୁଣି ଗୃହବିଭାଗ ମିଳିଛି । ଫଳରେ ଏହାକୁ ନେଇ ତୁଷାରଙ୍କ ମୁଣ୍ଡରେ ନବୀନ ପଟ୍ଟନାୟକ ସୁନାକଳସ ଢାଳିଲେ ବୋଲି ଆଲୋଚନା ଧରିଛି । ତୁଷାରଙ୍କୁ ଦୁଇ ବିଭାଗର ମନ୍ତ୍ରୀ ଦାୟିତ୍ୱ ମିଳିବା ପରେ ସରକାରରେ ତାଙ୍କର ଦବଦବା ରହିଛି ବୋଲି ଜିଲ୍ଲା ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି ।
ସେହିଭଳି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିମାପଡ଼ା ନିର୍ବାଚନମଣ୍ଡଳୀର ନେତୃତ୍ୱ ନେଇଥିବାବେଳେ ପ୍ରଥମ କରି ମନ୍ତ୍ରୀ ହୋଇଥିଲେ । ହେଲେ ସେ ଇସ୍ତଫା ଦେବା ପରେ ଚିନ୍ତାରେ ରହିଥିଲେ ସମୀର । କିନ୍ତୁ ଶନିବାର ରାତିରେ ନବୀନ ନିବାସରୁ କଲ୍ ଆସିବା ପରେ ସେ ଅତ୍ୟନ୍ତ ଖୁସି ହୋଇପଡ଼ିଥିଲେ । ଏପରିକି ସେ କେଉଁ ବିଭାଗ ଚାହୁଁଛନ୍ତି ବୋଲି ଗଣମାଧ୍ୟମ ପ୍ରଶ୍ନ କରିବାରୁ ସେ ସଙ୍ଗେ ସଙ୍ଗେ କହିଥିଲେ ଗତ ୩ବର୍ଷ ଧରି ଗଣଶିକ୍ଷା ବିଭାଗରେ ମୋର ଅଭିଜ୍ଞତା ରହିଛି । ଯଦି ସେହି ବିଭାଗ ମିଳନ୍ତା ତାହା ହେଲେ ଭଲ ହୁଆନ୍ତା ବୋଲି କହିଥିଲେ । ଶେଷରେ ସେଇଆ ହିଁ ହେଲା । ସମୀରଙ୍କୁ ଦ୍ୱିତୀୟ ପାଳିରେ ଗଣଶିକ୍ଷା ବିଭାଗ ମିଳିଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ବୋଲି କହିଛନ୍ତି । ଅନ୍ୟପକ୍ଷରେ ସମୀରଙ୍କୁ ଗଣଶିକ୍ଷା ବିଭାଗ ମିଳିବା ଘଟଣାକୁ ନେଇ ଜିଲ୍ଲାରେ ଆଲୋଚନା ହେଉଛି ସେ ଯାହା ଚାହିଁଲେ ତାହା ପାଇଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *