୧୭୭ ଶିକ୍ଷକଙ୍କୁ ଜିଲ୍ଲା ମୁଖ୍ୟାଳୟ ବଦଳି

ଶ୍ରୀନଗର (ଏଜେନ୍ସି) ଜମ୍ମୁ-କାଶ୍ମୀରରେ ଟାର୍ଗେଟ୍ କିଲିଂ ଘଟଣା ବଢ଼ୁଥିବା ଏବଂ ଏହାକୁ ନେଇ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ କେନ୍ଦ୍ର ସରକାର ଶନିବାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଶୁକ୍ରବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିଲା । ଏହିକ୍ରମେ ଜମ୍ମୁ କାଶ୍ମୀରର ବିଭିନ୍ନ ପ୍ରାନ୍ତରେ ନିୟୋଜିତ ଥିବା ପ୍ରାୟ ୧୭୭ଜଣ ଶିକ୍ଷକ (କାଶ୍ମୀର ପଣ୍ଡିତ)ଙ୍କୁ ଶନିବାର ଦିନ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିନିଆଯାଇଛି । ଶ୍ରୀନଗର ସ୍ଥିତ ମୁଖ୍ୟ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏସମ୍ପର୍କରେ ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । ଜିଲ୍ଳା ପ୍ରଶାସନ ନିଦେ୍ର୍ଦଶକ୍ରମେ ଏହି ବଦଳି କରାଯାଉଥିବା ଏଥିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି ।
ମୁଖ୍ୟ ଶିକ୍ଷାଧିକାରୀଙ୍କ ବିଜ୍ଞପ୍ତି ଅନୁସାରେ ଟାର୍ଗେଟ୍ କିଲିଂ ଭୟ ମଧ୍ୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏପ୍ରକାର ପଦକ୍ଷେପ ନିଆଯାଇଛି । ପ୍ରଶାସନ ପକ୍ଷରୁ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ଘାଟିର ବିଭିନ୍ନ ଅଞ୍ଚଳରେ ମୁତୟନ ୧୭୭ କାଶ୍ମୀର ପଣ୍ଡିତ ଶିକ୍ଷକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି ।
ପ୍ରକାଶ, ଜମ୍ମୁ କାଶ୍ମୀରରେ ଏବେ ଆତଙ୍କବାଦୀଙ୍କ ପକ୍ଷରୁ ଟାର୍ଗେଟ୍ କିଲିଂ ପ୍ରକ୍ରିୟା ଜୋରଦାର କରାଯାଇଛି । କାଶ୍ମୀର ପଣ୍ଡିତଙ୍କ ସହ ଅଣକାଶ୍ମୀରୀ ହିନ୍ଦୁ ନାଗରିକ (ପ୍ରବାସୀ)ମାନଙ୍କୁ ଆତଙ୍କବାଦୀମାନେ ଖୋଜି ଖୋଜି ହତ୍ୟା କରୁଥିବା ଦେଖିବାକୁ ମିଳୁଛି । ସୂଚନାଯୋଗ୍ୟ, ଗତ ୨୧ ଦିନ ମଧ୍ୟରେ ଘାଟି ଅଞ୍ଚଳରେ ୬ଜଣଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି । ଆତଙ୍କବାଦୀଙ୍କ ଟାର୍ଗେଟ୍ରେ ଏବେ ମୁଖ୍ୟତଃ କାଶ୍ମୀର ପଣ୍ଡିତ, ଅଣକାଶ୍ମୀର ହିନ୍ଦୁ (କାମ ଅନ୍ୱେଷଣରେ ଆସିଥିବା ବାହାର ରାଜ୍ୟର ନାଗରିକ) ଏବଂ ସରକାରୀ କର୍ମଚାରୀମାନେ ରହିଥିବା ସ୍ପଷ୍ଟ ହୋଇଛି । ହତ୍ୟା କରିବା ପରେ ଆତଙ୍କବାଦୀମାନେ ଛାଡିଯାଉଥିବା ବାର୍ତ୍ତାରୁ ଏହା ସ୍ପଷ୍ଟ ହୋଇଛି । ଏସବୁ ମଧ୍ୟରେ ଅନେକ କାଶ୍ମୀରୀ ପଣ୍ଡିତ ଏବଂ ଅଣକାଶ୍ମୀରୀ ହିନ୍ଦୁ ନାଗରିକ ବାଧ୍ୟହୋଇ ଘାଟି ଛାଡି ଅନ୍ୟତ୍ର ଚାଲିଯାଉଛନ୍ତି । ଗତ ଦୁଇ ସପ୍ତାହ ମଧ୍ୟରେ ରାହୁଲ ଭଟ୍ଟ ନାମକ ଜଣେ କାଶ୍ମୀର ପଣ୍ଡିତ (ସରକାରୀ କର୍ମଚାରୀ), ରଜନୀ ବାଳା ନାମକ ଜଣେ ଶିକ୍ଷୟତ୍ରୀଙ୍କ ସହ ଜଣେ ରାଜସ୍ଥାନର ସ୍ଥାୟୀ ବାସିନ୍ଦା ତଥା ଏଠାରେ ବ୍ୟାଙ୍କ୍ ମ୍ୟାନେଜର ଭାବେ ନିଯୁକ୍ତି ପାଇଥିବା ବିଜୟ କୁମାର ନାମକ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଏହାପର ଠାରୁ କାଶ୍ମୀରୀ ପଣ୍ଡିତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବା ଦାବି କରିଆସୁଛନ୍ତି ।
ତେବେ ଏପ୍ରକାର ପରିସ୍ଥିତିକୁ ୧୯୯ଠର ସ୍ଥିତି ସହ ତୁଳନା କରି ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରାଯିବା ପରେ କେନ୍ଦ୍ର ସରକାର ପ୍ରାଥମିକ ପର୍ଯ୍ୟାୟରେ କାଶ୍ମୀର ପଣ୍ଡିତଙ୍କୁ ସୁରକ୍ଷା ଦେବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି । କାଶ୍ମୀର ପଣ୍ଡିତଙ୍କୁ ଅଟକାଇବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ବୁଝାଇବାକୁ ଚେଷ୍ଟା କରାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *