ଦଇତାପତିଙ୍କ ସହ ଏସ୍ପିଙ୍କ ଆଲୋଚନା
ପାଖେଇ ଆସୁଛି ସ୍ନାନଯାତ୍ରା: ଚଳଚଞ୍ଚଳ ପ୍ରଶାସନ
ପୁରୀ (ବୁ୍ୟରୋ): ଆସନ୍ତା ୧୪ ତାରିଖ ଅର୍ଥାତ୍ ୯ ଦିନ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ଚଳିତବର୍ଷ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବାକୁ ଥିବା ସ୍ନାନଯାତ୍ରା ଓ ରଥଯାତ୍ରାକୁ ଶୃଙ୍ଖଳିତ କରିବା ଲାଗି ଶନିବାର ଶ୍ରୀମନ୍ଦିରର ଦଇତାପତି ସେବାୟତଙ୍କ ସହ ଏସ୍ପି କନୱାର ବିଶାଲ ସିଂହ ଆଲୋଚନା କରିଛନ୍ତି । ଉକ୍ତ ବୈଠକରେ ବିଶେଷ ଭାବେ ଉକ୍ତଦିନ ଠାକୁରଙ୍କ ନୀତିକାନ୍ତି କିଭଳି ସଠିକ୍ ସମୟରେ ସମାପନ ହେବ ଏବଂ ପହଣ୍ଡି ସମୟରେ କୌଣସି ବିଶୃଙ୍ଖଳା ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ଏପରିକି ସ୍ନାନମଣ୍ଡପରେ ଯେଭଳି ଭକ୍ତମାନେ ଠାକୁରଙ୍କୁ ସ୍ପର୍ଶ କରିପାରିବେ ନାହିଁ । ତତ୍ସହିତ ପୁଲିସ ପକ୍ଷରୁ ଜାରି ହୋଇଥିବା କଟକଣାକୁ କିଭଳି ସେବାୟତମାନେ ଗ୍ରହଣ କରି କାର୍ଯ୍ୟ କରିବେ ତାହା ଉପରେ ଆଲୋକପାତ କରିଥିଲେ ଏସ୍ପି । ଏଥିରେ ଏସ୍ପି ଶ୍ରୀ ସିଂହ ଦଇତାପତି ନିଯୋଗକୁ ଅନୁରୋଧ କରିଥିଲେ ସ୍ନାନମଣ୍ଡପରେ ଠାକୁରଙ୍କ ହାତୀବେଶ ସମୟରେ ଠାକୁରଙ୍କ ସମ୍ମୁଖରେ କୌଣସି ସେବାୟତ ଛିଡ଼ା ହେବେ ନାହିଁ । ତତ୍ସହିତ ହାତୀବେଶକୁ ଅକ୍ଷୁର୍ଣ୍ଣ ରଖିବେ ବୋଲି ଏସ୍ପିଙ୍କ କଥାରେ ସହମତି ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ ସ୍ନାନମଣ୍ଡପରେ କିଛି ଅଘଟଣକୁ ରୋକିବା ଲାଗି ସେଠାରେ ସିସିଟିଭିର ବ୍ୟବସ୍ଥା କରିବାକୁ ମଧ୍ୟ ସେବାୟତଙ୍କ ପକ୍ଷରୁ ଦାବି କରାଯାଇଛି । ପହଣ୍ଡିର ଦୁଇଘଣ୍ଟା ପୂର୍ବରୁ ପରିମାଣିକ ଟିକେଟ ଦର୍ଶନକୁ ଅନୁମତି ଦେବା ଲାଗି ପ୍ରଶାସନକୁ ଅନୁରୋଧ କରିଛି ଦଇତାପତି ନିଯୋଗ । ଏ ସମସ୍ତ ଘଟଣା ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି ।
ବୈଠକରେ ଅତିରିକ୍ତ ଏସ୍ପି ମିହିର କୁମାର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପିସି ବଡ଼ଜେନା, ବରିଷ୍ଠ ଦଇତାପତି ସେବାୟତ ରାମକୃଷ୍ଣ ଦାସମହାପାତ୍ର, ବିନାୟକ ଦାସମହାପାତ୍ର, ରାମଚନ୍ଦ୍ର ଦାସମହାପାତ୍ରଙ୍କ ସମେତ ବହୁ ଦଇତାପତି ନିଯୋଗର ସେବାୟତମାନେ ଉପସ୍ଥିତ ଥିଲେ ।