ହିଂସାଭିମୁଖୀ କରାଉଛି ଭିଡିଓ ଗେମ୍
ଟେକ୍ସାସ୍ ଭଳି ଘଟଣା ପାଇଁ ଦାୟୀ କିଏ?
ଟେକ୍ସାସ୍ (ଏଜେନ୍ସି): ଆମେରିକାର ଟେକ୍ସାସ ସହରରେ ଥିବା ରବ୍ ଏଲିମେଣ୍ଟାରୀ ସ୍କୁଲରେ ଜଣେ ୧୮ବର୍ଷୀୟ ଯୁବକ (ସ୍କୁଲର ଛାତ୍ର) ଆଖିବୁଜା ଗୁଳିଚାଳନା କରିବା ଏବଂ ଏଥିରେ ସ୍କୁଲର ୧୯ ଛାତ୍ରଛାତ୍ରୀ ଏବଂ ୨ଜଣ ଶିକ୍ଷକଙ୍କୁ ମିଶାଇ ମୋଟ୍ ୨୧ଜଣଙ୍କ ମୃତୁ୍ୟ ହୋଇଯିବା ଘଟଣା ଏବେ ସମଗ୍ର ବିଶ୍ୱକୁ ହତଚକିତ କରିଦେଇଛି । ତେବେ ଏପ୍ରକାର ଘଟଣା ପରେ ପୁଣିଥରେ ହିଂସାପୂର୍ଣ୍ଣ ଭିଡିଓ ଗେମ୍କୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି । ସ୍କୁଲରେ ପାଠ ପଢ଼ୁଥିବା କୋମଳମତୀ ପିଲାମାନଙ୍କ ମଧ୍ୟରେ ଏପ୍ରକାର ହିଂସା ମନୋଭାବ କେବଳ ଯୁଦ୍ଧ ତଥା ହିଂସାପୂର୍ଣ୍ଣ ଭିଡିଓ ଗେମ୍ ଯୋଗୁ ବଢ଼ୁଥିବା ବିଶ୍ୱର ଅନେକ ମାନସିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । ବିଶେଷଜ୍ଞମାନେ ଟେକ୍ସାସ୍ ସ୍କୁଲରେ ଘଟିଯାଇଥିବା ଏପ୍ରକାର ଅଘଟଣ ପାଇଁ ମଧ୍ୟ ଏପ୍ରକାର ଭିଡିଓ ଗେମ୍କୁ ହିଁ ଦାୟୀ କରିଛନ୍ତି । ପ୍ରକାଶ, ଏପ୍ରକାର ଘଟଣାରେ କରାଯାଇଥିବା ଅନେକ ଗବେଷଣାରୁ ମଧ୍ୟ ସମାନ କଥା ସାମ୍ନାକୁ ଆସିଛି । ଏସବୁ ଗବେଷଣାରୁ ଏକ ଭୟଙ୍କର ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଯେଉଁ ପିଲା ବା ଯୁବକ-ଯୁବତୀମାନେ ଏପ୍ରକାର ଭିଡିଓ ଗେମ୍ରେ ଅଧିକରୁ ଅଧିକ ସମୟ ଅତିବାହିତ କରୁଛନ୍ତି, ସେମାନଙ୍କ ମଧ୍ୟରେ ଉତ୍ତେଜନା, ହିଂସା ଏବଂ ସାମାନ୍ୟ କଥାରେ କ୍ରୋଧିତ ହୋଇପଡ଼ିବାର ମାନସିକତା ବୃଦ୍ଧି ପାଉଛି । ଏପ୍ରକାର ଭିଡିଓ ଗେମ୍ ଖେଳିବା ପରେ ପ୍ରାୟ ୬ଠ% ପିଲା, ତୁରନ୍ତ ଏପ୍ରକାର ବନ୍ଧୁକ କିଣିବା ଏବଂ ଚଳାଇବାକୁ ଆଗ୍ରହ ପ୍ରକାଶ କରୁଥିବାର ମଧ୍ୟ ପ୍ରମାଣ ମିଳିଛି ।
ଆମେରିକାରେ ଏପ୍ରକାର ଘଟଣା ବୃଦ୍ଧି ପାଇବା ପଛରେ ହିଂସକ ଭିଡିଓ ଗେମ୍ ହିଁ ମୁଖ୍ୟ କାରଣ ବୋଲି ୨ଠ୧୯ରେ ତକ୍ରାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ କହିଥିଲେ । ଆମେରିକାରେ ପିଲାମାନଙ୍କ ମଧ୍ୟରେ ହିଂସାତ୍ମକ ଭିଡ଼ିଓ ଗେମ୍ର କଉଁସ୍ତରର ପ୍ରଭାବ ରହିଛି, ସେସମ୍ପର୍କରେ ଏକ ପରିସଂଖ୍ୟାନମୂଳକ ରିପୋର୍ଟ ଏଠାରେ ପ୍ରକାଶ କରୁଛି । ରିପୋର୍ଟ ଅନୁସାରେ ଆମେରିକାରେ ହାରାହାରି ୯ଠ% ପିଲା, ଯୁବକ-ଯୁବତୀ ଭିଡିଓ ଗେମ୍ ଖେଳିବାକୁ ମାତ୍ରାଧିକ ପସନ୍ଦ କରିଥାନ୍ତି । ସେହିପରି ୯୯% ପୁଅ ଭିଡିଓ ଗେମ୍ ଖେଳରେ ଅଧିକ ସମୟ ନଷ୍ଟ କରୁଥିବା ବେଳେ ୯୪% ଝିଅ ଏଥିରେ ସମୟ ବରବାଦ୍ କରିଥାନ୍ତି । ଅଭିଭାବକମାନେ ମଧ୍ୟ ନିଜ କାମ ବ୍ୟସ୍ତତା ମଧ୍ୟରେ ନିଜ ପିଲାମାନଙ୍କୁ ଭିଡିଓ ଗେମ୍ ଖେଳରୁ ଦୂରେଇ ରଖିବା ପାଇଁ ସେପରି ବିଶେଷ ଧ୍ୟାନ ଦେଇନଥାନ୍ତି । ପରିଣାମସ୍ୱରୂପ ପିଲାମାନଙ୍କ ମଧ୍ୟରେ ଭିଡିଓ ଗେମ୍ ଖେଳ ଏକ ନିଶାର ରୂପ ଧାରଣ କରିଥାଏ ଏବଂ ଖୁବ୍ କମ୍ ସମୟ ମଧ୍ୟରେ ଅନେକ ପିଲା ଏହାର ଅଭ୍ୟାସଗତ ଶିକାର ହୋଇଯାଇଥାନ୍ତି । ସୁତରାଂ ଛୋଟ ପିଲା ତଥା ଯୁବପୀଢ଼ୀଙ୍କୁ ଏପ୍ରକାର ହିଂସାତ୍ମକ ଭିଡିଓ ଗେମ୍ ଠାରୁ ଦୂରେଇ ରଖିବା ହିଁ ଏପ୍ରକାର ସମସ୍ୟାର ଏକମାତ୍ର ବିକଳ୍ପ ବୋଲି ଆମେରିକାର ଅନେକ ମାନସିକ ବିଶେଷଜ୍ଞ ପରାମର୍ଶ ଦେଇସାରିଛନ୍ତି । ଅଭିଭାବକମାନଙ୍କୁ ଏଦିଗରେ ଚିନ୍ତା କରିବାର ସମୟ ଆସିଯାଇଛି ବୋଲି ଏମାନେ କହିଛନ୍ତି ।