ଶୀର୍ଷ-୧୦ରେ ବିରାଟ, ରୋହିତ, ଅଶ୍ୱିନ ଅପରିବର୍ତ୍ତିତ

ଦୁବାଇ, ୨୫ା୫ (ଏଜେନ୍ସି): ଭାରତୀୟ ଟିମ୍ର ଅଧିନାୟକ ରୋହିତ ଶର୍ମା ଓ ତାଙ୍କ ପୂର୍ବାଧିକାରୀ ବିରାଟ କୋହଲି ଆଇସିସି ଟେଷ୍ଟ ବ୍ୟାଟର୍ ମାନ୍ୟତାରେ ଅଷ୍ଟମ ଓ ୧୦ମ ସ୍ଥାନରେ ଅପରିବର୍ତ୍ତିତ ଅଛନ୍ତି । ଟପ୍-୧୦ ମାନ୍ୟତାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳି ନାହିଁ । ବୋଲର୍ ମାନ୍ୟତାରେ ଅଷ୍ଟ୍ରେଲିଆର ପାଟ୍ କମିନ୍ସ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରବିଚନ୍ଦ୍ରନ ଅଶ୍ୱିନଙ୍କ ଠାରୁ ୫୧ ପଏଣ୍ଟ ଆଗରେ ଅଛନ୍ତି । ରବୀନ୍ଦ୍ର ଜାଡ଼େଜା ଅଲ୍ରାଉଣ୍ଡର୍ ତାଲିକାରେ ଶୀର୍ଷରେ ରହିଛନ୍ତି ।
ଏବେ କେବଳ ଶ୍ରୀଲଙ୍କା ଓ ବାଂଲାଦେଶ ଡବ୍ଲୁ୍ୟଟିସି ଶୃଙ୍ଖଳା ଖେଳୁଥିବାରୁ ଉଭୟ ଦେଶର ଭଲ ପ୍ରଦର୍ଶନ କରିଥିବା କେତେକ ଖେଳାଳିଙ୍କୁ ପଏଣ୍ଟ ମିଳିଛି । ଡ୍ର’ ରହିଥିବା ପ୍ରଥମ ମ୍ୟାଚ୍ରେ ବାଂଲାଦେଶୀ ୱିକେଟ୍କିପର୍-ବ୍ୟାଟର୍ ଲିଟନ୍ ଦାସ ତିନି ସ୍ଥାନ ଉଠି ୧୭ତମ ସ୍ଥାନରେ ପହଞ୍ଚିଛନ୍ତି । ସେ ବାଂଲାଦେଶର ଏକମାତ୍ର ଇନିଂସ୍ରେ ୮୮ ରନ୍ କରିଥିଲେ । ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ଶ୍ରୀଲଙ୍କାର ଭେଟେରାନ୍ ଆଞ୍ଜେଲୋ ମାଥୁ୍ୟସ୍ ପ୍ରଥମ ଇନିଂସ୍ରେ ୧୯୯ ରନ୍ କରିଥିଲେ, ଯାହା ଫଳରେ ସେ ପାଞ୍ଚ ସ୍ଥାନ ଉଠି ୨୧ତମ ସ୍ଥାନରେ ପହଞ୍ଚିଛନ୍ତି । ବ୍ୟାଟର୍ ତାଲିକାରେ ଅଷ୍ଟ୍ରେଲିଆର ଲାବୁସାନେ ଶୀର୍ଷରେ ରହିଛନ୍ତି ।
ମୁଶଫିକର ରହିମ୍ ଓ ତମିମ୍ ଇକ୍ବାଲ୍ ମାନ୍ୟତାରେ ଉପରକୁ ଉଠିଥିବା ଅନ୍ୟ ଦୁଇ ବାଂଲାଦେଶୀ ବ୍ୟାଟର୍ । ଉଭୟ ମ୍ୟାଚ୍ରେ ଶତକୀୟ ଇନିଂସ୍ ଖେଳିଥିଲେ । ମୁଶଫିକର (୧୦୫ ରନ୍) ଚାରି ସ୍ଥାନ ଉଠି ୨୫ତମ ଓ ତମିମ୍ (୧୩୩ ରନ୍) ଛଅ ସ୍ଥାନ ଉଠି ୨୭ତମ ସ୍ଥାନକୁ ଚାଲିଆସିଛନ୍ତି ।
ବୋଲର୍ ମାନ୍ୟତାରେ ବାଂଲାଦେଶର ଅଲ୍ରାଉଣ୍ଡର୍ ଶାକିବ୍ ଅଲ୍ ହସନ୍ ଗୋଟିଏ ସ୍ଥାନ ଉଠି ୨୯ତମ ସ୍ଥାନରେ ପହଞ୍ଚିଛନ୍ତି, ଯିଏକି ମ୍ୟାଚ୍ରେ ୪ ୱିକେଟ୍ ନେଇଛନ୍ତି । ଅଫ୍ସ୍ପିନର୍ ନୟୀମ ହସନ କ୍ୟାରିଅର-ଶ୍ରେଷ୍ଠ (୧୦୫/୬) ପ୍ରଦର୍ଶନ ବଳରେ ନଅ ସ୍ଥାନ ଉନ୍ନୀତ ହୋଇ ୫୩ତମ ସ୍ଥାନରେ ପହଞ୍ଚିଛନ୍ତି । ଶ୍ରୀଲଙ୍କାର ମଧ୍ୟମ-ଦ୍ରୁତ ବୋଲର୍ କାସୁନ ରଜିତା ୬୧ରୁ ୭୫ତମ ସ୍ଥାନକୁ ଚାଲିଆସିଛନ୍ତି । ସେ ମ୍ୟାଚ୍ରେ ୪ ୱିକେଟ୍ ନେଇଥିଲେ । ଅଷ୍ଟ୍ରେଲୀୟ ଅଧିନାୟକ କମିନ୍ସଙ୍କ ନେତୃତ୍ୱାଧୀନ ତାଲିକାରେ ଅସିତା ଫର୍ଣ୍ଣାଣ୍ଡୋ ଟପ୍-୧୦୦ରେ ସ୍ଥାନ ପାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *