ଶ୍ରାବଣୀ ଓ ଅମିୟଙ୍କ ସ୍ୱର୍ଣ୍ଣିମ ଚମକ
ଭୁବନେଶ୍ୱର, ୨୪ା୫ (ବୁ୍ୟରୋ): ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ ପୁଣି ଥରେ ଚମକ୍ପ୍ରଦ ପ୍ରଦର୍ଶନ କରିଛନ୍ତି । କଳିଙ୍ଗ ଷ୍ଟାଡିୟମ୍ରେ ଶନିବାର ଆୟୋଜିତ ଇଣ୍ଡିଆନ୍ ଗ୍ରାଁ ପ୍ରି-୩ରେ ୨୦୦ ମିଟର ରେସ୍ରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ମଙ୍ଗଳବାର ଇଣ୍ଡିଆନ୍ ଗ୍ରାଁ ପ୍ରି-୪ରେ ୧୦୦ ମିଟରରେ ବି ସ୍ୱର୍ଣ୍ଣିମ ସଫଳତା ପାଇଛନ୍ତି । ସେହିପରି ପୁରୁଷ ୧୦୦ ମିଟରରେ ଓଡ଼ିଶାର ଅମିୟ କୁମାର ମଲ୍ଲିକ ସ୍ୱର୍ଣ୍ଣ ହାସଲ କରିଥିବା ବେଳେ ଆର୍ଯ୍ୟନ ଏକ୍କା ରୌପ୍ୟ ପଦକ ଜିତିଛନ୍ତି । ଉଭୟ ଇଣ୍ଡିଆନ୍ ଗ୍ରାଁ ପ୍ରି-୩ରେ ୨୦୦ମି.ରେ ଯଥାକ୍ରମେ କାଂସ୍ୟ ଓ ରୌପ୍ୟ ପଦକ ପାଇଥିଲେ ।
ଅନ୍ୟପଟେ, ପୁରୁଷ ଲଙ୍ଗ୍ଜମ୍ପ୍ରେ ଓଡ଼ିଶାର ଲାଲୁ ପ୍ରସାଦ ଭୋଇ କାଂସ୍ୟ ପଦକ ହାସଲ ସହ ୨୦ ବର୍ଷରୁ କମ୍ ବିଶ୍ୱ ଆଥ୍ଲେଟିକ୍ ଚାମ୍ପିଅନ୍ସିପ୍ ୨୦୨୨ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହି ଚାମ୍ପିଅନ୍ସିପ୍ ଅଗଷ୍ଟ ୨ରୁ ୭ ଯାଏଁ କଲମ୍ବିଆରେ ଆୟୋଜିତ ହେବ । ଏଥିରେ ଯୋଗ୍ୟତା ଅର୍ଜନ କରିବାରେ ଲାଲୁ ରାଜ୍ୟର ପ୍ରଥମ ଆଥ୍ଲେଟ୍ ।
ମହିଳା ୧୦୦ମି. ଫାଇନାଲ୍ରେ ରେସ୍-ବି’ରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଶ୍ରାବଣୀ ୧୧.୮୭ ସେକେଣ୍ଡରେ ରେସ୍ ସମ୍ପୂର୍ଣ୍ଣ କରିଥିଲେ । ବେଷ୍ଟ ଅଫ୍ ରେସ୍ – ଏ ଓ ବି’ରେ ସେ ପ୍ରଥମ ସ୍ଥାନରେ ରହିଥିଲେ । ଅନ୍ୟ ସମସ୍ତ ଧାବିକା ୧୨ ସେକେଣ୍ଡରୁ ଅଧିକ ସମୟ ନେଇଥିଲେ । ପଶ୍ଚିମବଙ୍ଗର ରାଜଶ୍ରୀ ପ୍ରସାଦ ୧୨.୧୮ସେ. ସହ ଦ୍ୱିତୀୟ ଓ ତାମିଲନାଡ଼ୁର ଏମ୍. ଆଞ୍ଜେଲ୍ ସିଲଭିଆ ୧୨.୩୯ସେ. ସହ ତୃତୀୟ ସ୍ଥାନ ପାଇଥିଲେ । ଅନ୍ୟତମ ଓଡ଼ିଆ ଖେଳାଳି ରଞ୍ଜିତା ମହାନ୍ତ (ରେସ୍-ଏ) ନିର୍ଦ୍ଧାରିତ ଦୂରତ୍ୱ ଅତିକ୍ରମ କରିବାକୁ ୧୨.୮୪ସେ. ସମୟ ନେଇଥିବା ବେଳେ ବନିତା ଲାକ୍ରା କ୍ୱାଲିଫାଏ କରିପାରି ନ ଥିଲେ ।
ପୁରୁଷ ୧୦୦ମି. ଫାଇନାଲ୍ରେ ରେସ୍-ବି’ରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଅମିୟ ୧୦.୭୪ ସେକେଣ୍ଡରେ ରେସ୍ ପୂରା କରିଥିଲେ । ବେଷ୍ଟ ଅଫ୍ ରେସ୍ – ଏ, ବି, ସି ଓ ଡି’ରେ ତାଙ୍କ ପ୍ରଦର୍ଶନ ସର୍ବଶ୍ରେଷ୍ଠ ଥିଲା । ଆର୍ଯ୍ୟନ (ରେସ୍-ବି) ୧୦.୮୬ସେ. ସହ ଦ୍ୱିତୀୟ ଓ ମହାରାଷ୍ଟ୍ରର କରନ ବିବେକ ହେଗିସ୍ତେ (ରେସ୍-ସି) ୧୦.୯୫ସେ. ସହ ତୃତୀୟ ସ୍ଥାନରେ ରହିଥିଲେ ।
ପୁରୁଷ ୪୦୦ମି. (ବେଷ୍ଟ ଅଫ୍ ରେସ୍ – ଏ, ବି, ସି ଓ ଡି’) ଫାଇନାଲ୍ରେ ତାମିଲନାଡ଼ୁର କେ. ସରନ ୪୭.୪୨ସେ. ସହ ପ୍ରଥମ, ହରିୟାଣାର ଆୟୁଷ ଡବାସ୍ ୪୭.୪୯ସେ. ସହ ଦ୍ୱିତୀୟ ଓ ଦିଲ୍ଲୀର ରଶିଦ ୪୮.୨୮ସେ. ସହ ତୃତୀୟ ସ୍ଥାନରେ ରହିଥିଲେ ।
ପୁରୁଷ ଲଙ୍ଗ୍ଜମ୍ପ୍ରେ କେରଳର ମହମ୍ମଦ ଅନିସ୍ ୟାହିୟା ୮.୧୫ମି. ଜମ୍ପ୍ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଉତ୍ତର ପ୍ରଦେଶର ଯୁଗାନ୍ତ ଶେଖର ସିଂହ (୭.୭୩ମି.) ଦ୍ୱିତୀୟ ଓ ଓଡ଼ିଶାର ଲାଲୁ (୭.୫୮ମି.) ତୃତୀୟ ସ୍ଥାନ ହାସଲ କରିଥିଲେ । ୨୦ ବର୍ଷରୁ କମ୍ ବିଶ୍ୱ ଆଥ୍ଲେଟିକ୍ ଚାମ୍ପିଅନ୍ସିପ୍ ୨୦୨୨ ପାଇଁ ଯୋଗ୍ୟତା ମାର୍କ ୭.୫୫ମି. ରହିଛି ।
ରାଜ୍ୟର ଅନ୍ୟ ଦୁଇ ଆଥ୍ଲେଟ୍ ସରୁନ ପାୟସିଂହ (୬.୭୭ମି.) ଓ ସମ୍ରାଟ୍ ସା’ (୬.୭୩ମି.) ଯଥାକ୍ରମେ ୧୨ତମ ଓ ୧୩ତମ ସ୍ଥାନରେ ରହିଥିଲେ ।
ପୁରୁଷ ଡିସ୍କସ୍ ଥ୍ରୋ’ ଫାଇନାଲ୍ରେ ପଞ୍ଜାବର କିରପାଲ୍ ସିଂହ (୫୯.୯୨ମି.) ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଉତ୍ତର ପ୍ରଦେଶର ବଲବୀର ସିଂହ (୫୦.୩୬ମି.) ଦ୍ୱିତୀୟ ଓ ମଧ୍ୟ ପ୍ରଦେଶର ଏକରାମ ଖାଁ (୪୮.୪୫ମି.) ତୃତୀୟ ସ୍ଥାନ ପାଇଥିଲେ ।
ପୁରୁଷ ଜାଭଲିନ୍ ଥ୍ରୋ’ ଫାଇନାଲ୍ରେ ରାଜସ୍ଥାନର ଯଶବୀର ସିଂହ (୮୨.୧୩ମି.) ପ୍ରଥମ, ଉତ୍ତର ପ୍ରଦେଶର ରୋହିତ ଯାଦବ (୮୦.୮୮ମି.) ଦ୍ୱିତୀୟ ଓ କର୍ଣ୍ଣାଟକର ଡି.ପି. ମନୁ (୭୭.୬୬ମି.) ତୃତୀୟ ସ୍ଥାନରେ ରହିଥିଲେ । ଓଡ଼ିଶାର କିଶୋର କୁମାର ଜେନା (୭୩.୫୪ମି.) ପଞ୍ଚମ ସ୍ଥାନ ହାସଲ କରିଥିଲେ ।
ମହିଳା ୪୦୦ମି. ଫାଇନାଲ୍ରେ ତାମିଲନାଡ଼ୁର ଆର୍. ବିଦ୍ୟା ରାମରାଜ (୫୩.୯୫ସେ.) ପ୍ରଥମ, କର୍ଣ୍ଣାଟକର ଜିକେ ବିଦ୍ୟାକୁମାରୀ (୫୪.୬୭ସେ.) ଦ୍ୱିତୀୟ ଓ ପଶ୍ଚିମବଙ୍ଗର ସୋନିୟା ବୈଶ୍ୟ (୫୪.୭୮ସେ.) ତୃତୀୟ ସ୍ଥାନରେ ରହିଥିଲେ । ମହିଳା ପୋଲ୍ ଭଲ୍ଟରେ ତାମିଲନାଡ଼ୁ ସମସ୍ତ ପଦକ ଜିତିଥିଲା । ବରନିକା ଏଲାନଗୋଭନ (୪.୦୫ମି.), ରୋଜି ମୀନା ପୌଲରାଜ (୪.୦୦ମି.), ପ୍ରୀତିକା ଆନନ୍ଦନ (୩.୪୦ମି.) ପ୍ରଥମ ତିନି ସ୍ଥାନ ଅଧିକାର କରିଥିଲେ ।
ମହିଳା ଲଙ୍ଗ୍ଜମ୍ପ୍ ଫାଇନାଲ୍ରେ କେରଳର ନୟନା ଜେମ୍ସ (୬.୩୭ମି.) ପ୍ରଥମ ସ୍ଥାନରେ ରହିଥିଲେ । ୨୬ବର୍ଷୀୟା ନୟନା ଦୁଇଟି ପ୍ରୟାସରେ ୬.୩୭ମି. ଜମ୍ପ୍ କରି ମୁକୁଟ ଜିତିଥିଲେ । କେରଳର ଅନ୍ୟତମ ଆଥ୍ଲେଟ୍ ଆନ୍ସୀ ସୋଜନ (୬.୩୫ମି.) ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଉତ୍ତର ପ୍ରଦେଶର ଶୈଳୀ ସିଂହ (୬.୨୭ମି.) ତୃତୀୟ ସ୍ଥାନ ପାଇଥିଲେ ।
ମହିଳା ଡିସ୍କସ୍ ଥ୍ରୋ’ ଫାଇନାଲ୍ରେ ପଞ୍ଜାବର ନବଜୀତ କୌର ଧିଲୋଁ (୫୪.୭୯ମି.), ଉତ୍ତର ପ୍ରଦେଶର ସୀମା ଆଣ୍ଟିଲ୍ (୫୩.୫୭ମି.) ଓ ହରିୟାଣାର ନିଧି ରାଣୀ (୪୯.୮୫ମି.) ପ୍ରଥମରୁ ତୃତୀୟ ସ୍ଥାନ ମଧ୍ୟରେ ରହିଥିଲେ । ଓଡ଼ିଶାର ପାର୍ବତୀ ସେଠୀ ୪୩.୨୩ମି. ଥ୍ରୋ’ କରି ପଞ୍ଚମ ସ୍ଥାନ ପାଇଥିଲେ ।
ମହିଳା ୩୦୦୦ମି. ଷ୍ଟିପଲ୍ଚେଜ୍ ଫାଇନାଲ୍ରେ ଉତ୍ତର ପ୍ରଦେଶର ପାରୁଲ ଚୌଧୁରୀ (୯:୪୨.୨୪) ପ୍ରଥମ, ମହାରାଷ୍ଟ୍ରର କୋମଲ ଚନ୍ଦ୍ରକା ଜଗଦଲେ (୧୦:୦୦.୨୦) ଦ୍ୱିତୀୟ ଓ ଉତ୍ତର ପ୍ରଦେଶର କାଜଲ ଶର୍ମା (୧୦.୨୩.୧୦) ତୃତୀୟ ସ୍ଥାନରେ ରହିଥିଲେ । ଓଡ଼ିଶାର ସୁସ୍ମିତା ଟିଗା କ୍ୱାଲିଫାଏ କରିପାରି ନ ଥିଲେ ।