କ୍ଷତିପୂରଣ ଦାବିରେ ବିକ୍ଷୋଭ
ଯୁବକଙ୍କୁ କଚାଡ଼ି ମାରିଲା ହାତୀ
ନୀଳଗିରି (ଆପ୍ର): ଏହି ବ୍ଲକ୍ ଅନ୍ତର୍ଗତ ନରଣପୁର ପଞ୍ଚାୟତ ବାରାଗଡ଼ିଆ ଗ୍ରାମର ଶ୍ୟାମ ସିଂ (୨୫)ଙ୍କୁ ବିଳମ୍ବିତ ରାତିରେ ହାତୀ ଅତି ନୃଶଂସ ଭାବେ ମାରିଥିବା ଜଣାପଡ଼ିଛି । ଶନିବାର ବାରାଗଡ଼ିଆ ଗ୍ରାମବାସୀ ନିକଟସ୍ଥ ନୀଳଗିରି ରିଜର୍ଭ ଫରେଷ୍ଟ ମଧ୍ୟରେ ଶ୍ୟାମଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଦେଖିବାପରେ ପୁଲିସ ଏବଂ ନୀଳଗିରି ବନବିଭାଗକୁ ଖବର ଦେଇଥିଲେ । ମୃତଦେହକୁ ଜବତକରି ଶବ ବ୍ୟବଚ୍ଛେଦ କରିବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଶ୍ୟାମଙ୍କ ହାତ ଗୋଡ଼ ଅଲଗା କରିଦେଇ ଥିବାବେଳେ ଅନ୍ତଃବୁଜୁଲା ବାହାରି ପଡ଼ିଛି ।
ଗ୍ରାମବାସୀଙ୍କ କହିବାନୁଯାୟୀ, ଶୁକ୍ରବାର ରାତିରେ ପାଖ ନକୁଳକର ହାଟରୁ ସଉଦା ଧରି ଶ୍ୟାମ ଜଙ୍ଗଲିଆ ରାସ୍ତାରେ ନିଜ ଘର ବାରାଗଡ଼ିଆ ଫେରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ରାତିରେ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି ପରେ ଶନିବାର ସକାଳୁ ରାସ୍ତ କଡ଼ରେ ଶ୍ୟାମଙ୍କ ସାଇକେଲ୍ ଓ ସଉଦାପତ୍ର ପଡ଼ିଥିବା ଦେଖିଥିଲେ । ପରେ ଶ୍ୟାମଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖି ଏହା ହାତୀର କାର୍ଯ୍ୟ ବୋଲି ସନେ୍ଦହ କରିଥିଲେ । ଶ୍ୟାମ ଜଣେ ଗରିବ ଲୋକ ହୋଇଥିବାରୁ ତାଙ୍କୁ ସରକାରୀ କ୍ଷତି ପୂରଣ ଦେବା ସହିତ ବନ ବିଭାଗ ପକ୍ଷରୁ ରାତ୍ରିକାଳୀନ ପାଟ୍ରୋଲିଂ ଦାବିରେ ଗ୍ରାମବାସୀ ବିକ୍ଷୋଭ କରିଥିଲେ । ପୁଲିସ ଏବଂ ନୀଳଗିରି ରେଞ୍ଜର ଗଣେଶ୍ୱର ଲେଙ୍କା, ସଜନାଗଡ଼ ଫରେଷ୍ଟର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।