ଓଡ଼ିଶାକୁ ଐତିହାସିକ ସ୍ୱର୍ଣ୍ଣ
ଭୁବନେଶ୍ୱର, ୧୭ା୫ (ବୁ୍ୟରୋ): ମଧ୍ୟ ପ୍ରଦେଶର ଭୋପାଳଠାରେ ଚାଲିଥିବା ଦ୍ୱାଦଶ ହକି ଇଣ୍ଡିଆ ବରିଷ୍ଠ ମହିଳା ଜାତୀୟ ଚାମ୍ପିଅନ୍ସିପ୍ ୨୦୨୨ରେ ହକି ଆସୋସିଏସନ୍ ଅଫ୍ ଓଡ଼ିଶା ଚାମ୍ପିଅନ୍ ହୋଇଛି । ଫାଇନାଲ୍ରେ ହକି କର୍ଣ୍ଣାଟକକୁ ୨-୦ରେ ହରାଇ ଓଡ଼ିଶା ମହିଳା ଟିମ୍ ଜାତୀୟ ବରିଷ୍ଠ ସ୍ତରରେ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ଜିତିବାର ଗୌରବ ଅର୍ଜନ କରିଛି । ଅନ୍ୟପଟେ, ହକି ଝାଡ଼ଖଣ୍ଡ ୩-୨ରେ ହକି ହରିୟାଣାକୁ ହରାଇ ତୃତୀୟ ସ୍ଥାନରେ ରହିଛି ।
ଦ୍ୱିତୀୟାର୍ଦ୍ଧରେ ଓଡ଼ିଶାର ଦୁଇଟି ଗୋଲ୍
ଓଡ଼ିଶା ଓ କର୍ଣ୍ଣାଟକ ମଧ୍ୟରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ରହିଥିଲା । ଉଭୟ ଟିମ୍ ପ୍ରଥମରୁ ଭଲ ଖେଳିଥିଲେ ଏବଂ ଅନେକ ଗୋଲ୍ ସୁଯୋଗ ସୃଷ୍ଟି କରିଥିଲେ । ତେବେ ଉଭୟ ପକ୍ଷର ଦୃଢ଼ ରକ୍ଷଣାତ୍ମକ ପ୍ରଦର୍ଶନ ଯୋଗୁଁ ମଧ୍ୟାନ୍ତର ସୁଦ୍ଧା ସ୍କୋର୍ଲାଇନ୍ ୦-୦ ଥିଲା । ତୃତୀୟ କ୍ୱାର୍ଟରରେ ପୁନମ୍ ବାର୍ଲା ୩୪ତମ ମିନିଟ୍ରେ ଡେଡ୍ଲକ୍ ଭାଙ୍ଗି ଓଡ଼ିଶା ଟିମ୍କୁ ଅଗ୍ରଣୀ କରିଥିଲେ । ଅନ୍ତିମ କ୍ୱାର୍ଟରରେ କର୍ଣ୍ଣାଟକ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ କରି ବିଫଳ ହୋଇଥିଲା । ମ୍ୟାଚ୍ ଶେଷ ହେବାକୁ ଗୋଟିଏ ମିନିଟ୍ ବାକି ଥିବା ବେଳେ ଅସୀମ କାଞ୍ଚନ ବାର୍ଲା (୫୯ତମ) ଦ୍ୱିତୀୟ ଗୋଲ୍ ଦେବା ଫଳରେ ଓଡ଼ିଶା ୨-୦ରେ ପ୍ରତିଯୋଗିତା କରାୟତ୍ତ କରିଥିଲା ।
ମୁକୁଟ ବିଜୟ ପରେ ହକି ଆସୋସିଏସନ୍ ଅଫ୍ ଓଡ଼ିଶାର ମୁଖ୍ୟ କୋଚ୍ ଏଡ଼ଗାର ଜୋସେଫ୍ ମାସ୍କରେନ୍ହାସ କହିଥିଲେ, “ଆମେ ହକି କର୍ଣ୍ଣାଟକଙ୍କୁ ହାଲୁକା ଭାବେ ନେଇ ନ ଥିଲୁ । ଆମେ କେତେକ ସୁଯୋଗ ହାତଛଡ଼ା କରିଥିଲେହେଁ ଉତ୍ତମ ପ୍ରଦର୍ଶନ କରିଥିଲୁ ଏବଂ ଅଧିକାଂଶ ସମୟରେ ବଲ୍କୁ ନିୟନ୍ତ୍ରଣରେ ରଖିଥିଲୁ, ଯାହାକି ଆମର ଗେମ୍ ପ୍ଲାନ୍ ଥିଲା । ଆମେ ମିଡ୍ଫିଲ୍ଡରେ ଆଧିପତ୍ୟ ବିସ୍ତାର କରିଥିଲୁ । ଆମେ ତୃତୀୟ କ୍ୱାର୍ଟରରେ ସ୍କୋର୍ କରି ସେମାନଙ୍କୁ ଚାପରେ ରଖିଥିଲୁ ଏବଂ ବିଳମ୍ବିତ ଗୋଲ୍ରେ ଖେଳ ସମାପନ କରିଥିଲୁ ।”
ବରିଷ୍ଠ ଖେଳାଳିଙ୍କ ଯୋଗଦାନ
ମୁଖ୍ୟ କୋଚ୍ ବରିଷ୍ଠ ଖେଳାଳିମାନଙ୍କୁ ସଫଳତାର ଶ୍ରେୟ ଦେଇଥିଲେ, ଯେଉଁମାନେ ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ଟିମ୍କୁ ବାନ୍ଧିକି ରଖିଥିଲେ । ଟିମ୍ର ବିଜୟରେ ବରିଷ୍ଠ ଖେଳାଳି – ସୁନୀତା ଲାକ୍ରା, ଲିଲିମା ମିଞ୍ଜ୍ ଓ ପୁନମ୍ ବାର୍ଲାଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଥିଲା । ଏହି ତିନି ଜଣଯାକ ଜାତୀୟ ଟିମ୍ ପକ୍ଷରୁ ଖେଳି ସାରିଛନ୍ତି ।
ମାସ୍କରେନ୍ହାସଙ୍କ କହିବାନୁଯାୟୀ, “ଟୁର୍ଣ୍ଣାମେଣ୍ଟକୁ ଆସିବା ପୂର୍ବରୁ ଆମେ ସକାରାତ୍ମକ ମାଇଣ୍ଡସେଟ୍ ନେଇ ନିଜକୁ ପ୍ରସ୍ତୁତ କରିଥିଲୁ । ଆମେ ପ୍ରକୃତରେ କଠିନ ଅଭ୍ୟାସ କରିଥିଲୁ, ଓଡ଼ିଶାରେ ଗରମ ଦିନରେ ଦୁଇ ଥର ଅଭ୍ୟାସ କରିଥିଲୁ । ଆମେ ପୂରା ଟୁର୍ଣ୍ଣାମେଣ୍ଟରେ ଆମର ସାମର୍ଥ୍ୟ ଅନୁରୂପ ଖେଳିଥିଲୁ । ବରିଷ୍ଠ ଖେଳାଳିମାନେ ପ୍ରକୃତରେ ଟିମ୍କୁ ବାନ୍ଧିକି ରଖିଥିଲେ ଏବଂ ଆମ ଗୋଲ୍କିପର୍ ପଡ଼ିଆରେ ଚମକ୍ପ୍ରଦ ଖେଳ ପ୍ରଦର୍ଶନ କରିଥିଲେ ।”
ମାସ୍କରେନ୍ହାସ ଟୁର୍ଣ୍ଣାମେଣ୍ଟର ୨୦ ଦିନ ପୂର୍ବରୁ ଓଡ଼ିଶା ଟିମ୍ ସହ ଯୋଗ ଦେଇଥିଲେ । ଏହା ପୂର୍ବରୁ ସେ ଏୟାର ଇଣ୍ଡିଆ ଓ ମୁମ୍ବାଇ ଟିମ୍ ସହିତ ରହି ସାରିଛନ୍ତି ।