ଫଟୋ ଜାରି କଲା ଏଏସ୍ଆଇ
ତାଜମହଲର ବନ୍ଦ କୋଠରୀ ପ୍ରସଙ୍ଗ
ନୂଆଦିଲ୍ଲୀ (ଏଜେନ୍ସି): ଏଏସ୍ଆଇ ପକ୍ଷରୁ ତାଜମହଲର୍ ବେସମେଣ୍ଟ (ଭୂତଳ)ର କିଛି ଫଟୋକୁ ସାର୍ବଜନୀନ କରାଯାଇଛି । ଏଠାରେ ଥିବା କୋଠରୀଗୁଡ଼ିକରେ କିଛି ମରାମତି କାମ ହୋଇଥିବା ଦେଖିବାକୁ ମିଳିଛି । ଖରାପ ହୋଇଯାଇଥିବା ଚୂନ୍ ଏବଂ ପ୍ଲାଷ୍ଟରକୁ ହଟାଇ ସେଠାରେ ନୂଆ ପ୍ଲାଷ୍ଟର କରାଯାଇଛି । ତେବେ ଏଏସ୍ଆଇ ଟିମ୍ ପକ୍ଷରୁ ଏହି ଅବସରରେ ସ୍ପଷ୍ଟ କରାଯାଇଛି ଯେ, ବନ୍ଦ ରହିଥିବା କୋଠରୀଗୁଡ଼ିକରେ ସେପରି କୌଣସି ରହସ୍ୟ ନାହିଁ । ଏଠାରେ କେବଳ ମୋଗଲ ସାମ୍ରାଜ୍ୟ ସମୟର କିଛି ପଥର କାରୁକାର୍ଯ୍ୟ, ଚିତ୍ରଲେଖ ଏବଂ ଶିଳାଲିପି ରହିଛି, ଯାହାକି ତାଜମହଲ ତୁଳନାରେ ସେପରି କୌଣସି ଗୁରୁତ୍ୱପୂର୍ଣ୍ଣ ନୁହେଁ । ଏସମ୍ପର୍କରେ ଜାନୁଆରୀ ୨ଠ୨୨ ନୁ୍ୟଜଲେଟରର ୨ଠତମ ପୃଷ୍ଠାରେ ମଧ୍ୟ ଉଲ୍ଲେଖ କରାଯାଇଛି ।
ତାଜ୍ମହଲର ବନ୍ଦ ପଡ଼ିଥିବା ୨୨ ବଖରା ଖୋଲିବା ଏବଂ ସେଠାରେ ଲୁକ୍କାୟିତ ଅବସ୍ଥାରେ ଥିବା ରହସ୍ୟକୁ ଉନ୍ମୋଚନ କରିବା ଦାବିକୁ ନେଇ ଉଠିଥିବା ବିବାଦ ଏବେ ଜୋର ଧରିଛି । ଗୋଟିଏ ପଟେ ଏସବୁ ବଖରାଗୁଡ଼ିକରେ ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ତଥା ପୁରାଣ ଶାସ୍ତ୍ର ବା ଶିଳାଲିପିଗୁଡ଼ିକୁ ଲୁଚାଇ ରଖାଯାଇଥିବା ଦାବି କରାଯାଉଛି । ଅନ୍ୟପଟେ ଆହ୍ଲାବାଦ୍ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ୍ଙ୍କ ନିକଟରେ ଏନେଇ ଦାଖଲ ହୋଇଛି ପିଟିସନ୍ । ଅଯୋଧ୍ୟା ଜିଲ୍ଲା ବିଜେପି ନେତା (ଗଣମାଧ୍ୟମ ପ୍ରଭାରୀ) ଡ. ରଜନୀଶ ସିଂହଙ୍କ ପକ୍ଷରୁ ଏହି ପିଟିସନ୍ ଦାଖଲ କରାଯାଇଥିଲା । ତେବେ ଏହି ମାମଲାକୁ ହାଇକୋର୍ଟ ଖାରଜ କରିଦେଇଥିଲେ ।