ବନ୍ଦ ରହିବ ତାଜ୍ର ୨୨ କୋଠରୀ

ଅଲ୍ଲାହବାଦ୍ (ଏଜେନ୍ସି): ତାଜମହଲର ୨୨ଟି ବନ୍ଦ କୋଠରୀ ଖୋଲିବା ତଥା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍ଆଇ) ଦ୍ୱାରା ଏହି କୋଠରୀଗୁଡ଼ିକର ଯାଞ୍ଚ୍ କରାଯିବା ଲାଗ ନିଦେ୍ର୍ଦଶ ଦେବା ନେଇ ଆଗତ ଆବେଦନକୁ ଆହ୍ଲାବାଦ୍ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ୍ ଖାରଜ କରିଦେଇଛନ୍ତି । ଏତଦ୍ବ୍ୟତୀତ ଆବେଦନକାରୀଙ୍କୁ ଜନସ୍ୱାର୍ଥ ମାମଲାର (ପିଆଇଏଲ୍)ର ଦୁରୁପଯୋଗ ନକରିବାକୁ ନେଇ ମଧ୍ୟ ତାଗିଦ୍ କରିଛନ୍ତି । ପ୍ରକାଶ, କିଛି ଦିନ ପୂର୍ବରୁ ଅଯୋଧ୍ୟା ଜିଲ୍ଲା ବିଜେପି ନେତା (ଗଣମାଧ୍ୟମ ପ୍ରଭାରୀ) ଡ. ରଜନୀଶ ସିଂହ ଆହ୍ଲାବାଦ୍ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ୍ ନିକଟରେ ଏହି ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ଏଥିରେ ସେ ଏସବୁ ବଖରାଗୁଡ଼ିକୁ ଖୋଲିବା ଦ୍ୱାରା ଏଠାରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତୀ ତଥା ଶିଳାଲେଖ (ଧର୍ମ ଗ୍ରନ୍ଥ ଆଦି) ରହିଛି କି ନାହିଁ ସେସମ୍ପର୍କରେ ବାସ୍ତବ ସୂଚନା ମିଳିପାରିବ ବୋଲି ଯୁକ୍ତି ବାଢ଼ିଥିଲେ । ଗୁରୁବାର ଏହି ମାମଲାର ଶୁଣାଣି କରିବା ସମୟରେ ଲକ୍ଷ୍ନୌ ବେଞ୍ଚ୍ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଗୁରୁବାର ସକାଳେ ଏହି ଜନସ୍ୱାର୍ଥ ମାମଲାର ଶୁଣାଣି ଆରମ୍ଭ ହେବାମାତ୍ରେ ଲକ୍ଷ୍ନୌ ବେଞ୍ଚ୍ର ବିଚାରପତି ଜଷ୍ଟିସ୍ ଡି.କେ. ଉପାଧ୍ୟାୟ ଏବଂ ଜଷ୍ଟିସ୍ ସୁଭାଷ ବିଦ୍ୟାରଥୀଙ୍କୁ ନେଇ ଗଠିତ ୨ଜଣିଆ ଖଣ୍ଡପୀଠ ଆବେଦନକାରୀଙ୍କୁ ଏପ୍ରକାର ଆବେଦନ ପାଇଁ ଭର୍ତ୍ସନା କରିଥିଲେ । ବର୍ତ୍ତମାନ ସମୟରେ ନ୍ୟାୟପାଳିକା ପାଖରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ବୋଝ ରହିଥିବା ବେଳେ ଜନସ୍ୱାର୍ଥ ମାମଲା ଆଳରେ ଏପ୍ରକାର ଆବେଦନ କରିବା ଅତ୍ୟନ୍ତ ଅଶୋଭନୀୟ ବୋଲି ଖଣ୍ଡପୀଠ କହିଛନ୍ତି । ତାଜମହଲର ୨୨ଟି ବଖରା ଖୋଲାଯିବାର କୌଣସି ଆବଶ୍ୟକତା ନାହିଁ । ଏହା ଦୀର୍ଘ ବର୍ଷ ଧରି ବନ୍ଦ ରହିଛି, ଏହା ବନ୍ଦ ହିଁ ରହିବାକୁ ଦିଆଯାଉ । ଏସବୁର ନିଷ୍ପତ୍ତି ଦେଶର ଐତିହାସିକମାନଙ୍କ ଉପରେ ଛାଡିଦିଆଯାଉ । ତାଜମହଲର କୋଠରୀ କାହିଁକି ବନ୍ଦ ରହିଛି, ସେସମ୍ପର୍କରେ ପଚାରିବାର ଅଧିକାର ଆବେଦନକାରୀଙ୍କ ନାହିଁ । ଏପ୍ରକାର ଆବେଦନ ଦ୍ୱାରା ଆବେଦନକାରୀଙ୍କ କୌଣସି ପ୍ରକାର ଅଧିକାର କ୍ଷୂଣ୍ଣ ହେଉଥିବା କୋର୍ଟ ଅନୁଭବ କରିପାରୁନାହାନ୍ତି । କୋଠରୀ ବନ୍ଦ ରଖାଯିବା ପଛରେ ସୁରକ୍ଷା ସର୍ମ୍ପକୀତ କାରଣ ମଧ୍ୟ ଥାଇପାରେ । ତେବେ ଏସବୁ ଇତିହାସର ବିଷୟବସ୍ତୁ ଏହା ଉପରେ ପ୍ରଶ୍ନ କରିବାକୁ ହେଲେ ପ୍ରଥମେ ଗବେଷଣା କରିବା ଉଚିତ୍ । ଏହା ଉପରେ ପିଜି-ପିଏଚ୍ଡି କରିବା ଉଚିତ୍ ତା’ ପରେ କୋର୍ଟରେ ଆବେଦନ କରାଗଲେ ଏହା ଶୋଭାପାଇବ ।
ପ୍ରକାଶ, ତାଜ୍ମହଲକୁ ନେଇ ବିବାଦ ଜାରି ରହିଛି । ତାଜମହଲରେ ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତୀ ତଥା ପୁରାଣପୋଥି ବା ଧର୍ମଶାସ୍ତ୍ର ରହିଥିବା ସନେ୍ଦହରେ ଆଜି ପର୍ଯ୍ୟନ୍ତ ବନ୍ଦ ରହିଥିବା ପ୍ରାୟ ୨୨ଟି ବଖରାକୁ ଖୋଲାଯିବାକୁ ଦାବି ଜୋର ଧରିଛି । ଏସବୁ ମଧ୍ୟରେ ଦିନକ ପୂର୍ବେ ରାଜସ୍ଥାନର ଜୟପୁର ରାଜପରିବାର ସଦସ୍ୟ ତଥା ବିଜେପି ସାଂସଦ ଦୀୟା କୁମାରୀ ଦାବି କରିଛନ୍ତି ଯେ, ତାଜମହଲ୍ ନିର୍ମାଣ କରାଯାଇଥିବା ସ୍ଥାନ ତାଙ୍କ ପୈତୃକ ସମ୍ପତ୍ତି । ପୂର୍ବରୁ ସେଠାରେ ଜୟପୁର ରାଜପରିବାରର ଅର୍ଥାତ୍ ତାଙ୍କ ପୂର୍ବପୁରୁଷଙ୍କ ଏକ ବିଶାଳ ପ୍ରାସାଦ (ମହଲ) ରହିଥିଲା । ମାତ୍ର ଶାହାଜାହାନ୍ ଏହାକୁ ବଳପୂର୍ବକ ଏହାକୁ ଅଧିକାର କରିନେଇଥିଲେ ଏବଂ ତାଜମହଲ ନିର୍ମାଣ କରାଇଥିଲେ । ତାଙ୍କ ପାଖରେ ଏସମ୍ପର୍କରେ ଯଥେଷ୍ଟ ତଥା ବଳିଷ୍ଠ ପ୍ରମାଣ ଥିବା ଦୀୟା କୁମାରୀ ଦାବି କରିଥିଲେ । ପ୍ରକାଶ, ଐତିହାସିକମାନେ ଏବଂ ହିନ୍ଦୁ ଉପାସକମାନେ ତାଜମହଲର ବନ୍ଦ କୋଠରୀ ମଧ୍ୟରେ ଭଗବାନ ଏକ ଶିବାଳୟ (ଶିବ ମନ୍ଦିର) ସହ ଅନେକ ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତୀ ତଥା ଧର୍ମଶାସ୍ତ୍ରଗୁଡ଼ିକୁ ଲୁଚାଯାଇଥିବା ସନେ୍ଦହ କରିଆସୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *