ଦୁର୍ଦ୍ଦଶାରେ ସିରିଆର ୧୨.୩ ନିୟୁତ ପିଲା

ଜାତିସଂଘ, ୮ା୫: ୟୁକ୍ରେନ-ରୁଷ୍ ଟୁଦ୍ଧ ଘନଘଟା ମଧ୍ୟରେ ଆଉ ଏକ କରୁଣ ଚିତ୍ର ପଦାକୁ ଆସିଛି । ଏକ ଦଶନ୍ଧି ଧରି ଗୃହଯୁଦ୍ଧର ଶିକାର ହୋଇଥିବା ସିରିଆରେ ଛୋଟ ପିଲାଙ୍କ ଅସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ଦେଶ ଭିତରେ ଓ ଦେଶ ବାହାରେ ପ୍ରାୟ ୧୨.୩ ନିୟୁତ ପିଲା ଖାଦ୍ୟ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଅଭାବରୁ ଘୋର ଦୁର୍ଦ୍ଦଶା ମଧ୍ୟରେ କାଳାତିପାତ କରୁଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କ ସହାୟତା କରିବା ଲାଗି ଜାତିସଂଘ ନିକଟରେ ଆବଶ୍ୟକ ସମ୍ବଳ ଅଭାବ ରହିଛି । ଏଭଳି ଅବସ୍ଥା ଅଧିକ ଦିନ ଲାଗି ରହିଲେ ପିଲାମାନଙ୍କ ଦୁର୍ଦ୍ଦଶା ଅଣାୟତ୍ତ ହୋଇପଡ଼ିବ ବୋଲି କୁହାଯାଇଛି । ତେଣୁ ତୁରନ୍ତ ସହାୟତା ନିମିତ୍ତ ଆବଶ୍ୟକ ଅର୍ଥ ପ୍ରଦାନ ଲାଗି ୟୁନିସେଫ୍ ପକ୍ଷରୁ ସଦସ୍ୟଭୁକ୍ତ ରାଷ୍ଟ୍ରଙ୍କୁ ନିବେଦନ କରାଯାଇଛି ।
ୟୁନିସେଫ୍ର ମଧ୍ୟ-ପ୍ରାଚ୍ୟ ମୁଖ୍ୟ ଆଦେଲ ଖୋଦର କହିଛନ୍ତି ଯେ ସିରିଆରେ ପ୍ରାୟ ୧୧ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଗୃହଯୁଦ୍ଧ ଜାରି ରହିଛି । ଯାହାଫଳରେ ଦେଶରେ ଗୁରୁତର ଖାଦ୍ୟ ସଙ୍କଟ ସୃଷ୍ଟି ହୋଇଛି । ଜୀବନ ବଞ୍ଚାଇବା ଲାଗି ହଜାର ହଜାର ପରିବାର ବିଭିନ୍ନ ଦେଶରେ ଆଶ୍ରୟ ନେଇଛନ୍ତି । ଦେଶ ଭିତରେ ଓ ବାହାରେ ରହିଥିବା ବିପୁଳ ସଂଖ୍ୟକ ଶିଶୁଙ୍କ ଲାଗି ଖାଦ୍ୟ, ଔଷଧ, ବସ୍ତ୍ର ସମେତ ଅନ୍ୟାନ୍ୟ ସହାୟତା ଜରୁରୀ ହୋଇପଡ଼ିଛି । ସିରିଆରେ ୬.୫ ନିୟୁତ ଏବଂ ବିଦେଶରେ ୫.୮ ନିୟୁତ ଶିଶୁ ଆଶ୍ରୟ ନେଇଛନ୍ତି । ସିରିଆ ସୀମା ସଂଲଗ୍ନ ଦେଶଗୁଡ଼ିକରେ ମଧ୍ୟ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଥିବାରୁ ପିଲାମାନଙ୍କୁ ସହାୟତା କରାଯିବା ନେଇ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ମାନବିକ ସହାୟତା ପାଇଁ ଅର୍ଥ ଆବଶ୍ୟକ ଥିବାବେଳେ ଚଳିତ ବର୍ଷ ୟୁନିସେଫ୍ ପୂର୍ବବର୍ଷ ତୁଳନାରେ ଅଧାରୁ କମ୍ ସହାୟତା ପାଇଛି । ୨ଠ୧୧ ମସିହାରେ ସିରିଆରେ କ୍ଷମତା ଦଖଲ ପାଇଁ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା । ଏହା ଶେଷ ହେବାର ସମ୍ଭାବନା ନ ଥିବା ବେଳେ ଏ ପର୍ଯ୍ୟନ୍ତ ୫ଠ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକ ପଳାୟନ କରିଛନ୍ତି । ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ ପରିପ୍ରେକ୍ଷୀରେ ଗୁରୁତର ଖାଦ୍ୟ ସଂକଟ ସୃଷ୍ଟି ହୋଇଛି । ଖାଦ୍ୟ ସମେତ ଅନ୍ୟାନ୍ୟ ସାମଗ୍ରୀର ଦର ବୃଦ୍ଧି ପାଇଥିବା ବେଳେ ସିରିଆର ପିଲାମାନଙ୍କୁ ଅଧିକ ଦିନ ଦୁର୍ଦ୍ଦଶାରେ ରଖାଯିବା ଠିକ୍ ହେବ ନାହିଁ ବୋଲି ଆଦେଲ୍ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *