ଆଇଏଏସ୍ଙ୍କ ଘରୁ ୧୫ଠ କୋଟି ଜବତ
ରାଞ୍ଚୀ, ୬ା୫: ବହୁଚର୍ଚ୍ଚିତ ଖୁଣ୍ଟି (ଝାରଖଣ୍ଡ) ମନରେଗା କେଳେଙ୍କାରୀର ଯାଞ୍ଚ କରୁଥିବା ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ଶୁକ୍ରବାର ମହିଳା ଆଇଏଏସ୍ ଅଫିସର୍ ପୂଜା ସିଂଘଲ ଏବଂ ତାଙ୍କ ସହଯୋଗୀ ମାନଙ୍କର ୫ରାଜ୍ୟରେ ଥିବା ୨୫ଠିକଣାରେ ଏକ ସଙ୍ଗେ ଚଢ଼ଉ କରିଛି । ଇଡି ସୂତ୍ରରୁ ଜଣାଯାଇଛି ଯେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୧୭କୋଟି ଟଙ୍କାର ନଗଦ ଟଙ୍କା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ଦଲିଲ୍ ମିଳିଛି । ଉଲ୍ଲେଖଯୋଗ୍ୟ ଯେ ପୂଜା ସିଂଘଲ ଖୁଣ୍ଟିର ଉପାୟୁକ୍ତ ଥିବା ସମୟରେ ମନରେଗା ଘୋଟାଲା ହୋଇଥିଲା । ଏବେ ସେ ଝାରଖଣ୍ଡ ସରକାରଙ୍କ ଖଣି ଓ ଶିଳ୍ପ ବିଭାଗର ସଚିବ । ରାଞ୍ଚୀ, ରାଜସ୍ଥାନର ଜୟପୁର, ପଶ୍ଚିମବଙ୍ଗର କୋଲକାତା, ବିହାରର ମୁଜଫରପୁର ଓ ଦିଲ୍ଲୀ ଏନ୍ସିଆର୍ରେ ଶୁକ୍ରବାର ସକାଳ ୭ଟାବେଳେ ରେଡ୍ କରାଯାଇଥିଲା । ପୂଜା ସିଂଘଲଙ୍କ ୧୫୦କୋଟି ଟଙ୍କା ମୂଲ୍ୟର ଆୟରୁ ଅଧିକ ସମ୍ପତ୍ତି ସମ୍ବନ୍ଧୀୟ ଦସ୍ତାବିଜ ଇଡି ଜବତ କରି ସେଗୁଡ଼ିକର ଛାନ୍ଭିନ୍ ଚଳାଇଛି । ମନରେଗା ଘୋଟାଲା ସହ ପୂଜାଙ୍କ ସମଗ୍ର କାର୍ଯ୍ୟକାଳର ଯାଞ୍ଚ କରୁଛି ଇଡି । ଖୁଣ୍ଟି ଜିଲ୍ଲାରେ ପୂଜା ଉପାୟୁକ୍ତ ଥିବା ସମୟରେ ମନରେଗାରେ ୧୮କୋଟି ୬ଲକ୍ଷ ଟଙ୍କା ହେର୍ଫେର୍ ହୋଇଥିଲା । ସେ ପଲାମୁ ଜିଲ୍ଲାରେ ଉପାୟୁକ୍ତ ଥିବା ସମୟରେ ପ୍ରାୟ ୮୩ ଏକର ଜଙ୍ଗଲ ଜମି ଏକ ଘରୋଇ ଖଣି କମ୍ପାନୀକୁ ହସ୍ତାନ୍ତର କରିଥିଲେ ।