ହତ୍ୟାକାରୀଙ୍କୁ ଗିରଫ ଦାବିରେ ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ପରିବାର ଓ ଗ୍ରାମବାସୀ
୨ ବିଜେଡି ନେତାଙ୍କ ହତ୍ୟାକୁ ବିତିଲା ୭ଦିନ
ବ୍ରହ୍ମପୁର (ବୁ୍ୟରୋ): ଗତ ୨୩ ତାରିଖରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ପାଲଝାଡି ଗ୍ରାମର ୨ ବରିଷ୍ଠ ବିଜେଡି ନେତା ତଥା ଗ୍ରାମ୍ୟ କମିଟି ମୁଖ୍ୟ ସୁଦର୍ଶନ ସୁଆର ଓ ତାଙ୍କ ସହଯୋଗୀ ତଥା କମିଟିର ଉପଦେଷ୍ଟା ସୁଧିର ପାତ୍ରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଗତ ପଞ୍ଚାୟତ ନିର୍ବାଚନରେ ପରାଜୟର ପ୍ରତିଶୋଧ ନେବାପାଇଁ ୨ ବିଜେଡି ନେତାଙ୍କୁ ଅତି ଅମାନୁଷିକ ଭାବେ ସେହି ଗ୍ରାମର ଅନ୍ୟ ଗୋଷ୍ଠୀମାନେ ସଂଘବଦ୍ଧ ଭାବେ ହତ୍ୟା କରିଥିଲେ । ହତ୍ୟା ଘଟଣାକୁ ୭ ଦିନ ବିତିଥିଲେ ମଧ୍ୟ ପୁଲିସ୍ ହତ୍ୟାକାରୀଙ୍କୁ ଗିରଫ କରିବାରେ ବିଫଳ ହୋଇଛି । ତୁରନ୍ତ ଗିରଫକରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତ ସୁଦର୍ଶନ ଓ ସୁଧିରଙ୍କ ପରିବାର ସମେତ ଗ୍ରାମବାସୀମାନେ ବ୍ରହ୍ମପୁର ଏସ୍ପିଙ୍କ ନିକଟରେ ଗୁହାରୀ କରିଛନ୍ତି ।
ଶନିବାର ସକାଳ ୧୦ ଟା ବେଳେ ପାଲଝାଡି ଗ୍ରାମରୁ ଆସି ଶତାଧିକ ମହିଳା ଓ ପୁରୁଷ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନ୍ୟାୟ ଦାବିକରି ଧାରଣାରେ ବସିଥିଲେ । ଏହାପରେ ତାଙ୍କ ପରିବାର ସଦସ୍ୟ ଓ ଗ୍ରାମର କିଛି ବ୍ୟକ୍ତି ଏସ୍ପିଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠକୁ ଯାଇ ଏକ ଦାବିପତ୍ର ପ୍ରଦାନ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏସ୍ପି ଧାରଣାରେ ବସିଥିବା ଗ୍ରାମବାସୀଙ୍କ ନିକଟକୁ ଆସି ତାଙ୍କୁ ଆଶ୍ୱସନା ଦେବାସହ ହତ୍ୟାକାରୀଙ୍କୁ ଚିହ୍ନଟ କରାଯାଇଛି, ଖୁବ୍ଶୀଘ୍ର ଅପରାଧିଙ୍କୁ ଗିରଫ କରାଯିବା ସହ ଘଟଣାର ପର୍ଦ୍ଦାଫାଶ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଧାରଣାରତ ଗ୍ରାମବାସୀ ଓ ପରିବାର ଲୋକେ ଧାରଣାରୁ ଉଠିଥିଲେ । ସୂଚନାଥାଉକି, ମୃତକଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଗତ ଫେବୃୟାରୀ ୧୫ ତାରିଖରେ ପାଲଝାଡି ଗ୍ରାମର ପ୍ରଶାନ୍ତ ଗୌଡ ଓ ତାଙ୍କ ଭାଇମାନେ ମୃତ ସୁଦର୍ଶନ ସୁଆରଙ୍କ ଘରକୁ ଆସି ତାଙ୍କୁ ମାରିବା ପାଇଁ ଯୋଜନା କରୁଥିବା ବେଳେ ଗାଁ ଲୋକମାନେ ବିରୋଧ କରିବାରୁ ସେମାନେ ଛତ୍ରଭଙ୍ଗ ଦେଇଥିଲେ । ଏପରିକି ସୁଦର୍ଶନ ସୁଆରଙ୍କ ଝିଅକୁ ଫାଶିଗୁଡା ଗ୍ରାମର ଜଣେ ବ୍ୟକ୍ତି ପିଛା କରିବା ସହ ବାପାଙ୍କୁ ହତ୍ୟା କରିବୁ ବୋଲି ମଧ୍ୟ କହିଥିଲା । ଏନେଇ ଦିଗପହଣ୍ଡି ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ୍ ସେମାନଙ୍କୁ ଗିରଫ କରିନଥିଲା । ଫଳରେ ୨ ଜଣ ବରିଷ୍ଠ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା । ଦାବିପତ୍ର ପ୍ରଦାନ ବେଳେ ବିଜେପି ନେତା ଉତ୍ତମ ପାଣିଗ୍ରାହୀ, ଜୟଲକ୍ଷ୍ମୀ ପାତ୍ର, ପ୍ରଫୁଲ୍ଲ କୁମାରୀ ସୁଆର, କୁମାରୀ ପୂଜାରୀ, ସୁନୀତା କୁମାରୀ ପଣ୍ଡା ଉପସ୍ଥିତଥିଲେ ।