ବନ୍ଦ ହେଲା ଆସିକା-ତାଲୁକା ରୋଡ୍ ଉପ-ଡାକଘର
ଆସିକା(ଆପ୍ର): ଆସିକା ଏନଏସି ଅଧିନସ୍ଥ ତାଲୁକା ଛକ, ଲାଲାଶାସନ, ଲଛମନପଲ୍ଲୀ, ବ୍ଳକ କଲୋନୀ ତଥା ଏହାର ଆଖପାଖ ଅଞ୍ଚଳର ଜନସାଧାରଣଙ୍କୁ ହାତପାହାନ୍ତାରେ ଡାକସେବା ଯୋଗାଇ ଦେବା ଲାଗି ଦୀର୍ଘ କିଛି ବର୍ଷ ତଳେ ସ୍ଥାପିତ ହୋଇଥିବା ଉପ-ଡାକଘରକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିଦେ୍ର୍ଦଶକ୍ରମେ ଗତ କିଛି ଦିନ ତଳେ ବନ୍ଦ କରିଦିଆଯିବା ସାଙ୍ଗକୁ ଉକ୍ତ ଡାକଘରର କାରବାରକୁ ମୁଖ୍ୟ ଡାକଘରେ ମିଶ୍ରଣ କରାଯାଇଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ତାଲୁକାରୋଡ ଉପ-ଡାକଘର ବନ୍ଦ କରାଯିବା ଘଟଣାକୁ ନେଇ ଦେଖା ଦେଇଥିବା ପୁଞ୍ଜିଭୂତ ଜନ ଅସନ୍ତୋଷ ଆଗାମୀ ଦିନରେ ଉଗ୍ରରୂପ ଧାରଣ କରିବା ସମ୍ଭାବନାକୁ ମଧ୍ୟ ଏଡାଇ ହେବ ନାହିଁ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ସଂପୃକ୍ତ ଅଞ୍ଚଳରେ ବ୍ଳକ କାର୍ଯ୍ୟାଳୟ ସମେତ ତହସିଲ କାର୍ଯ୍ୟାଳୟ, ଆସିକା ଥାନା, ଆସିକା ସବ୍-ଟେଜେରୀ ଅଫିସ୍, ଆସିକା ସବ୍-ଜେଲ୍, ଆସିକା ବିଦୁ୍ୟତ୍ ବିଭାଗ କାର୍ଯ୍ୟାଳୟ, ଆସିକା ଉଠା ଜଳସେଚନ ବିଭାଗ କାର୍ଯ୍ୟାଳୟ, ଆସିକା କୃଷି ବିଭାଗ କାର୍ଯ୍ୟାଳୟ, ଆସିକା ସିଡିପିଓ କାର୍ଯ୍ୟାଳୟ, ଭାରତୀୟ ଷ୍ଟେଟବ୍ୟାଙ୍କର କୃଷି ଉନ୍ନୟନ ଶାଖା, ସମବାୟ ଉପନିବନ୍ଧକଙ୍କ କାର୍ଯ୍ୟାଳୟ, ଆସିକା ସେବା ସମବାୟ ସମିତି ସମେତ ସରକାରଙ୍କ ବହୁ ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟାଳୟ ରହିଥିବା ବେଳେ ତାଲୁକା ରୋଡ ସ୍ଥିତ ଉପଡାକଘର ଉପରେ ଶହଶହ ଜନସାଧାରଣ ଓ ସରକାରୀ ଏବଂ ବେସରକାରୀ ଦପ୍ତର ନିର୍ଭର କରୁଥିଲେ । ଆସିକା ଡାକ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଅଧିନରେ ପରିଚାଳିତ ହୋଇ ଏହି ଉପ-ଡାକଘରକୁ ଗତ କିଛି ମାସ ହେଲା ବନ୍ଦ କରି ଦିଆଯାଇଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ତ୍ୱରିତ୍ ଡାକ ସେବା ପାଇବା ପାଇଁ ନାନା ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ଏ ସଂକ୍ରାନ୍ତରେ ବିଭାଗୀୟ ସହକାରୀ ଡାକ ଅଧିକ୍ଷକ ଜବାହାର ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ତାଲୁକା ରୋଡ ଉପ-ଡାକଘରରେ କାରବାର ହ୍ରାସ ପାଇ ଚାଲିଥିବାରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ପରାମର୍ଶ କ୍ରମେ ଉକ୍ତ ଡାକଘରକୁ ବନ୍ଦ କରି ଦିଆଯାଇଛି ବୋଲି ପ୍ରକାଶ କରିଥିଲେ । ତାଲୁକା ଛକ ତଥା ଏହାର ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ଡାକବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଏହାକୁୁ ପୁନଃ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନେବାକୁ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସନ୍ତୋଷ କୁମାର ସେଠୀ, ବରିଷ୍ଠ ବିଜେଡି ନେତା ସୂର୍ଯ୍ୟକାନ୍ତ ପରିଡା, ପୂର୍ବତନ କାଉନସିଲର କୈଳାଶ ଚନ୍ଦ୍ର ପ୍ରଧାନ, ଜଗତ୍ଜୀବନ ବେହେରା, ପ୍ରମୋଦ କୁମାର ତ୍ରିପାଠୀ, ସସ୍ମିତା ମୁନୀ ଓ କାଉନସିଲର ବନ୍ଦିତା ପ୍ରଧାନ ଦୃଢ ଦାବୀ କରିଛନ୍ତି ।