ନରେନ୍ଦ୍ରରେ ବ୍ୟାପକ ସାଜସଜ୍ଜା
୪ ଦିନ ପରେ ଚନ୍ଦନ ଯାତ୍ରା
ପୁରୀ (ବୁ୍ୟରୋ): ଆସନ୍ତା ୪ରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଧରି ଜଳକ୍ରୀଡ଼ା କରିବେ ମହାପ୍ରଭୁ । ଏଥିପାଇଁ ପ୍ରସ୍ତୁତି ଜୋର୍ଦାର ଚାଲିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନରେନ୍ଦ୍ର ପୁଷ୍କରିଣୀକୁ ପ୍ରସ୍ତୁତ କରାଯାଉଛି । ଇତିମଧ୍ୟରେ ଚତୁଃପାଶ୍ୱର୍ ପାଚେରିକୁ ଘଷାଯାଇ ଚୂନଧଉଳା ଦିଆଯାଇ ରଙ୍ଗ ଚାଲିଥିବା ବେଳେ ପ୍ରବେଶ ପଥ ତୋରଣ ରଙ୍ଗ କାର୍ଯ୍ୟ ଚାଲିଛି । ତତ୍ସହିତ ଚକଡ଼ା ପରିସର ଠାକୁରଙ୍କ ବିଜେସ୍ଥଳୀ ପ୍ରଭୃତି ସ୍ଥାନରେ ରଙ୍ଗ ଦିଆଯିବ ବୋଲି ଜଣାପଡ଼ିଛି ।
ସେହିପରି ମହାପ୍ରଭୁଙ୍କ ଜଳକ୍ରୀଡ଼ା ଲାଗି ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ାଯାଇଥିବା ୫ଟି ଡଙ୍ଗାକୁ ଚୈତ ପୂର୍ଣ୍ଣିମାରେ କଢ଼ା ଯାଇଥିଲା । ପରେ ଏହି ଡଙ୍ଗାଗୁଡ଼ିକୁ ଘଷା ଯାଇ ସଫା କରାଯାଇଛି । ପରେ ଏଥିରେ ରାଳ ଦିଆଯିବ । ରାଳ କାମ ସରି ଅନ୍ୟାନ୍ୟ ଆନୁଷଙ୍ଗିକ କାମ କରାଯାଇ ଡଙ୍ଗାକୁ ଚାପ ଲାଗି ପ୍ରସ୍ତୁତ କରାଯିବ । ୨ଟି ଲେଖାଏଁ ଡଙ୍ଗାକୁ ଯୋଡ଼ି ଚାପ ତିଆରି କରାଯିବ ବୋଲି ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି ।
ସେହିଭଳି ୪ ଦିନ ପରେ ରଥ ନିର୍ମାଣ ଆରମ୍ଭ ହେବ । ରଥ ନିର୍ମାଣ ପାଇଁ ଶ୍ରୀନଅର ସମ୍ମୁଖ ରଥଖଳା ପ୍ରସ୍ତୁତି ଶେଷ ହୋଇଛି । କେବଳ ଅପେକ୍ଷା ପବିତ୍ର ମୁହୂର୍ତ୍ତକୁ । ଆସନ୍ତା ୪ ତାରିଖ ବା ମଙ୍ଗଳବାର ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କଠାରୁ ଆଜ୍ଞାମାଳ ଆସିବା ପରେ ଆରମ୍ଭ ହେବ ରଥ ଅନୁକୂଳ । ଶ୍ରୀମନ୍ଦିରର ଶୋସ୍ତ୍ରୀୟ ବାହ୍ମଣମାନେ ମନ୍ତ୍ର ଧ୍ୱନିରେ ଶ୍ରୀନଅର ସମ୍ମୁଖ ରଥଖଳାରେ ତିନି ରଥର ତିନିଖଣ୍ଡ କାଠକୁ ସୁନା କୁରାଢ଼ିରେ ଶୁଭାରମ୍ଭ କରାଯିବ । ପରେ ପରେ ମହାରଣା ସେବାୟତମାନେ ତିନି ରଥ ନିର୍ମାଣ କାର୍ଯ୍ୟରେ ଲାଗିବେ । ଚଳିତବର୍ଷ ରଥଖଳା ବଡ଼ ଆକାରରେ ନିର୍ମାଣ କରାଯାଇଛି । ଫଳରେ ରଥଖଳାରେ ଖରାରୁ ରକ୍ଷା ପାଇବା ନିମନ୍ତେ ମହାରଣା ସେବାୟତଙ୍କ ପାଇଁ ଛାମୁଣ୍ଡିଆର ମଧ୍ୟ ବ୍ୟବସ୍ଥା କରାଯାଇଛି । ଆସନ୍ତା ଜୁଲାଇ ୧ରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ସେଥିପାଇଁ ମଧ୍ୟ ରଥଖଳାରେ ଆବଶ୍ୟକ ରଥକାଠ ରଥଖଳାରେ ପହଞ୍ଚିବାରେ ଲାଗିଛି । ରଥଖଳାରେ କାର୍ଯ୍ୟ କରିବା ପାଇଁ ମହାରଣା ସେବାୟତଙ୍କଠାରୁ ଆରମ୍ଭ କରି ସେମାନଙ୍କୁ ସହଯୋଗ କରିବା ପାଇଁ ଭୋଇ ସେବାୟତମାନେ ପ୍ରସ୍ତୁତ ଥିବା କହିଛନ୍ତି ଭୋଇ ସର୍ଦ୍ଦାର ରବି ଭୋଇ ।