ଶୋଷ ମେଣ୍ଟାଇ ପାରୁନି ବସୁଧା

କଟକ/ଜଗତପୁର (ବୁ୍ୟରୋ): ପ୍ରତି ଘରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ସରକାର କୋଟି କୋଟି ଅର୍ଥ ବିନିଯୋଗ କରୁଛନ୍ତି । ଏପରିକି ବ୍ଲକ୍ସ୍ତରରେ ବିଭିନ୍ନ ପଞ୍ଚାୟତ ଗୁଡିକରେ ବସୁଧା ଯୋଜନା ମାଧ୍ୟମରେ ଉଚ୍ଚ ସମ୍ପନ୍ନ ପାନୀୟ ଜଳ ଟାଙ୍କି ନିର୍ମାଣ କରାଯାଇଛି । କିନ୍ତୁ ପାନୀୟ ଜଳ ବିଭାଗୀୟ ଅଧିକାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ପ୍ରକଳ୍ପ ଗୁଡିକ ଲୋକଙ୍କ କାମରେ ଲାଗି ପାରୁନାହିଁ । ଏଥିପାଇଁ ବିଭିନ୍ନ ପଞ୍ଚାୟତର ଲୋକମାନଙ୍କୁ ଖରାଦିନେ ପାଣି ବୁନ୍ଦାଏ ପିଇବା ପାଇଁ ଡହଳବିକଳ ହେବାକୁ ପଡୁଛି । ଏଭଳି ଅଭାବନୀୟ ଦୃଶ୍ୟ ସାଲେପୁର ବ୍ଲକ ଜଗତପୁର ଥାନା ଅଧୀନ ଗୁଜରପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ।
ଗତ ଜାନୁଆରୀ ମାସରେ ଗୁଜରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପୁଷ୍ପାଞ୍ଜଳି ମଲ୍ଲିକଙ୍କ ପୌରହିତ୍ୟରେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଗୁଜରପୁର ଜୋନ-୧ ଠାରେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ୧.୫ଲକ୍ଷ ଲିଟର ଓ ସୁଜାପୁର ଜୋନ୍-୨ ଠାରେ ୪୦ଲକ୍ଷ ଟଙ୍କା ବ୍ୟୟରେ ୧ଲକ୍ଷ ଲିଟର କ୍ଷମତା ସମ୍ପନ୍ନ ପାଣିଟାଙ୍କି ପ୍ରକଳ୍ପ ଉଦ୍ଘାଟନ କରାଯାଇଥିଲା । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ବସୁଧା ଯୋଜନାରେ ଏହି ଦୁଇ ସ୍ଥାନରେ ପାଣିଟାଙ୍କି ପ୍ରକଳ୍ପକୁ ସାମିଲ କରାଯାଇଥିଲା । ସେ ସମୟରେ ୫ହଜାରରୁ ଉଦ୍ଧ୍ୱର୍ ଜନସଂଖ୍ୟା ବିଶିଷ୍ଟ ଏହି ପଞ୍ଚାୟତବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ପରଲକ୍ଷିତ ହୋଇଥିôଲା । କିନ୍ତୁ ଏହି ଦୁଇ ପାଣିଟାଙ୍କି ଉଦ୍ଘାଟନକୁ ମାତ୍ର ୩ ମାସରୁ ବିତିଥିବା ବେଳେ ପାଣିଟାଙ୍କି ଅଚଳକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଦିନକୁ ଦିନ ଖରାର ପ୍ରକୋପ ଅସହ୍ୟ ହୋଇପଡୁଥିବା ବେଳେ ସ୍ଥାନୀୟ ବାସିନ୍ଦା ଜଳକଷ୍ଟ ସମସ୍ୟାରେ ଅତିଷ୍ଠ ହୋଇପଡୁଛନ୍ତି । ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସମସ୍ତ ରାଜସ୍ୱ ଗ୍ରାମରେ ବିଭିନ୍ନ ଯୋଜନାର ଫଳକ ଲଗାଯାଇଥିବା ବେଳେ ପାନୀୟ ଜଳ ଯୋଗାଣରେ ବିଭାଗ ଫେଲ ମାରିଥିବାରୁ ଲୋକେ ସମାଲୋଚନା କରିବାକୁ ଲାଗିଲେଣି । ସରପଞ୍ଚ ରାଜେଶ୍ୱରୀ ନନ୍ଦି ଦାୟିତ୍ୱ ଗ୍ରହଣ କରିସାରିଛନ୍ତି । ତାଙ୍କ ଦ୍ୱାରା ଜଣେ ପମ୍ପ ଅପରେଟରଙ୍କୁ ନିଯୁକ୍ତି ଦିଆଗଲେ ଖୁବ୍ଶୀଘ୍ର ପାନୀୟ ଜଳଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହୋଇପାରିବ ବୋଲି ସେ ମତ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *