ହେରଫେର ନେଇ ତାତିଲେ କାଉନ୍ସିଲର

ପୌରପାଳିକାର ପ୍ରଥମ ବୈଠକ
ଢେଙ୍କାନାଳ (ଆପ୍ର): ଦୀର୍ଘ ୩ ବର୍ଷ ପରେ ଢେଙ୍କାନାଳ ପୌରପାଳିକାର ପ୍ରଥମ କାଉନ୍ସିଲିଂ ବୈଠକ ବୁଧବାର ପୂର୍ବାହ୍ନରେ ପୌରପାଳିକାର କନଫରେନସିଂ ହଲ୍ରେ ଅନୁଷ୍ଠିତ ହୋଇଯାଇଛି । ନବନିର୍ବାଚିତ ୨୩ଟି ୱାର୍ଡର ସମସ୍ତ କାଉନ୍ସିଲର, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ପୌର ଅଧ୍ୟକ୍ଷା ଜୟନ୍ତୀ ପାତ୍ର, ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କଅଁରଙ୍କ ସମେତ ପୌର ନିର୍ବାହୀ ଅଧିକାରୀ ଏବଂ ଯନ୍ତ୍ରୀ ଉପସ୍ଥିତ ଥିଲେ । ବୈଠକ ଆରମ୍ଭରେ ଜାଗା ମିଶନ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଚଞ୍ଚକତା ଏବଂ ଦୂର୍ନୀତିର ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା । ଢେଙ୍କାନାଳ ପୌରପାଳିକା ଜାଗା ମିଶନର ସଫଳତା କୁ ନେଇ ଜାତୀୟ ସ୍ତରରେ ପୁରସ୍କୃତ ହୋଇ ଡିମ୍ଡିମ ପିଟିଥିବା କର୍ମଚାରୀମାନଙ୍କ କର୍ତ୍ତୃତ୍ୱ ପଦାରେ ପଡିଥିଲା । ପୌର କର୍ତ୍ତୃପକ୍ଷଙ୍କୁ ଆବାସ ଯୋଜନାରେ ସାମିଲ କରିବାପାଇଁ ଅଯୋଗ୍ୟ ହିତାଧିକାରୀ ୨୦ ହଜାର ଟଙ୍କା ଦିଆଯାଇଥିବା ଅଭିଯୋଗ ଉଠିଥିଲା । ଉକ୍ତ ଅଭିଯୋଗକୁ ନେଇ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଉକ୍ତ ବୈଠକରେ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ଓ ଯନ୍ତ୍ରୀ ରଶ୍ମିତା ମିଶ୍ରଙ୍କ ଉପରେ ବର୍ଷିଥିଲେ । ଯଦି ଅଭିଯୋଗ ସତ ହୋଇଥାଏ ମାମଲାକୁ କୋର୍ଟ ପର୍ଯ୍ୟନ୍ତ ନିଆଯିବାର ଚେତାବନୀ ଦେଇଥିଲେ । ପୌରାଞ୍ଚଳରେ ଅନିୟମିତତା ଘଟିବାର କାରଣ ବିଧାୟକଙ୍କ ପ୍ରଶ୍ନ କରିବା ଘଟଣା ତଦନ୍ତ କରି ଉପଯୁକ୍ତ ହିତାଧିକାରୀଙ୍କୁ ଚିହ୍ନଟ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ସେ କହିଥିଲେ ।
ପୌରାଞ୍ଚଳରେ ଥିବା ୨୩ ଗୋଟି ୱାର୍ଡରେ ଡ୍ରେନର ମରାମତି, ଉଠା ଦୋକାନୀଙ୍କୁ ଥଇଥାନ, ଭେଣ୍ଡିଂ ଜୋନର କାର୍ଯ୍ୟକ୍ରମ ଓ ଜଳାଶୟର ପୁନରୁଦ୍ଧାର ପ୍ରସ୍ତାବ ଦିଆଯାଇଥିଲା । ଢେଙ୍କାନାଳ ଗୋପବନ୍ଧୁ ଟାଉନ୍ହଲ ସାମ୍ମାରେ ନବ ନିର୍ମାଣର ପ୍ରକଳ୍ପ କେବଳ ପଇସା ଧୁଳିସାତ ହେବ ଏବଂ ଆଗାମୀ ରଥଯାତ୍ରାରେ ରଥ ଯିବାପାଇଁ ଏହାକୁ ଭଙ୍ଗା ଗଲେ ଅର୍ଥ ବରବାଦ୍ ହେବବୋଲି କିଛି କାଉନ୍ସିଲର ଏହି କଥା ଉଠାଇଥିଲେ । ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ୧୪ଟି ରାଜସ୍ୱ ଗ୍ରାମରେ ଆବାସ ଯୋଜନା ପହଞ୍ଚି ପାରିନଥିବା ଉପସ୍ଥିତ କାଉନ୍ସିଲରମାନେ ଉଦ୍ବେଗ ପ୍ରକାଶ କରିଥିଲେ । ବୈଠକ ଆରମ୍ଭରେ ନବ ନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଆଗାମୀ ଦିନରେ ପ୍ରତ୍ୟେକ ୱାର୍ଡ ପରିଭ୍ରମଣ କରି ଉନ୍ନତି ମୂଳକ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ପଡିବ ବୋଲି କହିଥିଲେ । ବୈଠକରେ ପୌରଯନ୍ତ୍ରୀ ଶ୍ରୀମତୀ ମିଶ୍ର ବାର୍ଷିକ ବିବରଣୀ ପାଠ କରିବା ସହ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *