ଚିଲିକା ମଝିରେ ଫସିଲେ ଶତାଧିକ
ଘାଟ ବିବାଦ ନେଲା ଉଗ୍ରରୂପ
ପୁରୀ (ବୁ୍ୟରୋ): ଘାଟ ବିବାଦ ଯୋଗୁ ଚିଲିକାରେ ଫସି ରହିଲେ ଶତାଧିକ ବ୍ୟକ୍ତି । ଚିଲିକାର ଜହ୍ନିକୁଦା ଘାଟରେ ଡଙ୍ଗା ଲାଗିବାକୁ ଅନୁମତି ଦିଆଯାଇ ନ ଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡ଼ିଛି । ସାତପଡ଼ାରୁ ଆସିଥିବା ୨୦ରୁ ଅଧିକ ଡଙ୍ଗାକୁ କୂଳରେ ଲଗାଇ ଦିଆଯାଇ ନ ଥିଲା । ଅନୁମତି ନ ମିଳିବାରୁ ଚିଲିକା ମଝିରେ ଡଙ୍ଗାରେ ଫସି ରହିଛନ୍ତି ଶତାଧିକ ଯାତ୍ରୀ । ତେବେ ସାତପଡ଼ା-ଜହ୍ନିକୁଦା ଘାଟ ବିବାଦ ଦୀର୍ଘଦିନ ଧରି ଲାଗି ରହିଥିବା ବେଳେ ଚଳିତବର୍ଷ ଦ୍ୱିତୀୟ ବାଲିଯାତ୍ରାକୁ ନେଇ ପୁଣି ବିବାଦ ଆରମ୍ଭ ହୋଇଥିବା ଜଣାପଡ଼ିଛି ।
ଖବରନେବାରୁ ଜଣାଯାଇଛି ଯେ, ପୂର୍ବରୁ ଲାଗି ରହିଥିବା ଘାଟ ବିବାଦ ଶନିବାର ଉଗ୍ରରୂପ ନେଇଥିଲା । ଏହି ବିବାଦ ଅଧିକ ତେଜିବାରୁ ଡଙ୍ଗା ଚଳାଚଳ ଅଧାରେ ଅଟକିଥିଲା । ଜହ୍ନିକୁଦାରୁ ସାତପଡ଼ା ଯାଉଥିବା ଡଙ୍ଗା ଅଧିକ ଯାତ୍ରୀଙ୍କୁ ନେଇ ଯାତାୟାତ କରିଥାଏ । ଆଜି ଡଙ୍ଗା ଖାଲିହେବା ପରେ କିଛି ଯାତ୍ରୀଙ୍କୁ ଆଣିବା ବେଳେ ଏହାକୁ ସାତପଡ଼ା ଡଙ୍ଗା ଚାଳକମାନେ ଦୃଢ଼ ବିରୋଧ କରିଥିଲେ । ଏହାକୁ ନେଇ ଏଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ବିବାଦ ଏତେ ଉଗ୍ରରୂପ ନେଇଥିଲା ଯେ ଯାହାର ଶିକାର ହୋଇଥିଲେ ଯାତ୍ରୀ । ଦୀର୍ଘ ସମୟ ଧରି ଯାତ୍ରୀମାନେ ନାହିଁ ନ ଥିବା ହଇରାଣ ହରକତ ହୋଇଥିଲେ ।