ପ୍ରଶ୍ନ ଘେରରେ ମମତା ସରକାର
କୋଲକତା (ଏଜେନ୍ସି): ପଶ୍ଚିମବଙ୍ଗରେ ଗତ କିଛି ଦିନ ଧରି ଚାଲିଥିବା ଡ୍ରାମାବାଜିକୁ ନେଇ ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବଳ ସରକାର କାହିଁକି, ରାଜ୍ୟ ପୁଲିସ୍ ପ୍ରଶାସନର କାର୍ଯ୍ୟକାରିତା ତଥା ସ୍ୱଚ୍ଛତା ଉପରେ ମଧ୍ୟ ଅଙ୍ଗୁଳି ଉଠିଛି । ପ୍ରାପ୍ତ ସୂଚନାନୁସାରେ ଗତ ୧୮ ଦିନ ମଧ୍ୟରେ ପ୍ରାୟ ୫ଟି ସଂଗୀନ ମାମଲାର ତଦନ୍ତ ଭାର ରାଜ୍ୟ ପୁଲିସ୍ ହାତରୁ କାଢ଼ିନିଆଯାଇ ସିବିଆଇ ଉପରେ ନ୍ୟସ୍ତ କରିଦିଆଯାଇଛି । ପଶ୍ଚିମବଙ୍ଗ ହାଇକୋର୍ଟଙ୍କ ନିଦେ୍ର୍ଦଶକ୍ରମେ ଏହି ୫ଟି ମାମଲାରେ ସିବିଆଇ ଏବେ ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷେ ଏହି ୫ଟି ମାମଲା ମଧ୍ୟରୁ ୩ଟିରେ ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍ସି)ର ନେତାମାନେ ମୁଖ୍ୟ ଅଭିଯୁକ୍ତ ଥିବା ଜାଣିବାକୁ ମିଳିଛି । ଗୋଟିଏ ପଟେ ହାଇକୋର୍ଟଙ୍କ ଏପ୍ରକାର ନିଦେ୍ର୍ଦଶକୁ ରାଜ୍ୟ ସରକାରଙ୍କ ପାଇଁ ଏକ ଜୋରଦାର ଝଟ୍କା ବୋଲି ବିବେଚନା କରାଯାଉଥିବା ବେଳେ ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ ତଦନ୍ତ ଆଳରେ କେନ୍ଦ୍ର ସରକାର ତାଙ୍କ ସରକାର ଉପରେ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରୁଥିବା ନେଇ ଅଭିଯୋଗ କରିବାରେ ଲାଗିଛନ୍ତି ।
ଏକାଧିକ ମାମଲାରେ ପୁଲିସ୍ ଠାରୁ ତଦନ୍ତ ଦାୟିତ୍ୱ କାଢ଼ିନିଆଯାଇ ସିବିଆଇକୁ ହସ୍ତାନ୍ତର କରାଯିବା ଘଟଣାରେ ଅସ୍ତବ୍ୟସ୍ତ ହୋଇପଡିଥିବା ମମତା, ବୁଧବାର ଦିନ ସଚିବାଳୟ ନବାନ୍ନରେ ଏକ ହାଇଲେବଲ୍ ବୈଠକ କରିଛନ୍ତି । ବୈଠକରେ ସିବିଆଇକୁ ତଦନ୍ତ ଦାୟିତ୍ୱ ଦିଆଯିବା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ବେଳେ ଏହାକୁ କିପରି ଏକ ମୁଦ୍ଦା (ପ୍ରସଙ୍ଗ) କରାଯାଇ ବିଜେପିକୁ ଟାର୍ଗେଟ୍ କରାଯାଇପାରିବ ସେନେଇ ରଣନୀତି ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ତେବେ ରାଜ୍ୟରେ ସିବିଆଇର ପ୍ରାଦୂର୍ଭାବ ଯେତେ ଯେତେ ବଢ଼ିବ ମମତା ଏବଂ କେନ୍ଦ୍ର ମଧ୍ୟରେ ରାଜନୈତିକ ଉଷ୍ମତା ସେତେସେତେ ବଢ଼ିଚାଲିବ ବୋଲି ଅନୁମାନ କରାଯାଉଛି । ବୈଠକରେ ରାଜ୍ୟ ଆଇନ୍ ମନ୍ତ୍ରୀ ମଳୟ ଘଟକ, ଆଡଭୋକେଟ୍ ଜେନେରାଲ, ସାଂସଦ କଲ୍ୟାଣ ରଞ୍ଜନଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଗତ ୧୮ ଦିନ ମଧ୍ୟରେ ଯେଉଁ ୫ ବଡ଼ ଘଟଣାରେ ତଦନ୍ତ ଭାର ସିବିଆଇ ହାତକୁ ଯାଇଛି ସେସବୁ ମଧ୍ୟରେ ୨୩ ମାର୍ଚ୍ଚରେ ସଂଘଠିତ ବୀରଭୂମ ହିଂସାକାଣ୍ଡ (୮ଲୋକଙ୍କୁ ଜୀଅନ୍ତା ଜାଳିଦିଆଯାଇଥିଲା), ଭାଦୁ ଶେଖ୍ ହତ୍ୟାକାଣ୍ଡ, ଝାଲଦାରେ କଂଗ୍ରେସ ପାର୍ଷଦ ତପନ୍ କାନ୍ଦୁଙ୍କ ହତ୍ୟାକାଣ୍ଡ, ଏବଂ ଏହି ଘଟଣାରେ ସାକ୍ଷୀ ସାଜିଥିବା ନିରଞ୍ଜନ ବୈଷ୍ଣବଙ୍କ ହତ୍ୟା ଏବଂ ସର୍ବୋପରି ନାଦିଆ ଗଣଦୁଷ୍କର୍ମ ଘଟଣା ଆଦି ସାମିଲ ରହିଥିବା ଜଣାପଡିଛି । ଏସବୁ ଅପରାଧରେ ଅଭିଯୁକ୍ତମାନେ ଟିଏମ୍ସିର ନେତା ବୋଲି ଅଭିଯୋଗ ହୋଇଛି । ପ୍ରକାଶ, କ୍ଷମତାସୀନ ସରକାରରେ ଥିବା ଦଳୀୟ ରାଜନେତାଙ୍କ ସମ୍ପୃକ୍ତି ଥିବା ଅପରାଧ ଘଟଣାରେ ରାଜ୍ୟ ପୁଲିସ୍ ଦ୍ୱାରା ସ୍ୱଚ୍ଛ ତଥା ନିରପେକ୍ଷ ତଦନ୍ତ ସମ୍ଭବପର ହେଉନଥିବାରୁ ଏବଂ ପକ୍ଷପାତିତା ହେବା ସନେ୍ଦହ ରହିଥିବାରୁ କୋର୍ଟ ଏପରି ମାମଲାରେ ସାଧାରଣତଃ ତଦନ୍ତ ଭାର ସିବିଆଇ ଉପରେ ନ୍ୟସ୍ତ କରିବା ଦେଖିବାକୁ ମିଳିଥାଏ ।