ଦିନ ୧୧ରୁ ୩ ଶ୍ରମିକଙ୍କୁ କାମ ମନା

ଜିଲ୍ଲାସ୍ତରୀୟ ଅଂଶୁଘାତ ପରିଚାଳନା ବୈଠକ
ପୁରୀ (ବୁ୍ୟରୋ): ଜିଲ୍ଲାସ୍ତରୀୟ ଅଂଶୁଘାତ ପରିଚାଳନା ବୈଠକ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଜିଲ୍ଲା ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆୟୋଜିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ । ଖରାଦିନରେ ଅସହ୍ୟ ଗୁଳୁଗୁଳି ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାନୀୟ ଜଳ ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି । ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରରେ ପିଇବା ପାଣି, ଯାତ୍ରୀବାହୀ ବସ୍ରେ ବସିବା କ୍ଷମତା ଠାରୁ ଅଧିକ ଯାତ୍ରୀ ବହନ ନ କରିବା ଓ ଜରୁରୀ ନିମନ୍ତେ ବରଫ ବକ୍ସ ରଖିବା, ସମସ୍ତ ଡାକ୍ତରଖାନାରେ ଅଂଶୁଘାତ ରୋଗୀମାନଙ୍କ ପାଇଁ ସ୍ୱତନ୍ତ୍ର ଶଯ୍ୟା ପ୍ରସ୍ତୁତ ରଖିବା, ଦିନ ୧୧ରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ ନିର୍ମାଣ କାମରେ ନିୟୋଜନ ନ କରିବା, ହାଟ ଓ ବଜାର ଭଳି ଜନଗହଳି ସ୍ଥାନରେ ଜଳଛତ୍ର ବ୍ୟବସ୍ଥା କରିବାକୁ ବିଡିଓ, ତହସିଲଦାର୍ ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିଦେ୍ର୍ଦଶ ଦେଇଛନ୍ତି ।
ପାନୀୟ ଜଳ ସମସ୍ୟା ସଂକ୍ରାନ୍ତୀୟ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ ଜ୍ୟୋତିଶଙ୍କର ମହାପାତ୍ର ବିଡିଓମାନଙ୍କୁ ପରାମର୍ଶ ଦେଇଛନ୍ତି । ସେହିଭଳି ବୁଲା ପଶୁ ଓ ପକ୍ଷୀମାନଙ୍କ ପାଇଁ ସ୍ଥାନେ ସ୍ଥାନେ ପାଣି ବ୍ୟବସ୍ଥା, ଘର ଛାତ ଉପରେ ପକ୍ଷୀମାନଙ୍କ ନିମନ୍ତେ ପାଣି ପାତ୍ର ରଖିବା ପାଇଁ ସଚେତନତା ସୃଷ୍ଟି କରିବାକୁ ଶ୍ରୀ ମହାପାତ୍ର କହିଛନ୍ତି । ଅଂଶଘାତର ମୁକାବିଲା ଓ ରକ୍ଷା ପାଇବା ଉପାୟ ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆପଦକାଳୀନ ଅଧିକାରୀ ଜିତେନ୍ଦ୍ର କୁମାର ପାତ୍ର, ଉପ ଆରକ୍ଷୀ ଅଧୀକ୍ଷକ ହେମନ୍ତ କୁମାର ପଣ୍ଡା, ମେଡିକାଲ୍ ଅଧିକାରୀ ଡଃ ଶାନ୍ତନୁ ଜେନା, ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳେଇ, ଶିକ୍ଷା ଅଧିକାରୀ ମମତା ମିଶ୍ର, ଜିଲ୍ଲା ପ୍ରକଳ୍ପ ଅଧିକାରୀ ସୁକାନ୍ତ କୁମାର ଦାଶ, ଜିଲ୍ଲା ସଂଯୋଜକ ଆଶୁତୋଷ ଦାଶ, ସମସ୍ତ ବିଡିଓ ଓ ତହସିଲଦାର୍, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *