୨ କୋଟିର ଯନ୍ତ୍ରପାତି ଉଦ୍ଘାଟିତ
ବ୍ରହ୍ମପୁରକୁ ସ୍ୱଚ୍ଛ ସୁନ୍ଦର କରିବା ପାଇଁ ପଦକ୍ଷେପ
ବ୍ରହ୍ମପୁର (ବୁ୍ୟରୋ): ମହାନଗର ନିର୍ବାଚନ ପରେ ନିର୍ବାଚିତ ମେୟର, ଡେପୁଟି ମେୟର ଓ କର୍ପୋରେଟରଙ୍କ ୱାର୍ଡକୁ ସ୍ୱଚ୍ଛ ସୁନ୍ଦର ରଖିବା ପାଇଁ ନିଗମ ପକ୍ଷରୁ ଏକ ନୂଆ ପଦକ୍ଷେପ ହାତକୁ ନିଆଯାଇଛି । ଅତ୍ୟାଧୁନିକ ଜ୍ଞାନକୌଶଳ ଅବଲମ୍ବନକରି ନିଗମ ଅଞ୍ଚଳରେ ସଫେଇ କାର୍ଯ୍ୟରେ ଅଗ୍ରଗତି ଓ କର୍ମଚାରୀଙ୍କ ନିରାପତ୍ତା ଦୃଷ୍ଟିରୁ ସଫେଇ ଯାନର ବ୍ୟାପକ ବ୍ୟବହାର ଆରମ୍ଭ ହୋଇଛି । ସୋମବାର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ହାତପାଣ୍ଠିରୁ ଅତ୍ୟାଧୁନିକ ଯନ୍ତ୍ରପାତି ରହିଥିବା ଶୀତତାପ ନିୟନ୍ତ୍ରିତ ଏକ ଆମ୍ବୁଲାନ୍ସକୁ ବ୍ରହ୍ମପୁରବାସୀଙ୍କ ପାଇଁ ଉତ୍ସର୍ଗୀକୃତ କରାଯାଇଛି । ଏହାସହ ବିଭିନ୍ନ ସଫେଇ ଯାନ ଉଦ୍ଘାଟିତ ହୋଇଛି । ଅତିଥି ଭାବେ ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ଶୁଭାରମ୍ଭ କରିଥିଲେ ।
ଅନ୍ୟତମ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକ ସିନେ୍ଧ ଦତାତ୍ରୟ ଭାଉସାହେବ, ଉପଜିଲ୍ଲାପାଳ ଭି.କୀର୍ତ୍ତିଭାସନ, ନିଗମ କମିଶନର ସିଦେ୍ଧଶ୍ୱର ବିଳରାମ ବୋନ୍ଦାର, ଅତିରିକ୍ତ କମିଶନର ଆଶୁତୋଷ ସାମଲ, ଡେପୁଟି କମିଶନର ଅଦୈତ୍ୟ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ସଫେଇ କର୍ମଚାରୀଙ୍କ ନିରାପତ୍ତା ସହ ସେମାନଙ୍କ ମଧ୍ୟରେ ଆତ୍ମ ନିର୍ଭରଶୀଳତାକୁ ଗୁରୁତ୍ୱଦେବା ଲକ୍ଷ୍ୟରେ ନିଗମ କର୍ତ୍ତୃପକ୍ଷ ଏଭଳି ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରିଥିବା କୁହାଯାଇଛି । ସ୍ୱଚ୍ଛତା ଉଦ୍ୟମୀ ଯୋଜନା ଅନ୍ତର୍ଗତ ଜାତୀୟ ସଫେଇ କର୍ମଚାରୀ ବିକାଶ ସଂସ୍ଥାନ ଆନୁକୁଲ୍ୟରେ ଏହି ଯାନର ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି । ବିଧାୟକଙ୍କ ହାତପାଣ୍ଠିରୁ ୩୮ ଲକ୍ଷ ଟଙ୍କା ବିନିମୟରେ ଆମ୍ବୁଲାନ୍ସର ଶୁଭାରମ୍ଭ ହୋଇଥିବା ବେଳେ ମଶା ପ୍ରାର୍ଦୁଭାବକୁ ରୋକିବା ପାଇଁ ୩.୮୪ ଲକ୍ଷ ଟଙ୍କାରେ ୫ଟି ଫୋଗ୍ ମେଶିନ୍ର ଶୁଭାରମ୍ଭ କରାଯାଇଛି । ସେହିଭଳି ୧କୋଟି ୯୪ ଲକ୍ଷ ୧୫ ହଜାର ୬୦୬ ଟଙ୍କା ବିନିମୟରେ ୧୧ଟି ଯନ୍ତ୍ର ବିଭିନ୍ନ କାର୍ଯ୍ୟପାଇଁ ଶୁଭାରମ୍ଭ କରାଯାଇଛି । ଏଥିରେ ଡିଷ୍ଟେଲିଂ ମେଶିନ୍, ଜେଟିଂ ମେଶିନ୍, ସକ୍ସନ୍ ମେଶିନ୍, ଗ୍ରାବିଂ ମେଶିନ୍, ଫୋଗିଂ ମେଶିନ୍, ଅଳିଆ ସଂଗ୍ରହ ପାଇଁ ବ୍ୟାଟେରୀ ଚାଳିତ ଯାନ ପ୍ରମୁଖ ଯନ୍ତ୍ର ରହିଛି । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମହାନଗର ନିଗମର ସମସ୍ତ କର୍ପୋରେଟରଙ୍କ ସମେତ ନିର୍ବାହୀଯନ୍ତ୍ରୀ ବସନ୍ତ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।