୧୮+ଙ୍କୁ ରବିବାର ଠାରୁ ବୁଷ୍ଟର୍ ଡୋଜ୍

ନୂଆଦିଲ୍ଲୀ, ୮ା୪: ଆସନ୍ତା ୧୦ ତାରିଖ ରବିବାର ଠାରୁ ୧୮ ବର୍ଷରୁ ଅଧିକ ବୟସର ସବୁ ଲୋକଙ୍କ ପାଇଁ କରୋନା ଭାଇରସ୍ ଟିକାର ତୃତୀୟ ବା ବୁଷ୍ଟର୍ ଡୋଜ୍ ଘରୋଇ ଟିକାକରଣ କେନ୍ଦ୍ରଗୁଡ଼ିକରେ ଉପଲବ୍ଧ ହେବ ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ, ଯେଉଁମାନଙ୍କ ବୟସ ୧୮ ବର୍ଷରୁ ଅଧିକ ଏବଂ ଯେଉଁମାନେ ଟିକାର ଦ୍ୱିତୀୟ ଡୋଜ୍ ନେବା ୯ ମାସ ହୋଇଗଲାଣି, ସେମାନେ ଘରୋଇ ଟିକାକରଣ କେନ୍ଦ୍ରରେ ବୁଷ୍ଟର୍ ଡୋଜ୍ ନେଇପାରିବେ ।
ସରକାରୀ ଟିକାକରଣକେନ୍ଦ୍ର ମାଧ୍ୟମରେ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଟିକାର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ସହିତ ୬୦ରୁ ଅଧିକ ବୟସର ଲୋକ ଓ ସ୍ୱାସ୍ଥ୍ୟ କର୍ମୀ ଓ ଫ୍ରଣ୍ଟ୍ଲାଇନ୍ ୱାର୍କର୍ମାନଙ୍କ ପାଇଁ ମାଗଣା ଟିକାକରଣ ଅଭିଯାନ ଜାରି ରହିବ ।
ଘରୋଇ କେନ୍ଦ୍ରରେ କୋଭିଶିଲ୍ଡ ଟିକା ନେବା ପାଇଁ ୧୮+ଙ୍କୁ ୬୦୦ ଟଙ୍କା ଖର୍ଚ୍ଚ କରିବାକୁ କରିବ ପଡ଼ିବ । ଏ ସମ୍ପର୍କରେ ଅଧିକ ସୂଚନା ଦେଇ ସିରମ୍ ଇନ୍ଷ୍ଟିଚୁ୍ୟଟର ମୁଖ୍ୟ ପୁନାୱାଲା କହିଛନ୍ତି କୋବୋଭାକ୍ସ ବୁଷ୍ଟର୍ ଟିକାରୂପେ ସ୍ୱୀକୃତି ପାଇଲା ପରେ ତାହା ୯୦୦ ଟଙ୍କାରେ ଉପଲବ୍ଧ ହେବ । କୋଭିଶିଲ୍ଡ୍କୁ ବୁଷ୍ଟର୍ ଡୋଜ୍ ଭାବେ ସ୍ୱୀକୃତି ମିଳିଛି । ଏପର୍ଯ୍ୟନ୍ତ ଦେଶରେ ୧୫ରୁ ଅଧିକ ବୟସର ପ୍ରାୟ ୯୬ ପ୍ରତିଶତ ଲୋକଙ୍କୁ ଟିକାର ଗୋଟିଏ ଡୋଜ୍, ୮୩% ଲୋକଙ୍କୁ ୨ଟି ଡୋଜ୍ ଦିଆଯାଇଛି । ୧୨ରୁ ୧୫ ବର୍ଷ ବୟସ ବର୍ଗର ପ୍ରାୟ ୪୫% ପିଲା ପ୍ରଥମ ଡୋଜ୍ ନେଇସାରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଭାରତରେ ଗତବର୍ଷ ଏପି୍ରଲ୍ ୧ରୁ ୪୫ ବର୍ଷରୁ ଅଧିକ ବୟସର ସବୁ ଲୋକଙ୍କୁ ପାଇଁ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ଗତ ବର୍ଷ ମେ’ ୧ରୁ ୧୮+ଙ୍କୁ ଟିକା ନେବାଲାଗି ଅନୁମତି ମିଳିଥିଲା । ଚଳିତ ବର୍ଷ ଜାନୁଆରୀ ୩ରୁ ୧୫-୧୮ ବୟସ ବର୍ଗର କିଶୋରଙ୍କ ପାଇଁ ଆରମ୍ଭ ହୋଇଥିଲା ଟିକାକରଣ ଅଭିଯାନ । ତାଜା ସୂଚନା ଅନୁଯାୟୀ ୫ ରାଜ୍ୟ ଯଥା ଦିଲ୍ଲୀ, ହରିଆଣା, କେରଳ, ମହାରାଷ୍ଟ୍ର ଓ ମିଜୋରାମରେ କରୋନା ସଂକ୍ରମଣ ମାମଲା ବଢିବା ରିପୋର୍ଟ ମିଳିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସମ୍ପୃକ୍ତ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ପଠାଯାଇ ଆବଶ୍ୟକ ଜରୁରୀ ପଦକ୍ଷେପ ନେବା ଲାଗି ପରାମର୍ଶ ଦିଆଯାଇଛି । ଗତ ୨୪ ଘଣ୍ଟାରେ ଦେଶରେ କରୋନାର ୧୧୦୯ଟି ନୂଆ ମାମଲା ସାମ୍ନାକୁ ଆସିଛି । ୨୩ ଜଣ ସଂକ୍ରମିତ ରୋଗୀ ପ୍ରାଣ ହରାଇବା ଫଳରେ କରୋନା ମୃତୁ୍ୟ ସଂଖ୍ୟା ୫ ଲକ୍ଷ ୨୧ ହଜାର ୫୭୩ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *