ଲଘୁଚାପ ବାତ୍ୟା ରୂପ ନେଇପାରେ

ଭୁବନେଶ୍ୱର,୪ା୪(ବୁ୍ୟରୋ): ଆସନ୍ତା ୫ ତାରିଖ ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୭ ବେଳକୁ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ତେବେ ଏହା ବାତ୍ୟାରେ ପରିଣତ ହେବ କି ନାହିଁ, କିଛି ମଡେଲ ଅସହମତି ପ୍ରକାଶ କରିଥିବାବେଳେ ଗୋଟିଏ ମଡେଲ ବାତ୍ୟା ରୂପ ନେବ ବୋଲି ଦର୍ଶାଇଛି । ଘୂର୍ଣ୍ଣିବଳୟଟି ଲଘୁଚାପ ରୂପ ନେବା ପରେ ସ୍ପଷ୍ଟ ଚିତ୍ର ଆସିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷୁଛି ।
ପାଣିପାଗ ବିଭାଗର କହିବା ଅନୁଯାୟୀ, ସୋମବାର ଟିଟାଲଗଡରେ ସର୍ବାଧିକ ତାପମାତ୍ରା ୪୨.୫ ଡିଗ୍ରୀ ଥିବାବେଳେ ବଲାଙ୍ଗୀରରେ ୪୨.୬ ଡିଗ୍ରୀ ଓ ବୌଦ୍ଧରେ ୪୨ଡିଗ୍ରୀ ରେକର୍ଡ କରାଯାଇଛି । ଏହାସହ ଝାରସୁଗୁଡାରେ ୪୦.୮ଡିଗ୍ରୀ, ସୋନପୁର ଓ ଭବାନୀପାଟଣାରେ ୪୦.୬ଡିଗ୍ରୀ, ସମ୍ବଲପୁରରେ ୪୦.୧, ସୁନ୍ଦରଗଡରେ ୪୦.୫ ଡିଗ୍ରୀ ରେକର୍ଡ ହୋଇଛି । ତେବେ ଉପକୂଳରେ ତାତି କମିଛି । ସମୁଦ୍ର ଆଡୁ ପବନ ବୋହୁଥିବାରୁ ଉପକୂଳ ଅଞ୍ଚଳରେ ପାରଦ ୩୫ଡିଗ୍ରୀ ଭିତରେ ରହିଛି । ବାଲେଶ୍ୱରରେ ସବୋର୍ଚ୍ଚ ତାପମାତ୍ରା ୩୪.୬, ପାରାଦୀପରେ ୩୧.୫, ପୁରୀରେ ୩୧.୮, ଭୁବନେଶ୍ୱରରେ ୩୪.୪ ଓ କଟକରେ ୩୪.୨ ଡିଗ୍ରୀ ତାପମାତ୍ରା ରହିଛି । ମଙ୍ଗଳବାର ମାଲାକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ମୟୁରଭଞ୍ଜ, ବାଲେଶ୍ୱର ଜିଲ୍ଲାରେ ସ୍ଥାନେ ସ୍ଥାନେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ସେହିପରି ୬ ତାରିଖରେ ମାଲାକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଜିଲ୍ଲାଗୁଡିରେ କାଳବୈଶାଖୀ ବର୍ଷାର ଆଶଙ୍କା କରିଛି ପାଣିପାଗ ବିଭାଗ ।
କୃଷି ପଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବା ପରେ ଗତିପଥ କ’ଣ ରହିବ ଏବଂ କେତେ ଘନୀଭୂତ ହେବ, ତାହା ଜଣାପଡ଼ିବ । ବିଭିନ୍ନ ମଡେଲ ମଧ୍ୟରେ ସହମତି ନାହିଁ । ୟୁରୋପିଆନ ମଡେଲ, ଅଷ୍ଟ୍ରେଲିଆନ ମଡେଲ ଓ ଜର୍ମାନ ମଡେଲ କହୁଛି ଯେ ଲଘୁଚାପ ହେବାପରେ ଏହା ବିଶେଷ ଘନୀଭୂତ ହେବ ନାହିଁ । ଏହା ପଶ୍ଚିମ ଆଡକୁ ଗତି କରି ତାମିଲନାଡୁ ଓ ସଂଲଗ୍ନ ଆନ୍ଧ୍ର ଉପକୂଳକୁ ଗତି କରିବ ।
ସେତେବେଳକୁ ଏହା ଦୁର୍ବଳ ହୋଇଯିବ ବୋଲି ଆକଳନ କରାଯାଇଛି । ତେବେ ଏନ୍ସିଇପି-ଜିଏଫ୍ଏସ୍ ମଡେଲ କହୁଛି ଯେ ଏହା ୭ ରେ ଲଘୁଚାପ ରୂପ ନେବା ପରେ ୯ରେ ଅବପାତ ଓ ୧୧ରେ ବାତ୍ୟାରେ ପରିଣତ ହୋଇପାରେ । ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ସେତେବେଳକୁ ଦକ୍ଷିଣ ବଙ୍ଗୋପସାଗରେ ଏହା ଥିବ । ପରେ କିଛି ସମୟ ଉତ୍ତର ଦେଇ ଦିଗ ପରିବର୍ତ୍ତନ କରି ମିଅାଁମାର-ବାଂଲାଦେଶ ଯାଇପାରେ । ଦିଗ ପରିବର୍ତ୍ତନ ନକଲେ ଦେଶର ଉପକୂଳ ଛୁଇଁପାରେ । ପୂର୍ବ ବାତ୍ୟାକୁ ଧରିନେଲେ ଫନି ବାତ୍ୟା ଏପ୍ରିଲ ମାସରେ ସୃଷ୍ଟି ହୋଇ ମେ ୩ରେ ପୁରୀ ଛୁଇଁଥିଲା । ତେବେ ଜଳବାୟୁ ପରିବର୍ତ୍ତନ ହେତୁ ବହୁ ନୂଆନୂଆ କଥା ସୃଷ୍ଟି ହେଉଥିବାରୁ ଏହାର ଗତିପଥ କ’ଣ ହେବ ବର୍ତ୍ତମାନ କହିହେବନି । ଲଘୁଚାପ ସୃଷ୍ଟି ହେବାର ୪୮ଘଣ୍ଟା ପରେ ଅର୍ଥାତ୍ ୯ ତାରିଖ ବେଳକୁ ଅଧିକ ସ୍ପଷ୍ଟ ଚିତ୍ର ଆସିବ ବୋଲି ଶ୍ରୀ ପଶୁପାଳକ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *