୧୧ ଲକ୍ଷର ବ୍ରାଉନସୁଗର୍ ଜବତ: ୨ ଗିରଫ
ପୁରୀ ପୁଲିସକୁ ପୁଣି ବଡ଼ ସଫଳତା
ପୁରୀ (ବୁ୍ୟରୋ): ପୁରୀ ହେବ ନିଶାମୁକ୍ତ । ଏହି ଅଭିଯାନକୁ ଶତପ୍ରତିଶତ ସଫଳ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି ଏସ୍ପି କନୱାର ବିଶାଲ ସିଂ । ସୋମବାର ବାସେଳୀ ସାହି ଥାନା ପୁଲିସ ୨ ଆନ୍ତଃଜିଲ୍ଲା ନିଶା ବ୍ୟବସାୟୀକୁ ଗିରଫ କରି କୋର୍ଟଚାଲାଣ କରିଛି । ଏହି ଦୁଇଜଣଙ୍କ ମଧ୍ୟରେ ଜଣେ ନାବାଳକ ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟବସାୟୀଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ସେ ହେଲା ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ଗୁରୁଜଙ୍ଗର ସର୍ବେଶ୍ୱର ବେହେରା(ବାପି) । ସେମାନଙ୍କ ଠାରୁ ପୁଲିସ ୧୧୦ଗ୍ରାମ୍ ବ୍ରାଉନ୍ ସୁଗର, ୨ଟି ସ୍କୁଟି, ୬ ମୋବାଇଲ୍ ଓ ୧୧୦୦ଟଙ୍କା ଜବତ କରାଯାଇଥିବା ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍ପି ମିହିର କୁମାର ପଣ୍ଡା ।
ଶ୍ରୀ ପଣ୍ଡା ଆହୁରି ମଧ୍ୟ କହିଛନ୍ତି ଯେ, ପୁରୀକୁ ନିଶାମୁକ୍ତ କରିବା ଲାଗି ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ଗତ ରବିବାର ସନ୍ଧ୍ୟାରେ ପୁରୀ-ସାତପଡ଼ା ୩୧୬ନଂ ଜାତୀୟ ରାଜପଥରେ ଦୁଇ ସ୍କୁଟିରେ ପୁରୀକୁ ସର୍ବେଶ୍ୱର ସହ ଜଣେ ନାବାଳକ ବ୍ରାଉନ୍ ସୁଗର ନେଇ ଆସୁଥିବା ପୁଲିସକୁ ସୁରାକ୍ ମିଳିଥିଲା । ସଙ୍ଗେ ସଙ୍ଗେ ଏସ୍ଟିଏଫ୍ ଟିମ୍ ଏବଂ ବାସେଳୀ ସାହି ପୁଲିସ ପକ୍ଷରୁ ମିଳିତ ଭାବେ ଫ୍ଲୋରିସ୍ ଇଣ୍ଡିଆଠାରେ ବାଇକ୍କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ପୁଲିସ ସେମାନଙ୍କଠାରୁ ବ୍ରାଉନ୍ ସୁଗର ପାଇଥିଲା । ପୁଲିସ ସେମାନଙ୍କୁ ଥାନାରେ ଅଟକ ରଖି ତଦନ୍ତ ପରେ ଜାଣିବାକୁ ପାଇଥିଲା ସେମାନେ ଆନ୍ତଃଜିଲ୍ଲା ନିଶା ବ୍ୟବସାୟୀ । ଏନେଇ ପୁଲିସ ନିଜ ଆଡୁ ୭୮/୨୨ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି ।