କିଏ ଭାଙ୍ଗିଲା ରୋଷଘର ଚୁଲି?

ପୁରୀ, ୪ା୪(ବୁ୍ୟରୋ): ରୋଷଶାଳା ଚୁଲି ଭଙ୍ଗା ଘଟଣା ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ପଦାରେ ପଡ଼ିଛି । ଏହା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହିତ ଜଡ଼ିତ ହୋଇଥିବା ଦୃଷ୍ଟିରୁ ଘଟଣାର ଗୁରୁତ୍ୱ ଉପଲବ୍ଧ କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପ୍ରାତ୍ର ଓ ଡିଜିପି ସୁନୀଲ ବଂଶଲ ଶ୍ରୀମନ୍ଦିର ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୁଲି ଭଙ୍ଗା ସଂକ୍ରାନ୍ତରେ ସିଂହଦ୍ୱାର ଥାନାରେ ଅଭିଯୋଗ କରାଯାଇଛି ଏବଂ ପୁଲିସ ପକ୍ଷରୁ ତଦନ୍ତ ନିମିତ୍ତ ୫ ଜଣିଆ ଟିମ୍ ଗଠନ କରାଯାଇଛି । ସିସି ଟିଭି ଫୁଟେଜ୍ରୁ ତିନି ଜଣଙ୍କୁ ଚିହ୍ନଟ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ସୋମବାର ମୁଖ୍ୟ ସଚିବ ଶ୍ରୀ ମହାପ୍ାତ୍ର ଓ ଡିଜିପି ବଂଶଲ ଶ୍ରୀମନ୍ଦିରକୁ ଯାଇ ରୋଷଶାଳା ବୁଲି ଦେଖିବା ସହ ସେବାୟତ, ଜିଲ୍ଲାପାଳ ଓ ଏସ୍ପିଙ୍କ ସହିତ ଆଲୋଚନା କରିଛନ୍ତି । ଆଲୋଚନା ପରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସୁଚନା ଦେଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ସେ ଏବଂ ଡିଜିପି ଘଟଣାସ୍ଥଳ ପରିଦର୍ଶନ କରିଛୁ । ଘଟଣାକୁ ରାଜ୍ୟ ସରକାର ଗୁରୁତର ସହ ଗ୍ରହଣ କରିଛନ୍ତି । ଏ ସଂକ୍ରାନ୍ତରେ ଥାନାରେ ଏତଲା ଦିଆଯାଇଛି । ମାତ୍ର ରାତିରେ ଲୁଚି ରହି ଚୁଲି ଭାଙ୍ଗିଛି ଦୁର୍ବୃତ୍ତ ।
ସିସିଟିଭି ଫୁଟେଜ ଅନୁଯାୟୀ ଜଣେ ବ୍ୟକ୍ତିଙ୍କୁ ମନ୍ଦିର ଭିତରେ ରହିଥିବା ଦେଖିବାକୁ ମିଳିଛି । ସୁରକ୍ଷା ନିମିତ୍ତ ମନ୍ଦିରରେ ଅଧିକ ଜେଟିପି ଓ ପୁଲିସଙ୍କୁ ନିୟୋଜିତ କରାଯିବ । ଯେଉଁ ସ୍ଥାନମାନଙ୍କରେ ସିସିଟିଭି ନାହିଁ ସେଠାରେ ସିସିଟିଭି ଲଗାଯିବ । ସୁଆର-ମହାସୁଆର ସେବାୟତଙ୍କ ମଧ୍ୟରେ ସେଭଳି କିଛି ମନୋମାଳିନ୍ୟ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଡିଜି ସୁନିଲ ବଂଶଲ କହିଛନ୍ତି, ଏକ ୫ଜଣିଆ ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ସିସିଟିଭି ଫୁଟେଜ୍କୁ ଫୋରେନ୍ସିକ୍ ଲ୍ୟାବ୍କୁ ପଠାଯିବ । ସିସିଟିଭି ବ୍ୟବସ୍ଥାକୁ ଅଧିକ ସୁଦୁଢ କରାଯିବ ।
କେତେକ ସ୍ଥାନରେ ସିସିଟିଭିର ଆବଶ୍ୟକତା ରହିଛି ସେଠାରେ ହାଇ ରିଜୋଲୁ୍ୟସନ୍ ସିସିଟିଭି ଲଗାଯିବ । ଚୁଲି ଭଙ୍ଗା ପଛରେ ଷଢଯନ୍ତ୍ର ରହିଥିବା ଜଣାପଡୁଛି । ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ । ସୂଚନାଯୋଗ୍ୟ, ରବିବାର ସକାଳେ ରୋଷଶାଳା ଦ୍ୱାର ଖୋଲିବା ବେଳେ ଚୁଲି ଭଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *