ମଦ ବିକ୍ରିକୁ ବିରୋଧ କରିବାରୁ ମହିଳାଙ୍କୁ ମାଡ଼
ତିହିଡ଼ି (ଆପ୍ର): ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ପୀରହାଟ ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ବାଲିଘାଇ ଗ୍ରାମରେ ଜଣେ ବ୍ୟକ୍ତି ତାଙ୍କ ଘରେ ଚୋରା ମଦ ବିକ୍ରି କରିଆସୁଛନ୍ତି । ଏହି ଖବର ପାଇବା ପରେ ଗ୍ରାମର ସ୍ୱୟଂସହାୟକ ଗୋଷ୍ଠୀର ସମ୍ପାଦିକା ମମତା ବେହେରା ଗ୍ରାମରେ ଚୋରା ମଦ ବିକ୍ରିକୁ ବିରୋଧ କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ସମ୍ପୃକ୍ତ ଚୋରାମଦ ବ୍ୟବସାୟୀ ଓ ତାଙ୍କ ସହଯୋଗୀ ମମତାଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ମାଡ଼ ମାରି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଅଭିଯୋଗ ଅନୁସାରେ, ଶୁକ୍ରବାର ସନ୍ଧ୍ୟା ୭ଟା ସମୟରେ ବାଲିଘାଇ ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ଘରେ ମଦ ବିକ୍ରି କରୁଥିବା ସମ୍ପର୍କରେ ମମତା ଜାଣିବାକୁ ପାଇଥିଲେ । ପରେ ମମତା ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟକୁ ଯାଇ ଗାଁରେ କାହିଁକି ମଦ ବିକ୍ରି କରୁଛ ବୋଲି କହିଥିଲେ । ସମ୍ପୃକ୍ତ ବ୍ୟକ୍ତି ମମତାଙ୍କ କଥାକୁ କର୍ଣ୍ଣପାତ ନ କରି ତାଙ୍କୁ ଗାଳି ଗୁଲଜ କରିଥିଲେ । ପରେ ମହିଳା ଗୋଷ୍ଠୀ ସଦସ୍ୟାମାନେ ଏକ ମଦ ବିରୋଧୀ ଶୋଭାଯାତ୍ରାରେ ବାହାରି ଗ୍ରାମରେ ଚୋରମଦ ବିକ୍ରି ନ କରିବାକୁ ଦାବି କରିଥିଲେ । ଫଳରେ ମଦ ବିକ୍ରେତା ଓ ତାଙ୍କର କେତେକ ସହଯୋଗୀ ଉତ୍ତ୍ୟକ୍ତ ହୋଇ ମମତାଙ୍କୁ ମାଡ଼ ମାରି ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଦର୍ଶାଯାଇଛି । ଏ ସମ୍ପର୍କରେ ମମତାଙ୍କ ସମେତ ପାର୍ବତୀ ସ୍ୱାଇଁ, ମାଧବୀଲତା ରାଉତ, ବାସନ୍ତୀ ବେହେରା, ଜାନକୀ ବେହେରା, ସୁପ୍ରଭା ପ୍ରଧାନ, ମୀନତି ପ୍ରଧାନ, କୁନିରାଣୀ ଲେଙ୍କା, କୁସୁମ ରାଉତ, ସତ୍ୟଭାମା ରାଉତ, ଶୈଳବାଳା ରାଉତ, ମାନସୀ ପ୍ରଧାନ, ଅହଲ୍ୟା ଲେଙ୍କା, ସୀତା ଲେଙ୍କା, ଲକ୍ଷ୍ମୀପ୍ରିୟା ରାଉତ, ନୟନା ଲେଙ୍କା, ସରସ୍ୱତୀ ସ୍ୱାଇଁ ପ୍ରମୁଖ ଶତାଧିକ ମହିଳା ପୀରହାଟ ଥାନାରେ ଚୋରାମଦ ବିକ୍ରେତା ଓ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।