କେକେଆର୍ର ଦ୍ୱିତୀୟ ବିଜୟ

ମୁମ୍ବାଇ, ୧ା୪ (ଏଜେନ୍ସି)

ଉମେଶ ଯାଦବଙ୍କ ନେତୃତ୍ୱରେ ଘାତକ ବୋଲିଂ ପ୍ରଦର୍ଶନ ପରେ ଆନେ୍ଦ୍ର ରସେଲ୍ଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ୍ ସହାୟତାରେ କୋଲକାତା ନାଇଟ୍ ରାଇଡର୍ସ ଶୁକ୍ରବାର ଚଳିତ ଆଇପିଏଲ୍ର ଅଷ୍ଟମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ ୬ ୱିକେଟ୍ରେ ପରାସ୍ତ କରିଛି । କେକେଆର୍ର ଏହା ତୃତୀୟ ମ୍ୟାଚ୍ରୁ ଦ୍ୱିତୀୟ ବିଜୟ । ଅନ୍ୟପଟେ, ପଞ୍ଜାବର ଏହା ଦ୍ୱିତୀୟ ମ୍ୟାଚ୍ରୁ ପ୍ରଥମ ପରାଜୟ । ପଞ୍ଜାବ ୧୩୮ ରନ୍ର ସହଜ ବିଜୟଲକ୍ଷ୍ୟ ଦେଇଥିବା ବେଳେ କୋଲକାତା ୧୫ତମ ଓଭର୍ରେ ବିଜୟୀ ହୋଇଥିଲା । ଉମେଶ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ୱାଙ୍ଖେଡ଼େ ଗ୍ରାଉଣ୍ଡରେ କେକେଆର୍ର ଅଧିନାୟକ ଶ୍ରେୟାସ ଆୟର ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ଟିମ୍ ୧୮.୨ ଓଭର୍ରେ ୧୩୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ମାତ୍ର ୨ ରନ୍ରେ ଟିମ୍ର ଓପ୍ନିଂ ଯୋଡ଼ି ଭାଙ୍ଗିଥିଲା । ଅଧିନାୟକ ମୟଙ୍କ ଅଗ୍ରୱାଲ୍ ୧ ରନ୍ କରି ଉମେଶ ଯାଦବଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ଶିଖର ଧାବନ୍ ନୂଆ ବ୍ୟାଟର୍ ଭାନୁକା ରାଜପାକ୍ଷଙ୍କ ସହ ମିଶି ୪୧ ରନ୍ ଯୋଗ କରିଥିଲେ, ଯାହାକି ଟିମ୍ରେ ସର୍ବାଧିକ ଭାଗୀଦାରୀ । ରାଜପାକ୍ଷ ୩୧ ରନ୍ କରି ଶିବମ୍ ମାଭୀଙ୍କ ବଲ୍ରେ ଓ ଶିଖର ଧାବନ୍ ୧୬ ରନ୍ କରି ଟିମ୍ ସାଉଦୀଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ୱିକେଟ୍ ପତନ ଜାରି ରହିଥିଲା । ୧୦୨ ରନ୍ ମଧ୍ୟରେ ଟିମ୍ ୮ ୱିକେଟ୍ ହରାଇଥିଲା । ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ (୧୯), ରାଜ୍ ବାୱା (୧୧), ଶାହରୁଖ ଖାଁ (୦), ହରପ୍ରୀତ ବ୍ରାର୍ (୧୪), ରାହୁଲ ଚାହର (୦) କାହା ପ୍ରଦର୍ଶନ ବି ଆଶାଜନକ ନ ଥିଲା । ଏହାପରେ କାଗିସୋ ରାବାଡ଼ା, ଓଡିଅନ୍ ସ୍ମିଥ୍ଙ୍କ ସହ ମିଶି ନବମ ୱିକେଟ୍ରେ ୩୫ ରନ୍ର ଉପଯୋଗୀ ଭାଗିଦାରୀ କରିଥିଲେ । ରାବାଡ଼ା ୧୬ ବଲ୍ରୁ ୨୫ ରନ୍ କରିଥିଲେ । ଓଡ଼ିଅନ୍ ସ୍ମିଥ୍ ୯ ରନ୍ କରି ଅପରାଜିତ ଥିଲେ ।
ବିପକ୍ଷ ବୋଲର୍ ଉମେଶ ଯାଦବ ୨୩ ରନ୍ ଦେଇ ସର୍ବାଧିକ ୪ ୱିକେଟ୍ ଅକ୍ତିଆର କରିଥିବା ବେଳେ ଟିମ୍ ସାଉଦୀ ୨ଟି ଏବଂ ଶିବମ୍ ମାଭୀ, ସୁନୀଲ ନାରାୟନ୍ ଓ ଆନେ୍ଦ୍ର ରସେଲ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
୧୩୮ ରନ୍ର ସହଜ ବିଜୟଲକ୍ଷ୍ୟ ନେଇ ଖେଳିଥିବା କେକେଆର୍ ଟିମ୍ ଆରମ୍ଭ ସେତେ ଭଲ ନ ଥିଲା । ଆଜିଙ୍କ୍ୟ ରାହାଣେ ଓ ଭେଙ୍କଟେଶ ଆୟରଙ୍କ ଓପନିଂ ଯୋଡ଼ି ୧୪ ରନ୍ରେ ଭାଙ୍ଗିଥିଲା । ରାହାଣେ ୧୨ ରନ୍ କରି ରାବାଡ଼ାଙ୍କ ଶିକାର ହୋଇଥିଲେ । ଆୟର ୩ ରନ୍ କରି ସ୍ମିଥ୍ଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଅଧିନାୟକ ଶ୍ରେୟାସ ୨୬ ରନ୍ର ଇନିଂସ୍ ଖେଳି ଚାହରଙ୍କ ବଲ୍ରେ ଆଉଟ୍ ହୋଇଥିବା ବେଳେ ନୀତୀଶ ରାଣା କୌଣସି ସ୍କୋର୍ ନ କରି ଚାହରଙ୍କ ପରବର୍ତ୍ତୀ ଶିକାର ହୋଇଥିଲେ । ୫୧ ରନ୍ରେ ୪ ୱିକେଟ୍ ପଡ଼ିଥିଲା । ଏହାପରେ ସାମ୍ ବିଲିଙ୍ଗ୍ସ ଓ ଆନେ୍ଦ୍ର ରସେଲ୍ ସ୍ଥିତି ସମ୍ଭାଳିଥିଲେ । ବିଶେଷକରି, ରସେଲ୍ଙ୍କ ଧୂଆଁଦାର ବ୍ୟାଟିଂ ବଳରେ ଇନିଂସ୍ ୧୦୦ ଅତିକ୍ରମ କରି ୩୩ ବଲ୍ ବାକି ଥାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲା । ପଞ୍ଚମ ୱିକେଟ୍ ପାଇଁ ୯୦ ରନ୍ର ଭାଗୀଦାରୀ ହୋଇଥିଲା । ରସେଲ୍ ମାତ୍ର ୨୬ ବଲ୍ରୁ ୧୦ମ ଆଇପିଏଲ୍ ଅର୍ଦ୍ଧଶତକ ପୂରଣ କରିଥିଲେ । କେକେଆର୍ ୧୪.୩ ଓଭର୍ରେ ୪ ୱିକେଟ୍ ହରାଇ ୧୪୧ ରନ୍ କରି ବିଜୟୀ ହୋଇଥିଲା । ରସେଲ୍ ୩୧ ବଲ୍ରୁ ୭୦ (୨ ଚୌକା ଓ ୮ ଛକା ସହାୟତାରେ) ଓ ବିଲିଙ୍ଗ୍ସ ୨୪ ରନ୍ କରି ଅପରାଜିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *