ବ୍ୟୟମଞ୍ଜୁରୀ ବିଲ୍ ଗୃହୀତ
ଭୁବନେଶ୍ୱର, ୩୧ା୩(ବୁ୍ୟରୋ): ୨ଠ୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବ୍ୟୟମଞ୍ଜୁରୀ (ଲେଖାନୁଦାନ) ବିଲ୍ ଗୁରୁବାର ବିଧାନସଭାର ଅନୁମୋଦନ ଲାଭ କରିଛି । ଆସନ୍ତା ୪ ମାସ (ଏପ୍ରିଲ୍ରୁ ଜୁଲାଇ) ପର୍ଯ୍ୟନ୍ତ ୧ ଲକ୍ଷ ୬ ହଜାର ୪୯୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ୪ ମାସିଆ କାମଚଳା ବଜେଟ୍କୁ ଗୃହର ଅନୁମୋଦନ ଲାଗି ଆଗତ କରିଥିଲେ । ବ୍ୟୟ ମଞ୍ଜୁରୀ ବିଲ୍ ଉପରେ ଆଲୋଚନା କରାଯାଇଥିଲା । ଏହାପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହର ମତାମତ ନେଇ ବିଲ୍ଟିକୁ ଗୃହୀତ କରାଇଥିଲେ ।
ବ୍ୟୟମଞ୍ଜୁରୀ ବିଲ୍ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, ରାଜ୍ୟର ବଜେଟ୍ କେନ୍ଦ୍ରୀୟ ଯୋଜନା ଉପରେ ନିର୍ଭରଶୀଳ । ଗତ ୨୨ ବର୍ଷ ଭିତରେ ରାଜ୍ୟରେ କୌଣସି ଆଖିଦୃଶିଆ ଉନ୍ନତି ହୋଇନି । ଅଧାରୁ ଅଧିକ ଶୀତଳଭଣ୍ଡାର ଅଚଳ । ଜଳସେଚନ ସୁବିଧା ନାହିଁ । ଚାଷୀଙ୍କ ଆୟ କିପରି ଦୁଇଗଣ ହେଲା ବୋଲି ସେ ପ୍ରଶ୍ନ କରିଥିଲେ । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଭଳି ବ୍ୟୟବରାଦ ହେବା କଥା, ତାହା ହୋଇନି । ସ୍ମାର୍ଟ ସ୍କୁଲ୍ରେ କେବଳ ରଙ୍ଗ ବୋଳାଯାଇଛି ।
ହସ୍ପିଟାଲ୍ରେ ବି ସମାନ ଅବସ୍ଥା । ଷ୍ଟାଫ୍ ନାହାନ୍ତି । ସେହିପରି ଦାରିଦ୍ର୍ୟ ଓ ବେକାରୀ ଉକ୍ରଟ ହେବାରେ ଲାଗିଛି ।
ଆଲୋଚନାରେ ଅଂଶଗ୍ରହଣ କରି ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର କହିଥିଲେ, ଆର୍ଥିକ ପରିଚାଳନାରେ ଓଡ଼ିଶା ଏକନମ୍ବର ହୋଇଛି । ଋଣ ଭାର କମୁଛି, ମୁଣ୍ଡପିଛା ଆୟ ବଢ଼ୁଛି । ରାଜ୍ୟ ସରକାରଙ୍କ ବିତ୍ତୀୟ ପରିଚାଳନାକୁ କେନ୍ଦ୍ର ସରକାର ଓ ନିତି ଆୟୋଗ ପ୍ରଶଂସା କରିଛନ୍ତି । ଦାରିଦ୍ର୍ୟ ହାର କମାଇବାରେ ସରକାର ସଫଳ ହୋଇଛନ୍ତି । ଅନ୍ୟତମ ଶାସକ ସଦସ୍ୟ ଶଶିଭୂଷଣ ବେହେରା କହିଥିଲେ, ୨ଠଠଠ ମସିହା ପୂର୍ବରୁ ୧୧ ହଜାର ୬ଠଠ କୋଟି ଟଙ୍କାର ବଜେଟ୍ ହେଉଥିଲା । ଏବେ ଏହାର ଆକାର ୨ ଲକ୍ଷ କୋଟି ଛୁଇଁଲାଣି । ଜାତୀୟ ହାର ଠାରୁ ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ । ସବୁ କ୍ଷେତ୍ରକୁ ଫୋକସ୍ କରାଯାଉଥିବାରୁ ସଫଳତା ମିଳିପାରିଛି ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, କିଛି ମୁଷ୍ଟିମେୟ ଲୋକଙ୍କ ଆୟ ବଢ଼ିଛି । ଦେଶ ତଥା ରାଜ୍ୟରେ ଧନୀ ଅଧିକ ଧନୀ ହେଉଛନ୍ତି, ଗରିବୀ ବଢ଼ିଚାଲିଛି । ଗରିବଙ୍କ ପାଖରେ ଯୋଜନାର ସୁଫଳ ପହଞ୍ଚି ପାରୁନି । ବଜେଟ୍ରେ ସରକାରଙ୍କ ଭିଜନ୍ କିଛି ନାହିଁ । ଦାରିଦ୍ର୍ୟ ଦୂରୀକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯିବା କଥା । ହେଲେ କେବଳ ନିର୍ବାଚନ ଜିତିବା ଲକ୍ଷ୍ୟ ହୋଇଛି । ଶିକ୍ଷାର ବିକାଶ ଉପରେ ଯେତିକି ଗୁରୁତ୍ୱ ଦିଆଯିବା କଥା, ତାହା ନାହିଁ । ଖାଲିଥିବା ପଦବୀ ମଧ୍ୟ ପୂରଣ ହେବା ଆବଶ୍ୟକ । ଏହାସହ ବାର୍ଦ୍ଧକ୍ୟ ଭତ୍ତା ୧୫ଠଠ ଟଙ୍କାକୁ ବୃଦ୍ଧି, ଚାଷୀଙ୍କ ଉତ୍ପାଦିତ ଶସ୍ୟର ଏମ୍ଏସ୍ପି ବୃଦ୍ଧି ଏବଂ ଭୂମିହୀନଙ୍କୁ ପଟ୍ଟା ଯୋଗାଇବା ପାଇଁ ଶ୍ରୀ ମିଶ୍ର ଦାବି କରିଥିଲେ ।
ବିଜେଡି ସଦସ୍ୟ ପ୍ରତାପ ଦେବ କହିଥିଲେ, ବଜେଟ୍ରେ ଦିଗ ସ୍ପଷ୍ଟ । ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମିକୁ ଗୁରୁତ୍ୱ ଦିଆଯାଇଛି । ଏହି ଆଲୋଚନାରେ ବିଜେଡି ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ, ବିଜେପି ସଦସ୍ୟ ମୁକେଶ ମହାଲିଙ୍ଗ, ବିଜେଡି ବିଧାୟକ ରାଜକିଶୋର ଦାସ, କଂଗ୍ରେସ ସଦସ୍ୟ ସୁରେଶ ରାଉତରାୟ, ତାରାପ୍ରସାଦ ବାହିନୀପତି, ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଏବଂ ଗଣେଶ ରାମ ସିଂ ଖୁଣ୍ଟିଆ ଅଂଶଗ୍ରହଣ କରି ନିଜର ମତାମତ ରଖିôଥିଲେ ।
ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ବିଲ୍ ଆଲୋଚନାର ଉତ୍ତରରେ କହିଥିଲେ, ରାଜ୍ୟର ମୋଟ୍ ରାଜସ୍ୱରେ ନିଜସ୍ୱ ରାଜସ୍ୱର ଭାଗ ପ୍ରାୟ ୫୮ ପ୍ରତିଶତ, ଯାହାଫଳରେ କେନ୍ଦ୍ରୀୟ ସହାୟତା ଉପରେ ଆମର ନିର୍ଭରଶୀଳତା କମିଛି । ଏହା ରାଜ୍ୟ ପାଇଁ ଗୌରବର ବିଷୟ । ଋଣ ଭାର ରାଜ୍ୟ ସକଳ ଘରୋଇ ଉତ୍ପାଦର ଅନୁପାତ ୨୫ ପ୍ରତିଶତ ମଧ୍ୟରେ ସୀମିତ ରହିବା ଆବଶ୍ୟକ ଏବଂ ସୁଧଦେୟ ଓ ରାଜସ୍ୱ ଆୟର ଅନୁପାତ ୧୫ ପ୍ରତିଶତ ମଧ୍ୟରେ ରଖିବା ଆବଶ୍ୟକ । ମହାଲେଖାକାରଙ୍କ ଠାରୁ ମିଳିଥିବା ହିସାବ ଅନୁଯାୟୀ, ୨ଠ୨୨ ଶେଷରେ ଋଣ ଭାର ରାଜ୍ୟ ସକଳ ଘରୋଇ ଉତ୍ପାଦର ଅନୁପାତ ୧୫.୭ ପ୍ରତିଶତ ରହିଛି ଏବଂ ସୁଧ ଦେୟ ଓ ରାଜସ୍ୱ ଆୟ ୩ ପ୍ରତିଶତ ମଧ୍ୟରେ ସୀମିତ ରଖାଯାଇଛି । ୨ଠଠ୫-ଠ୬ ଠାରୁ କ୍ରମାଗତ ଭାବେ ରାଜସ୍ୱ ବଳକା ସ୍ଥିତି ବଜାୟ ରଖିଛୁ ଏବଂ ଆହରଣ କରାଯାଇଥିବା ସମସ୍ତ ଋଣ ପୁଞ୍ଜି ଖର୍ଚ୍ଚ ପାଇଁ ବ୍ୟବହୃତ ହେଉଛି । ତେଣୁ ଋଣ ହାରର ପୋଷଣୀୟତା ବାବଦକୁ ସନେ୍ଦହ ପ୍ରକାଶ କରିବାର ଆବଶ୍ୟକତା ନାହିଁ । ବର୍ଷ ୨ଠ୨୨-୨୩ର ଲେଖାନୁଦାନ ପାଇଁ ଉପସ୍ଥାପିତ ବ୍ୟୟମଞ୍ଜୁରୀ ବିଧେୟକକୁ ଗୃହର ଅନୁମୋଦନ ମିଳିଲେ ରାଜ୍ୟର ସର୍ବାଙ୍ଗୀନ ବିକାଶ ସହ ଜନ କଲ୍ୟାଣ କାରୀ ଯୋଜନା ପାଇଁ ଆବଶ୍ୟକୀୟ ଅର୍ଥ ବର୍ଷର ପ୍ରଥମ ଚାରିମାସ ମଧ୍ୟରେ ଖର୍ଚ୍ଚ କରାଯାଇପାରିବ ।