ଲୋକସେବା ଭବନକୁ ସାମ୍ବାଦିକଙ୍କୁ ଛଡ଼ାଯାଉ
ଭୁବନେଶ୍ୱର (ବୁ୍ୟରୋ): ଗଣମାଧ୍ୟମ ହେଉଛନ୍ତି ଚତୁର୍ଥ ସ୍ତମ୍ଭ । ବିଧାନସଭା ପ୍ରେସ୍ ଲାଉଞ୍ଜ ଓ ଲୋକସେବା ଭବନକୁ ସେମାନଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି । ଏହା ଗଣତନ୍ତ୍ର ପ୍ରତି କ୍ଷତିକାରକ । ରାଜ୍ୟରେ ନିର୍ବାଚନ ବେଳେ ଶହ ଶହ ଲୋକ ଏକାଠି ହୋଇଥିଲେ । ତେବେ ଛାପା ଓ ବୈଦୁ୍ୟତିକ ଗଣମାଧ୍ୟମଙ୍କୁ କାହିଁକି ପ୍ରବେଶ ନିମନ୍ତେ ଅନୁମତି ଦିଆଯାଉନି ବୋଲି ଗୃହରେ ସଦସ୍ୟମାନେ ପ୍ରଶ୍ନ କରିବା ସହିତ ଉଦ୍ବେଗ ପ୍ରକାଶ କରିଛନ୍ତି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ହସ୍ତକ୍ଷପ ଲୋଡ଼ିବା ସହିତ ସରକାରଙ୍କୁ ନିଦେ୍ର୍ଦଶ ଦେବାକୁ ସଦସ୍ୟମାନେ ଅନୁରୋଧ କରିଥିଲେ ।
ଗୁରୁବାର ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିଧାନସଭା ପ୍ରେସ୍ ଗ୍ୟାଲେରୀ ଓ ଲୋକସେବା ଭବନକୁ ପ୍ରବେଶ ଅନୁମତି ଦେବାକୁ ଦାବି ଉଠିଥିଲା । କଂଗ୍ରେସ ଓ ବିଜେପିର ସଦସ୍ୟମାନେ ଜୋରଦାର ଭାବେ ଏହି ଦାବି ଉଠାଇଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଥମେ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ସାମ୍ବାଦିକମାନଙ୍କୁ ବିଧାନସଭାର ପ୍ରେସ୍ ଲାଉଞ୍ଜ ଓ ଲୋକସେବା ଭବନକୁ ଯିବାକୁ ଅନୁମତି ମିଳୁନାହିଁ । ସରକାର ଯାହା ଚାହୁଁଛନ୍ତି ତାହା ଗଣମାଧ୍ୟମରେ ପ୍ରକାଶ ପାଉଛି । ତେବେ ଲୋକସେବା ଭବନକୁ ଛଡା ଯିବାରେ ଏତେ ଭୟଭୀତ କାହିଁକି । ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ସମାନ ଢଙ୍ଗରେ ଏହି ପ୍ରସଙ୍ଗ ଉଠାଇଥିଲେ । ସଂସଦ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟ ସଚିବାଳୟକୁ ସାମ୍ବାଦିକମାନେ ପ୍ରବେଶ କଲେଣି । କୋଭିଡ୍ ସଂକ୍ରମଣ କମିଲାଣି । ହେଲେ ସରକାର କାହିଁକି ଡରୁଛନ୍ତି । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ମଧ୍ୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ତୁରନ୍ତ ଲୋକସେବା ଭବନରେ ପ୍ରବେଶ ଲାଗି ଅନୁମତି ପ୍ରଦାନ ନିମନ୍ତେ ଦାବି କରିଥିଲେ । ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ସାରା ଭାରତରେ କୋଭିଡ୍ ନିୟମ ଉଠିଗଲାଣି । ତେଣୁ ସାମ୍ବାଦିକଙ୍କୁ ବିଧାନସଭା ପ୍ରେସ୍ ଗ୍ୟାଲେରୀ ଓ ଲୋକସେବା ଭବନକୁ ଛାଡ଼ିବା ଉଚିତ୍ ।