ଜବତ ହେଲା ଅଧାପୋଡ଼ା ଶାଢ଼ୀ ଓ ଚପଲ

କଟକ/ ବଡ଼ଚଣା (ବୁ୍ୟରୋ/ଆପ୍ର): ଖୋଲୁଛି ବହୁଚର୍ଚ୍ଚିିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡର ଗୁମର । ଏହି ହତ୍ୟାକାଣ୍ଡ ମାମଲା ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ପ୍ରମାଣ ସଂଗ୍ରହ କରିବାରେ ଲାଗିପଡ଼ିଛି । ଏହି କ୍ରମରେ ଗୁରୁବାର ଦିନ ମୃତ ମାନସଙ୍କ ବିଭିନ୍ନ ସାମଗ୍ରୀ ସହିତ ତାଙ୍କ ମୃତ ଦେହକୁ ଭର୍ତ୍ତି କରାଯାଇଥିବା ଅଖା ସହିତ ଏକ ଶାଢିର ଅଧାପୋଡ଼ା ଅଂଶ, ମାନସଙ୍କ ଅଧାପୋଡ଼ା ଚପଲ, ଅଧାପୋଡ଼ା ମୋବାଇଲ ଇୟର ଫୋନ ସହିତ ଏହି ସବୁ ସାମଗ୍ରୀକୁ ପୋତିବା ପାଇଁ ବ୍ୟବହାର ହୋଇଥିବା ଗଇଁତି ଓ କୋଦାଳକୁ ମଧ୍ୟ ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ୍‌ । ସେହି ସାମଗ୍ରୀଗୁଡ଼ିକ ଚଣ୍ଡିଖୋଲ ବଜାରଠାରୁ ଦୁଇ କିଲୋମିଟର ଦୂର ଦୈତାରୀ- ପାରାଦୀପ ଏକ୍ସପ୍ରେସ ହାଇୱେ ନିକଟରେ ଥିବା ଏକ ସ୍ଥାନରେ ନଷ୍ଟ କରାଯାଇଥିବା ଜାଣିବା ପରେ ଗୁରୁବାର ସକାଳୁ ତଦନ୍ତକାରୀ ଦଳ ରିମାଣ୍ଡରେ ଥିବା ଅନ୍ୟତମ ଅଭିଯୁକ୍ତ ରଞ୍ଜନ ନାୟକ ସହିତ ସାଇଣ୍ଟିଫିକ ଟିମକୁ ସାଥିରେ ଧରି ଘଟଣା ସ୍ଥଳରେ ପହଞ୍ଚିିଥିଲା । ସେଠାରୁ ରଞ୍ଜନ କ୍ରାଇମବ୍ରାଞ୍ଚ ଟିମକୁ ସେହି ସ୍ଥାନ ସହିତ ଅଧାପୋଡା ରହିଥିବା ବିଭିନ୍ନ ସାମଗ୍ରୀକୁ ଚିହ୍ନାଇ ଦେଇଥିଲେ ।
ସୂଚନାଯୋଗ୍ୟ, ମାନସ ହତ୍ୟାକାଣ୍ଡରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ଗତ ମଙ୍ଗଳବାରଠୁ ରିମାଣ୍ଡରେ ନେଇଥିବା ବେଳେ ଆଜି ସକାଳୁ ୨ଟି ଗାଡ଼ିରେ ଅଭିଯୁକ୍ତଙ୍କୁ ସ୍ପଟକୁ ନିଆଯାଇଥିଲା । ତେବେ ରଞ୍ଜନଙ୍କୁ ଚଣ୍ଡିଖୋଲ-ଡ଼ୁବୁରୀ ଏକ୍ସପ୍ରେସ ହାଇୱେ ନିକଟ ଶଙ୍ଖାରିଗଡ଼ାକୁ ନିଆଯାଇଥିଲା । ସେଠାରୁ ମାନସଙ୍କ ଇୟରଫୋନ, ଚପଲ, ଏକ ଅଖା, ଶାଢ଼ୀ, ଦରପୋଡ଼ା ଅବସ୍ଥାରେ ମିଳିଥିବା ବେଳେ ଏକ ବୁଦା ମୂଳରେ କୋଦାଳ ଓ ଗଇଁତିକୁ ଫୋପଡ଼ା ଯାଇଥିଲା । ଶର୍ମିଷ୍ଠା ଓ ଅନ୍ୟମାନଙ୍କ ସହ ମିଶି ମାନସକୁ ଅପହରଣ କରିଥିବା ରଞ୍ଜନ ମାନିଛି । ପଳାସପୁରରୁ ମାନସଙ୍କୁ ଅପହରଣ ପରେ ଚାନ୍ଦବାଲି ଦୟାଲ ଆଶ୍ରମ ନିଆଯାଇଥିଲା । ଝୁନା, ଶର୍ମିଷ୍ଠା, ବିବେକ, ରଞ୍ଜନ, ଭାଗ୍ୟଧର ସେଠୀ ଅପହରଣରେ ସାମିଲ ଥିଲେ । ଏହାପରେ ଦୟାଲ ଆଶ୍ରମରେ ପହଞ୍ଚିଥିଲେ ନିରଞ୍ଜନ ସେଠୀ । ସେଠାରେ ଅନ୍ୟମାନଙ୍କ ସହ ସେ ବି ମାନସଙ୍କୁ ନିର୍ଦ୍ଧୁମ ପିଟିଥିଲେ । ଅତ୍ୟଧିକ ମାଡ଼ ହେତୁ ମାନସଙ୍କ ମୃତୁ୍ୟହେବା ପରେ ତାଙ୍କ ମୃତଦେହକୁ ଏକ ଅଖାରେ ପୂରାଇ ଶାଢ଼ୀରେ ଗୁଡ଼ାଇ ଶର୍ମିଷ୍ଠାଙ୍କ କାରରେ ନୟାଗଡ଼ ନିଆଯାଇଥିଲା । ସେଠାରେ ଶବ ପୋତାଯିବା ପରେ ବ୍ୟବହୃତ ଅଖା ଓ ଏକ ଶାଢ଼ି ସହିତ ମାନସଙ୍କ ବିଭିନ୍ନ ସାମଗ୍ରୀ ପୋଡ଼ିବା ପାଇଁ ଚଣ୍ଡିଖୋଲ ବଜାରଠାରୁ ଦୁଇ କିଲୋମିଟର ଦୂରରେ ଥିବା ଦୈତାରୀ-ପାରାଦୀପ ଏକ୍ସପ୍ରେସ ହାଇୱେର ଏକ ସ୍ଥାନକୁ ଆସିଥିଲେ । ଏହାପରେ ସେମାନେ ନିଜ ନିଜ ବାଟରେ ଚାଲିଯାଇଥିଲେ । ଭାବିଥିଲେ ପୁଲିସ ପକ୍ଷେ ପ୍ରମାଣ ହାତେଇବା କଷ୍ଟକର ହୋଇପଡ଼ିବ । ହେଲେ ସେମାନଙ୍କ ଆକଳନ ଭୁଲ ପ୍ରମାଣିତ ହେଲା । ଏହି ଘଟଣାକୁ ନେଇ ତୁମ୍ବିତୋଫାନ ହେବାପରେ ପୁଲିସ ହାତରୁ ମାମଲା କ୍ରାଇମବ୍ରାଞ୍ଚ ହାତକୁ ଗଲା । ଏହାପରେ କ୍ରାଇମବ୍ରାଞ୍ଚ ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଶର୍ମିଷ୍ଠା, ଝୁନା, ନିରଞ୍ଜନ ଓ ରଞ୍ଜନଙ୍କୁ ଗତ ମଙ୍ଗଳବାରଠୁ ରିମାଣ୍ଡରେ ନେଇଛି । ଆସନ୍ତାକାଲି ରିମାଣ୍ଡ ଅବଧି ସରୁଥିବା ବେଳେ ଆଜି ଅଭିଯୁକ୍ତଙ୍କୁ ସ୍ପଟକୁ ନେଇ ପ୍ରମାଣ ସଂଗ୍ରହରେ ଲାଗିପଡ଼ିଛି । ତେବେ ଆସନ୍ତାକାଲି ଅଭିଯୁକ୍ତମାନଙ୍କର ୫ ଦିନିଆ ରିମାଣ୍ଡର ଚତୁର୍ଥ ଦିନ ଥିବାବେଳେ ସମସ୍ତ ଅଭିଯୁକ୍ତଙ୍କୁ ଦୟାଲ ଆଶ୍ରମ ସହ ରଣପୁର ନେଇ ଡେମୋ କରିବାର ଯୋଜନା କରିଛି କ୍ରାଇମବ୍ରାଞ୍ଚ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *