ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ପରିବାର ଲୋକ
ଆଦିତ୍ୟ ସ୍ୱାଇଁ ହତ୍ୟାକାଣ୍ଡ
କେନ୍ଦୁଝର (ଆପ୍ର): କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରାଙ୍କି ଗ୍ରାମର ଆଦିତ୍ୟ ନାରାୟଣ ସ୍ୱାଇଁଙ୍କୁ ନିଶା ନିବାରଣ କେନ୍ଦ୍ରକୁ ନେବା ବେଳେ ବାଟରେ ତାଙ୍କୁ ହତ୍ୟା କରି ମୟୂରଭଞ୍ଜ ଜିଲ୍ଲାର ଏକ ଜଙ୍ଗଲରେ ପୋଡ଼ି ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଯଶିପୁର ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏହି ଘଟଣାରେ ତାଙ୍କ ପରିବାର ଓ ଗ୍ରାମବାସୀ କେନ୍ଦୁଝର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଜିଲ୍ଲାପାଳ ଆଶିଷ ଠାକ୍ରେ ଅଭିଯୋଗପତ୍ର ଗ୍ରହଣ କରି ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରକାଶ ଯେ, ଗତ ୨୨ ତାରିଖ ଦିନ ଉକ୍ତ ଯୁବକଙ୍କୁ ନେଇ ଗାଡ଼ିରେ ଅଭିଯୁକ୍ତମାନେ ଭୁବନେଶ୍ୱର ଏକ ନିଶା ନିବାରଣ କେନ୍ଦ୍ରକୁ ଯାଉଥିଲେ । ତେବେ ଶଗଡ଼ପଟା ନିକଟରେ ରାତିରେ ଗଣ୍ଡଗୋଳ ହେବାରୁ ଆଦିତ୍ୟକୁ ମାଡ଼ ମାରିବାରୁ ତାର ମୃତୁ୍ୟ ହୋଇଥିଲା । ଘଟଣାକୁ ଲୁଚାଇବାକୁ ଏବଂ ପ୍ରମାଣ ନଷ୍ଟ କରିବାକୁ ୨୩ ତାରିଖ ଦିନ ବଡ଼ଶିଆଳି ନଈ ଗ୍ରାମ୍ୟ ଜଙ୍ଗଲରେ ପୋଡ଼ି ଦେଇଥିଲେ । ନିଶା ନିବାରଣ କେନ୍ଦ୍ରକୁ ନେବା ବେଳେ ଆଦିତ୍ୟ ଗାଡ଼ିରୁ ଡେଇଁ ପଳାଇଥିବା ପରିବାର ଲୋକଙ୍କୁ କହିବା ପରେ ସେ ନିଖୋଜ ହୋଇଥିବା ନେଇ ପରିବାର ଲୋକ ଟାଉନ ଥାନାରେ ଅଭିଯୋଗ କରିଥିଲେ । ୨୪ ତାରିଖ ଦିନ ଉକ୍ତ ଯୁବକର ଦର ପୋଡ଼ା ମୃତଦେହ ମିଳିଥିଲା । ତଦନ୍ତ ବେଳେ ଯଶିପୁର ଥାନା ଅଧିକାରୀ କ୍ଷମାସାଗର ପଣ୍ଡା ଟାଉନ ଥାନା ପୁଲିସ ସହାୟତାରେ କେନ୍ଦୁଝର ସିରାଜୁଦ୍ଦିନ ଛକର ସତ୍ୟଜିତ୍ ପାଢୀ, ଘଟଗାଁ ଅଞ୍ଚଳର ସ୍ୱରୂପ ନାରାୟଣ ପଲେଇ ଏବଂ ପଣ୍ଡାପଡା ଥାନା ବଡକମଣ୍ଡରା ଗ୍ରାମର ରିତ ନାଏକଙ୍କୁ ଗିରଫ କରିଥିଲା ।