ମଧ୍ୟପ୍ରଦେଶରେ ମୋହନ ହେଲେ ମୁଖ୍ୟମନ୍ତ୍ରୀ
ଭୋପାଳ, ୧୧ ।୧୨: ତିନି ଥରର ବିଧାୟକ ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ । ରାଜେଶ ଶୁକ୍ଳା ଓ ଜଗଦୀଶ ଦେଓରା ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବେ । ପୂର୍ବତନ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ବିଧାନସଭାର ବାଚସ୍ପତି ଭାବେ କାମ କରିବେ ବୋଲି ବିଜେପି ଆଜି ଘୋଷଣା କରିଛି । ସୋମବାର ବିଧାୟକ ଦଳ ବୈଠକରେ ୫୮ ବର୍ଷୀୟ ମୋହନ ଯାଦବଙ୍କ ନାମକୁ ନେଇ ସହମତି ହୋଇଥିଲା । ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଦଳର ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା ମୁଖ୍ୟ କେ ଲକ୍ଷ୍ମଣ ଏବଂ ସମ୍ପାଦକ ଆଶା ଲାକ୍ରା ଉପସ୍ଥିତ ଥିଲେ । ବିଜେପି ଶୀର୍ଷ ନେତୃôବ ତାଙ୍କ ନାମରେ ମୋହର ଲଗାଇବା ପରେ ଶ୍ରୀ ଯାଦବ ଆଜି ବିଧାୟକ ଦଳ ନେତା ଭାବେ ରାଜ୍ୟପାଳଙ୍କୁ ଭେଟି ବିଧିବଦ୍ଧ ଭାବେ ସରକାର
ଗଠନ ପାଇଁ ଦାବି ଜଣାଇଛନ୍ତି । ତା ପୂର୍ବରୁ ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫÿା ଦେଇଥିଲେ । ମୋହନ ଯାଦବ ଉଜ୍ଜୟିନୀ ଦକ୍ଷିଣରୁ ତୃତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସେ ୨୦୧୩ ରୁ ଲଗାତାର ବିଧାୟକ ରୂପେ ଜିତି ଆସୁଛନ୍ତି । ଶ୍ରୀ ଯାଦବ ଜୁଲାଇ ୨୦୨୦ରୁ ୨୦୨୩ ପର୍ଯ୍ୟନ୍ତ ଶିବରାଜ ସିଂହ ଚୌହାନ କ୍ୟାବିନେଟରେ ଶିକ୍ଷାମନ୍ତ୍ରୀ ଥିଲେ । ରାଜନୀତି ବ୍ୟତୀତ ସେ ଜଣେ ବଡ଼ ବ୍ୟବସାୟୀ ଭାବେ ବେଶ୍ ପରିଚିତ । ମଧ୍ୟପ୍ରଦେଶର ମାମା ଭାବେ ପରିଚିତ ଶିବରାଜ ସିଂହ ଚୌହାନ ହାଇକମାଣ୍ଡ ନିଷ୍ପତ୍ତିରେ ସାମାନ୍ୟ ନିରାଶ ହୋଇଛନ୍ତି ।