ୱେଲ୍କମ୍ ବଡି!
ଚନ୍ଦ୍ରଯାନ-୩ ଲାଣ୍ଡରକୁ ସ୍ୱାଗତ କଲା ଚନ୍ଦ୍ରଯାନ-୨ ଅର୍ବିଟର
ବେଙ୍ଗାଲୁରୁ, ୨୧ା୮: ଚନ୍ଦ୍ରରେ ଅବତରଣ କରିବା ଲାଗି ଦୁଇଦିନ ପୂର୍ବେ ଅଲଗା ହୋଇଯାଇଥିବା ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ସହିତ ସୋମବାର ଅପରାହ୍ଣ ପ୍ରାୟ ୨.୩୦ରେ ଚନ୍ଦ୍ରଯାନ-୨ଅର୍ବିଟର ଯୋଗାଯୋଗ ସ୍ଥାପନ କରିଛି । ଇସ୍ରୋ ପକ୍ଷରୁ ଏକ୍ସ (ପୂର୍ବତନ ଟ୍ୱିଟର)ରେ ଏହି ସୂଚନା ଦିଆଯାଇଛି । ଇସ୍ରୋ ପକ୍ଷରୁ ଲେଖାଯାଇଛି, ‘ୱେଲକମ୍ ବଡି’ । ବିକ୍ରମ ଲ୍ୟାଣ୍ଡରକୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଛି ଅର୍ବିଟର । ଉଭୟଙ୍କ ମଧ୍ୟରେ ଯୋଗାଯୋଗ ସ୍ଥାପନ ହୋଇଛି । ଏହାଫଳରେ ବେଙ୍ଗାଲୁରୁସ୍ଥିତ ମିସନ ଅପରେସନ କଂପ୍ଲେକ୍ସ (ଏମ୍ଓଏକ୍ସ)ପାଇଁ ଲ୍ୟାଣ୍ଡର ମଡ୍ୟୁଲ(ଏଲ୍ଏମ୍) ସହ ଯୋଗାଯୋଗ କରିବାକୁ ଏକାଧିକ ରାସ୍ତା ଖୋଲିଯାଇଛି ।
ଏହା ପୂର୍ବରୁ ଲ୍ୟାଣ୍ଡର ହାଜାର୍ଡ ଡିଟେକ୍ସନ ଆଣ୍ଡ ଏଭାଇଡେନ୍ସ କ୍ୟାମେରା (ଏଲ୍ଏଚ୍ଡିଏସି) ଦ୍ୱାରା କଏଦ ହୋଇଥିବା ଚନ୍ଦ୍ରର ଦୂର ପାଶ୍ୱର୍ର ଫଟୋ ଇସ୍ରୋ ଜାରି କରିଥିଲା । ଶନିବାର ଉଠିଥିବା ସଦ୍ୟତମ ଫଟୋରେ ଚନ୍ଦ୍ରର ଅପରପାର୍ଶ୍ୱ ପୃଷ୍ଠରେ
ଗହ୍ୱରସବୁ ସ୍ପଷ୍ଟ ଭାବେ ଦେଖାଯାଉଛି । ଅହମ୍ମଦାବାଦସ୍ଥିତ ପ୍ରମୁଖ ଗବେଷଣା ଓ ବିକାଶ କେନ୍ଦ୍ର ମହାକାଶ ଆପ୍ଲିକେସନ୍ ସେଣ୍ଟର (ଏସ୍ଏସି) ଦ୍ୱାରା ଏଲ୍ଏଚଡିଏସି ବିକଶିତ କରାଯାଇଛି । ଏହି କ୍ୟାମେରା ସଫ୍ଟ ଲାଣ୍ଡିଂ ପାଇଁ ସୁରକ୍ଷିତ ସ୍ଥାନ ଚିହ୍ନଟ କରିବ ।
ସୂଚନାଯୋଗ୍ୟ, ଇସ୍ରୋ ୨୦୧୯ ଜୁଲାଇ ୨୨ରେ ଚନ୍ଦ୍ରଯାନ-୨ ପଠାଇଥିଲା । କିନ୍ତୁ ଏହାର ବିକ୍ରମ ଲାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ ପୂର୍ବରୁ କ୍ରାସ୍ କରିଯାଇଥିଲା ।