୩ ବୃହତ୍ ସେତୁ ପାଇଁ ୩୯ କୋଟି ମଞ୍ଜୁର

ଭୁବନେଶ୍ୱର, ୧୬ା୮(ବୁ୍ୟରୋ): ବରଗଡ଼ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଭେଟି ଦେଇଛନ୍ତି । ଜିଲ୍ଲାରେ ୩ ନୂଆ ବୃହତ୍ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ନୂଆ ସେତୁ ଦ୍ୱାରା ଜିଲ୍ଲାର ପ୍ରାୟ ୭.୨୫ ଲକ୍ଷ ଲୋକ ଉପକୃତ ହେବେ । ଜିଲ୍ଲାରେ ଗମନାଗମନ ସୁବିଧା ସହିତ ସାମାଜିକ ସୁବିଧା ସୁଯୋଗ ଓ ଆର୍ଥିକ ଅଭିବୃଦ୍ଧିରେ ୩ ନୂଆ ସେତୁ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।
ମଞ୍ଜୁର ହୋଇଥିବା ୩ଟି ସେତୁ ମଧ୍ୟରେ ବରପାଲିରେ ଗୋଟିଏ ବୃହତ ସେତୁ ରହିଛି । ବରପାଲିର ଜିଲୋଟ ନାଳ ଉପରେ ଏକ ସେତୁ ନିର୍ମାଣ କରାଯିବ । ୧୨୦ ମିଟର ଦୀର୍ଘ ଏହି ସେତୁ ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାଦ୍ୱାରା ବରଗଡ ଓ ବରପାଲି ବ୍ଲକ ମୁଖ୍ୟାଳୟକୁ ସଂଯୋଗ ସହିତ ଜିଲ୍ଲା ମୁଖ୍ୟାଳୟକୁ ମଧ୍ୟ ଯୋଗାଯୋଗର ସୁବିଧା ସୃଷ୍ଟି ହେବ ଏବଂ ପ୍ରାୟ ୨ ଲକ୍ଷ ୨୫ ହଜାର ଲୋକ ଉପକୃତ ହେବେ ।
ସେହିପରି ବରଗଡ ପୌରାଞ୍ଚଳ ଆମଗାଁ ନଳା ଉପରେ ୬୦ ମିଟର ଦୀର୍ଘ ସେତୁ ନିର୍ମାଣ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ବରଗଡ ଜିଲ୍ଲା ମୁଖ୍ୟାଳୟ ସହିତ ପରପାଲି ଓ ଭେଡେନ ବ୍ଲକ ମୁଖ୍ୟାଳୟକୁ ଯୋଡିବ । ଏହାଦ୍ୱାର ୨ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ ।
ତୃତୀୟ ସେତୁଟି ସରଳା ନାଳ ଉପରେ ନିର୍ମାଣ କରାଯିବ । ୧୫୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଭଟଲି ବ୍ଲକ୍ ମୁଖ୍ୟାଳୟକୁ ବରଗଡ ଓ ଅତାବିରା ବ୍ଲକ୍ ମୁଖ୍ୟାଳୟକୁ ଯୋଡିବ । ଏହାଦ୍ୱାରା ୨ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ ।
ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଜୁନ୍ ୨୬ ଓ ୨୭ ତାରିଖରେ ବରଗଡ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଥିଲେ । ବିଭିନ୍ନ ସ୍ଥାନରେ ଲୋକଙ୍କ ଅନୁରୋଧକୁ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲାରେ ୩ ନୂଆ ବୃହତ୍ ସେତୁ ପାଇଁ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *