୨୪ ଯାଏଁ ମୁଲତବୀ
ସଂସଦରେ ମଣିପୁର ଝଡ଼
ନୂଆଦିଲ୍ଲୀ,୨୧ା୭: ମଣିପୁରରେ ୨ ଜଣ ମହିଳାଙ୍କୁ ଉଲଗ୍ନ କରାଯିବାର ଭିଡିଓ ଭାଇରାଲ୍ ହେବା ପ୍ରସଙ୍ଗରେ ତୁରନ୍ତ ଆଲୋଚନା ଦାବିରେ ଗୁରୁବାର ଭଳି ଶୁକ୍ରବାର ମଧ୍ୟ ସଂସଦରେ ପ୍ରବଳ ହଙ୍ଗାମା ହୋଇଛି । ଏହି କାରଣରୁ ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟ ବାରମ୍ବାର ବ୍ୟାହତ ହୋଇଥିଲା । ବିରୋଧୀ ସାଂସଦମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ମଣିପୁର ଘଟଣା ସମ୍ପର୍କରେ ବୟାନ ଦେବା ଦାବିରେ ଅଡି ବସିଥିଲେ । ପରିଶେଷରେ ଉଭୟ ସଦନକୁ ୨୪ ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା । ମଣିପୁର ବର୍ବରତା ନେଇ ଶୁକ୍ରବାର ଉଭୟ ସରକାର ଓ ବିରୋଧୀ ପକ୍ଷ ପରସ୍ପରକୁ ଦୋଷାରୋପ କରିବା ଦେଖାଯାଇଥିଲା । ସରକାରଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା ଯେ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବା ସତ୍ତ୍ୱେ ବିରୋଧୀ ଦଳମାନେ ଗୃହ କାର୍ଯ୍ୟ ଚଳାଇବାକୁ ଦେଉନାହାନ୍ତି । ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ କହିଥିଲେ, ଆମେ ମଣିପୁରର ଭିଡିଓ ମାମଲା ସଂସଦରେ ଗୁରୁବାର ଉଠାଇଥିଲୁ । କିନ୍ତୁ ଆମକୁ ଆଲୋଚନା ପାଇଁ ସୁଯୋଗ ଦିଆଗଲା ନାହିଁ । ଆମର ମୁଖ୍ୟ ଦାବି ପ୍ରଧାନମନ୍ତ୍ରୀ ଗୃହକୁ ଆସି ବିବୃତି ଦିଅନ୍ତୁ । ଆମର ଦୁର୍ଭାଗ୍ୟ ଯେ ପ୍ରଧାନମନ୍ତ୍ରୀ ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ବାହାରେ ବୟାନ ଦେଲେ କିନ୍ତୁ ସଂସଦ ଭିତରେ କିଛି କହିଲେ ନାହିଁ । କଂଗ୍ରେସ ସାଂସଦ ମନୀଷ ତିୱାରୀ, ମଣିକମ୍ ଟାଗୋର ଓ ଅନ୍ୟ କେତେକ ବିରୋଧୀ ସାଂସଦ ଉଭୟ ସଦନରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ତଥା ଆଲୋଚନା ଦାବିରେ ଶୁକ୍ରବାର ମୁଲତବୀ ନୋଟିସ୍ ଦେଇଥିଲେ । ରାଜ୍ୟସଭାରେ କଂଗ୍ରେସର ଉପନେତା ପ୍ରମୋଦ ତିୱାରୀ ରୁଲ୍ ୨୬୭ ଅନୁଯାୟୀ ଦିଆଯାଇଥିବା ନୋଟିସ୍ ଅନୁଯାୟୀ ଆଲୋଚନା ଦାବି କରିଥିଲେ । ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଅଭିଯୋଗ କରିଥିଲେ ଯେ ମଣିପୁର ମାମଲାରେ ପ୍ରଧାନମନ୍ତ୍ରୀ ଗୃହ ବାହାରେ ବିବୃତି ଦେଇ ସଂସଦୀୟ ପରମ୍ପରା ଭାଙ୍ଗିଛନ୍ତି । ୨୮ ଦିନ ପରେ ପ୍ରଧାନମନ୍ତ୍ରୀଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିଲା କିନ୍ତୁ ସେ ଗୃହ ବାହାରେ ବିବୃତି ଦେଲେ ।
ବିରୋଧୀଙ୍କୁ ଜବାବ ଦେବାକୁ ଯାଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ, ମଣିପୁର ଘଟଣା ଅତ୍ୟନ୍ତ ଗୁରୁତର । ପ୍ରଧାନମନ୍ତ୍ରୀ ଏ ସମ୍ବନ୍ଧରେ ଉଦ୍ବେଗ ପ୍ରକାଶ ପୂର୍ବକ କଠୋର କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଇଛନ୍ତି । ଗୃହରେ ଏହା ଉପରେ ଆଲୋଚନା ଆମେ ଚାହୁଁ । କିନ୍ତୁ କେତେକ ଦଳ ଆଲୋଚନା ନ ହେବା ଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି ।