ଅପପୁଷ୍ଟି ଜାତୀୟ ହାରଠାରୁ କମ୍
ଭୁବନେଶ୍ୱର,୨୯ା୪(ତଥ୍ୟ): ଓଡ଼ିଶାରେ ଶିଶୁମାନଙ୍କ ଭିତରେ ଅପପୁଷ୍ଟି ହାର କମୁଥିଲେ ମଧ୍ୟ ଏହା ଏବେବି ଅନେକ ଅଦିବାସୀ ଅଧୁ୍ୟଷିତ ଜିଲ୍ଲାରେ ଗୁରୁତର ରହିଛି । ୧୯ଟି ଜିଲ୍ଲାରେ ୩୦ରୁ ୪୬ ପ୍ରତିଶତ ପର୍ଯ୍ୟନ୍ତ ଶିଶୁ ଅପପୁଷ୍ଟି ଜନିତ ସମସ୍ୟା ଭୋଗୁଛନ୍ତି । ଏହି ତଥ୍ୟ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେର ସର୍ବଶେଷ ରିପୋର୍ଟରେ ପ୍ରକାଶ ପାଇଛି । ତେବେ ଓଡ଼ିଶା ପାଇଁ ଆଶ୍ୱାସନାର କଥା ଯେ, ଜାତୀୟସ୍ତରରେ ୫ବର୍ଷ ବୟସ ପର୍ଯ୍ୟନ୍ତ ୩୨ପ୍ରତିଶତ ଶିଶୁ ଅପପୁଷ୍ଟି ଭୋଗୁଥିବାବେଳେ ଓଡ଼ିଶାରେ ଏହି ହାର ୨୯.୭ ପ୍ରତିଶତ ରହିଛି । ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ୪୬.୬ ପ୍ରତିଶତ ଶିଶୁ କୁପୋଷଣର ଶିକାର ହେଉଥିବାବେଳେ ଏ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ଥିବା ମୟୁରଭଞ୍ଜରେ ଏହି ହାର ହେଉଛି ୪୫.୯ ପ୍ରତିଶତ ଏବଂ ତୃତୀୟସ୍ଥାନରେ ଥିବା ମାଲକାନଗିରିରେ ଏହା ୪୧.୬ ପ୍ରତିଶତ ଥିବା ଉକ୍ତ ରିପୋର୍ଟରୁ ଜଣାପଡିଛି । ରାୟଗଡ଼ା ଜିଲ୍ଲାରେ ୩୯.୮ ପ୍ରତିଶତ ଶିଶୁ ଅପପୁଷ୍ଟିଜନିତ ସମସ୍ୟା ଭୋଗୁଥିବାବେଳେ ବୈଦ୍ଦରେ ୩୮.୬, ନୂଆପଡାରେ ୩୮, ବଲାଙ୍ଗୀରେ ୩୭.୬, କେନ୍ଦୁଝରରେ ୩୭.୧, ସମ୍ବଲପୁରରେ ୩୬.୩ ଓ କନ୍ଧମାଳରେ ୩୫.୨ ପ୍ରତିଶତ ଶିଶୁ ଅପପୁଷ୍ଟି ଯୋଗୁ ଘାଣ୍ଟି ହେଉଛନ୍ତି । ସୁନ୍ଦରଗଡ଼, ସୁବର୍ଣ୍ଣପୁର, ଗଜପତି ଓ ଦେବଗଡ଼ ଜିଲ୍ଲାରେ ୩୪ ପ୍ରତିଶତରୁ ଅଧିକ ଏବଂ କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ୩୩ ପ୍ରତିଶତରୁ ଊଦ୍ଧ୍ୱର୍ ଶିଶୁ କୁପୋଷଣର ଶିକାର ହେଉଥିବା କଥା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେହିପରି ଅନୁଗୁଳ, ବରଗଡ଼ ଓ ଢେଙ୍କାନାଳ ଜିଲ୍ଲାରେ ଅପପୁଷ୍ଟି ଜନିତ ସମସ୍ୟା ୩୦ ପ୍ରତିଶତ ଶିଶୁଙ୍କ ଠାରେ ରହିଛି । ଏହି ରିପୋର୍ଟ ମୁତାବକ ଭଦ୍ରକ, ଝାରସୁଗୁଡା, ବାଲେଶ୍ୱର, ଯାଜପୁର ଓ ନୟାଗଡ ଜିଲ୍ଲାରେ ଏହି ହାର ୨୯ରୁ ୨୦ ପ୍ରତିଶତ ମଧ୍ୟରେ ରହିଛି । ତେବେ ଜାତୀୟ ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟରେ କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ ଓ ଜଗତ୍ସିଂହପୁର ଜିଲ୍ଲାରେ ଶିଶୁଙ୍କ ମଧ୍ୟରେ କୁପୋଷଣର ହାର ୧୧ରୁ ୧୯ ପ୍ରତିଶତ ମଧ୍ୟରେ ସୀମିତ ରହିଛି । ଓଡ଼ିଶାରେ ଅନୁ୍ୟନ ୧୬ଟି ଜିଲ୍ଲାରେ ଶିଶୁମାନଙ୍କ ଭିତରେ କୁପୋଷଣ ହାର ଜାତୀୟ ହାରଠାରୁ ଢେର୍ ଅଧିକ ଅଛି । ବିଶେଷ କରି ଶିଳ୍ପ ସମୃଦ୍ଧ ଓ ଖଣିଖାଦାନ ଭରା ଆଦିବାସୀ ଅଧୁ୍ୟଷିତ ଜିଲ୍ଲା ଗୁଡିକରେ କୁପୋଷଣ ହାର ଅଧିକ ରହିବା ଚିନ୍ତାର କାରଣ ହୋଇଛି । ଓଡ଼ିଶାରେ ଅପପୁଷ୍ଟି ହାର କମାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ବିଶେଷକରି ରାଜ୍ୟର ପାଖାପାଖି ୭୩ହଜାର ଅଙ୍ଗନବାଡି ମାଧ୍ୟମରେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇ ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ଅଣ୍ଡା, ଛତୁଆ ସମେତ ବିଭିନ୍ନ କିସମର ପୁଷ୍ଟିକର ଖାଦ୍ୟ ସାମଗ୍ରୀ ଯୋଗାଯାଉଛି । ଏହାଛଡା ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀମାନଙ୍କ ମାଧ୍ୟମରେ ଶିଶୁ ଓ ମହିଳାମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଉପରେ ବି ନଜର ରଖାଯାଇଛି । ଅପପୁଷ୍ଟି ଏବଂ ରକ୍ତହୀନତା ଓଡ଼ିଶାର ଶିଶୁ ଓ ମହିଳାଙ୍କ ପାଇଁ ବଡ଼ ଆହ୍ୱାନ ହୋଇଥିବାବେଳେ ଖାଦ୍ୟ ନିରାପତ୍ତା ଯୋଜନାରେ ପ୍ରାୟ ୩କୋଟି ୩୦ଲକ୍ଷ ଲୋକଙ୍କୁ ରାଜ୍ୟରେ ସାମିଲ କରାଯାଇଛି ଯେଉଁଥିରୁ ସଂଖ୍ୟାଧିକ ହେଉଛନ୍ତି ମହିଳା ଓ ଶିଶୁ । ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ଓଡ଼ିଶାରେ ଏବେବି ଅନୁ୍ୟନ ୭୫ ପ୍ରତିଶତ ଖାଦ୍ୟ ଦୃଷ୍ଟିରୁ ଅସୁରକ୍ଷିତ ଥିବାରୁ ସେମାନଙ୍କୁ ମାଗଣା ଚାଉଳ ଯୋଗା ଯାଉଛି । ଏହାଛଡ଼ା ବାର୍ଦ୍ଧକ୍ୟ, ବିଧବା, ଶାରିରୀକ ଭିନ୍ନକ୍ଷମ ଆଦି ବିଭିନ୍ନ କିସମର ଭତ୍ତା ମଧ୍ୟ ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମ ଆଳରେ ଯୋଗାଯିବା ସହ କୃଷକମାନଙ୍କୁ ‘କାଳିଆ’ ଓ ‘ପିଏମ୍ କିଷାନ’ ଯୋଗା ଚାଲିଛି ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ଇନ୍ଦିରା ଆବାସ ଯୋଜନା ଆରମ୍ଭରୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର ଆଦି ଯୋଜନାରେ ପ୍ରାୟ ୫୦ଲକ୍ଷ ଘର ଯୋଗାଯାଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ପୁଷ୍ଟିହୀନତା ନିରାକରଣ କ୍ଷେତ୍ରରେ ବିଦ୍ୟାଳୟ ଗୁଡ଼ିକରେ ପରଷା ଯାଉଥିବା ଅଣ୍ଡା କିମ୍ବା ଛେନାଯୁକ୍ତ ମଧ୍ୟାହ୍ନଭୋଜନ ବେଶ୍ ଉପାଦେୟ ହେଉଥିବା କୁହାଯାଉଛି ।