ଗଡିÿଲା ଭଦ୍ରକ-ନୟାଗଡ଼ ମେମୁ
ଭୁବନେଶ୍ୱର/କଟକ, ୩ଠା୩ (ବୁ୍ୟରୋ): ପବିତ୍ର ରାମ ନବମୀ ଅବସରରେ କଟକ ରେଳ ଷ୍ଟେସନରେ ଭଦ୍ରକ-ନୟାଗଡ଼ ଟାଉନ ମେମୁ ଟ୍ରେନର ଶୁଭାରମ୍ଭ ହୋଇଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁଜ ପତାକା ଦେଖାଇ ଟ୍ରେନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି, କଟକ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ୩୦୩ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି । ଖୁବ ଶୀଘ୍ର କାମ ଆରମ୍ଭ ହେବ । ଲୋକଙ୍କଠାରୁ ଡିଜାଇନ ଆହ୍ୱାନ କରାଯାଇଛି । ଲୋକଙ୍କ ମତାମତ ପରେ ସର୍ବଶ୍ରେଷ୍ଠ ଡିଜାଇନକୁ ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯିବ । ଏହାସହ ଓଡ଼ିଶାର ୫୭ଟି ରେଳ ଷ୍ଟେସନର ଉନ୍ନତୀକରଣ କରାଯିବ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ଏହି ଟ୍ରେନର ଶୁଭାରମ୍ଭ ଦ୍ୱାରା ଭଦ୍ରକ ଓ ନୟାଗଡ଼ବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି । ଧାମନଗରର ଯୁବ ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କ ଅନୁରୋଧକୁ ରଖି ଏହି ରେଳ ପ୍ରକଳ୍ପକୁ ଅନୁମୋଦନ କରି ସର୍ବୋପରି ଓଡ଼ିଶା ତଥା ଓଡ଼ିଆଙ୍କ ବିକାଶ ପାଇଁ ନିଜର ପ୍ରତିବଦ୍ଧତା ଦେଖାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଏହି ନୂତନ ଟ୍ରେନ ସ୍ଥାନୀୟ ନାଗରିକଙ୍କୁ ଉନ୍ନତ ରେଳ ଭିତ୍ତିଭୂମି ଏବଂ ସୁବିଧା ସୁଯୋଗ ପ୍ରଦାନ କରିବ । ମାର୍ଚ୍ଚ ୩୧ରୁ ଏହା ନିୟମିତ ସେବା ଆରମ୍ଭ କରିବ । ଉଭୟ ପାଶ୍ୱର୍ର ଲୋକୋଟ୍ରେନ ସେବା ପାଇ ପାରିବେ ।
ଏହି ଟ୍ରେନ ନିୟମିତ ଭଦ୍ରକରୁ ନୟାଗଡ଼ ଯାତ୍ରା କରିବ । ସକାଳ ୫ଟା ୪୫ରେ ଏହି ମେମୁ ଟ୍ରେନ ଭଦ୍ରକ ଛାଡ଼ି ପୂର୍ବାହ୍ନ ୧୧.୪୫ ମିନିଟରେ ନୟାଗଡ଼ ଟାଉନରେ ପହଞ୍ଚିବ । ସେହିପରି ନୟାଗଡ଼ ଟାଉନରୁ ଏହି ଟ୍ରେନ୍ ଅପରାହ୍ନ ୫ଟା ୫ ମିନିଟରେ ଛାଡ଼ି
ଭଦ୍ରକ ଠାରେ ରାତି ୧୦ଟା ୪୫ ମିନିଟରେ ପହଞ୍ଚିବ । ଏହି ଟ୍ରେନ୍ ଉଭୟ ଦିଗରୁ ଭଦ୍ରକ ଓ ନୟାଗଡ଼ ଟାଉନ୍ ମଧ୍ୟରେ ଥିବା ସମସ୍ତ ଷ୍ଟେସନ୍ ଓ ପାସେଞ୍ଜର ହଲ୍ଟରେ ରହିବ ।
ଆଗାମୀ ଦିନରେ ଭୁବନେଶ୍ୱର ଓ କଟକ ଷ୍ଟେସନକୁ ଅନ୍ତର୍ରାଷ୍ଟ୍ରୀୟ ଷ୍ଟେସନ କରିବା କଳ୍ପନା ରଖାଯାଇଛି । ଖୁବ୍ଶୀଘ୍ର ଓଡ଼ିଶାରେ ବନେ୍ଦ ଭାରତ ଟ୍ରେନ୍ ଚଳାଚଳ ହେବ । ମହାପ୍ରଭୁଙ୍କ ଆଶୀର୍ବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପରାମର୍ଶରେ ଓଡ଼ିଶାରେ ପ୍ରଗତିର ରଥ ଗତିଶୀଳ ହେବ । ଦେଶର ଅର୍ଥନୀତିରେ ଓଡ଼ିଶାର ବହୁତ ବଡ ଯୋଗଦାନ ରହିବ ବୋଲି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ବିଧାୟକ ମହମ୍ମଦ ମୁକିମ୍, ବିଧାୟକ ସୁରଜ ସୂର୍ଯ୍ୟବଂଶୀ ପ୍ରମୁଖ ଉପସ୍ଥିତ ଥିଲେ ।