୩ ମୃତ, ଜଣେ ଗୁରୁତର
ପରୀକ୍ଷା ଦେଇ ଫେରିବାବେଳେ ଧକ୍କା ଦେଲା କାର୍
ସୋନପୁର,୨୨ା୩ (ଆପ୍ର): ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର-ବିନିକା ରାସ୍ତା କଡରେ ଥିବା ଶରଧାପାଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଗରେ ବୁଧବାର ପୂର୍ବାହ୍ଣରେ ଦୁର୍ଘଟଣା ଘଟି ୩ ଜଣ ଷଷ୍ଠ ଶ୍ରେଣୀ ଛାତ୍ର ପ୍ରାଣ ହରାଇଛନ୍ତି । ଜଣେ ଛାତ୍ର ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପିଲାମାନେ ପରୀକ୍ଷା ଦେଇ ସ୍କୁଲ୍ ହତା ବାହାରକୁ ବାହାରୁଥିବା ବେଳେ ସେମାନଙ୍କ ଉପରେ କାର୍ ଚଢିଯାଇଥିଲା । ଦୁର୍ଘଟଣାସ୍ଥଳରେ ଉଗ୍ର ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି ।
୩ ଜଣ ଛାତ୍ର ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ଛାତ୍ରମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏହାସହିତ ଆହତ ଛାତ୍ରର ଆଶୁଆରୋଗ୍ୟ କାମନା କରିବା ସହ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ୫୦ ହଜାର ଟଙ୍କାର ସହାୟତା ମଧ୍ୟ ଘୋଷଣା କରିଛନ୍ତି । ପୂର୍ବାହ୍ଣ ପ୍ରାୟ ୧୧ଟା ବେଳେ ଅର୍ଜୁନପୁର ଦିଗରୁ ବିନିକା ଅଭିମୁଖେ ଏକ କାର୍ ଦ୍ରୁତ ବେଗରେ ଯାଉଥିଲା । ଡ୍ରାଇଭର ବେପରୁଆଭାବେ ଗାଡି ଚଳାଉଥିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ପିଲାମାନେ ସେତେବେଳେ ପରୀକ୍ଷା ଦେଇ ଘରକୁ ଫେରୁଥିଲେ । କାର୍ଟି ସେମାନଙ୍କୁ ଥକ୍କା ଦେବାରୁ ୪ ଜଣ ଛାତ୍ର ଆହତ ହୋଇଥିଲେ । ୩ ଜଣଙ୍କ ଅବସ୍ଥା ଗୁରୁତର ଥିଲା । ସମସ୍ତଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ରାଜା ପେରା ଓ ସୁବ୍ରତ ଭୋଇଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗୁରୁତର ଅବସ୍ଥାରେ ଥିବା ରାଜେଶକୁ ବୁର୍ଲା ପଠାଯାଇଥିଲା । କିନ୍ତୁ ବାଟରେ ପିଲାଟିର ପ୍ରାଣବାୟୁ ଉଡିଯାଇଥିଲା । ଅନ୍ୟ ଆହତ ଅଷ୍ଟମ ଶ୍ରେଣୀର ଛାତ୍ର କପିଳ ଭୁଏ ସୋନପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛି ।
ଶରଧାପାଲୀ ଗାଁର ଲୋକମାନେ କାର୍ ଡ୍ରାଇଭରକୁ ଅଟକ ରଖି ସୋନପୁର ପୁଲିସ୍ ଜିମା ଦେଇଥିଲେ । ସେମାନେ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି କରିଥିଲେ । ଜିଲ୍ଲା ଏସ୍ପି ଅମରେଶ ପଣ୍ଡା ଓ ଉପଜିଲ୍ଲାପାଳ ଡ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଦୁର୍ଘଟଣାସ୍ଥଳରେ ପହଞ୍ଚô ଲୋକଙ୍କୁ ବୁଝାସୁଝା କରିଥିଲେ ।