ବାପା-ମା-ପୁଅ ମୃତ
ପିକ୍ଅପ୍-ବାଇକ୍ ଧକ୍କା
ଉମରକୋଟ, ୨୦ ।୩ (ଆପ୍ର): ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନିଜଣଙ୍କ ମୃତୁ୍ୟ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । କିନ୍ତୁ ସୌଭାଗ୍ୟବଶତ ଜଣେ ଶିଶୁ ମୃତୁ୍ୟ ମୁଖରୁ ବଞ୍ଚି ଯାଇଛନ୍ତି । ଶିଶୁଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକମାନେ ହେଲେ ଡାବୁଗାଁ ଥାନା ଅନ୍ତର୍ଗତ ଜୁନାପାଣି ପଞ୍ଚାୟତ ମୋତିଗାଁର ବୁଦୁ ଭତ୍ରା, ବୁଦୁ ଭତ୍ରାଙ୍କ ସ୍ତ୍ରୀ ରତୁଲା ଭତ୍ରା ଓ ତାଙ୍କ ପୁଅ ଚୈତନ୍ୟ ଭତ୍ରା । ଘଟଣାସ୍ଥଳରେ ଉମରକୋଟ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ଘଟାଇଥିବା ପିକ୍ଅପ୍ର ଡ୍ରାଇଭର୍ ମୋଟିରମ୍ ହରିଜନକୁ ଅଟକ ରଖିଛି ଉମରକୋଟ ପୁଲିସ । ଏଥିସହ ଦୁର୍ଘଟଣା ଘଟାଇଥିବା ପିକ୍ଅପ୍କୁ ଜବତ କରିଛି । ଗୋଟିଏ ବାଇକ୍ରେ ଚାରିଜଣ ଧୋଡ୍ରା ଗ୍ରାମରୁ ମଣ୍ଡେଇ ଯାତ୍ରା ଦେଖି ଡାବୁଗାଁ ଅଭିମୁଖେ ନିଜ ଗାଁକୁ ଯାଉଥିବା ସମୟରେ ଅପର ପଟୁ ଏକ ପିକ୍ ଅପ୍ ଭ୍ୟାନ ଆସୁଥିଲା । ବାଇକ୍ଟି ଏକ ଟ୍ରାକ୍ଟରକୁ ଓଭର୍ଟେକ୍ କରି ଚାଲିଯିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ନବରଙ୍ଗପୁର ଠାରୁ ଉମରକୋଟକୁ ସଂଯୋଗ କରୁଥିବା ରାସ୍ତାର ବକଡ଼ାବେଡ଼ା ନିକଟରେ ଏକ ପିକ୍ଅପ୍ ଓ ମଟର ସାଇକଲ ମୂହାମୁଁହି ଧକ୍କା ହୋଇଥିବାରୁ ଏପରି ଦୁର୍ଘଟଣା ଘଟିଛି । ନବରଙ୍ଗପୁର ଉପଜିଲ୍ଲାପାଳ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି ଆହତ ଶିଶୁକୁ ଦେଖିଥିଲେ । ମୃତକମାନେ ତିନି ଜଣକ ପାଇଁ ତାଙ୍କ ପରିବାରକୁ ୬୦ ହଜାର ଟଙ୍କା ଓ ଶିଶୁଟିର ଚିକିତ୍ସା ପାଇଁ ୨୦ ହଜାର ଟଙ୍କା ଦିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ । ଶିଶୁଟକୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍କୁ ସ୍ଥାନାନ୍ତର କରାଯିବ ବୋଲି ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ କହିଛନ୍ତି ।