ଦିବ୍ୟାଙ୍ଗ ଓ ୮ଠ+
ଘରେ ଭୋଟ୍ ଦେବେ
ବେଙ୍ଗଲୁରୁ, ୧୧ା୩: କର୍ଣ୍ଣାଟକରେ ହେବାକୁ ଥିବା ବିଧାନସଭାରେ ନିର୍ବାଚନରେ ଦିବ୍ୟାଙ୍ଗ ଓ ୮୦ ବର୍ଷରୁ ଅଧିକ ବୟସର ବୃଦ୍ଧ-ବୃଦ୍ଧାଙ୍କ ପାଇଁ ଘରେ ଥାଇ ମତଦାନ କରିବା ବ୍ୟବସ୍ଥା ହେଉଛି । ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଶନିବାର କହିଛନ୍ତି, ଦେଶର ପ୍ରଥମ ଥର ପାଇଁ ବୟୋବୃଦ୍ଧ ବ୍ୟକ୍ତି ଓ ଦିବ୍ୟାଙ୍ଗମାନଙ୍କ ପାଇଁ ଏପରି ବିକଳ୍ପ ଭୋଟିଂ ପ୍ରକ୍ରିୟା ପ୍ରଥମେ କର୍ଣ୍ଣାଟକରେ ଆରମ୍ଭ କରାଯିବ । କର୍ଣ୍ଣାଟକରେ ୧୦୦ରୁ ଅଧିକ ବର୍ଷ ବୟସର ୧୬,୯୭୬ ଭୋଟର ଅଛନ୍ତି । ସେହିପରି ୮୦ରୁ ଅଧିକ ବୟସର ଭୋଟର ସଂଖ୍ୟା ୧୨ ଲକ୍ଷ ୧୫ ହଜାର ଓ ୫ ଲକ୍ଷ ୫୫ ହଜାର ଦିବ୍ୟାଙ୍ଗ ଭୋଟର ଅଛନ୍ତି । ନିର୍ବାଚନ ସହ ସମ୍ପୃକ୍ତ କର୍ମଚାରୀମାନେ ବୟୋବୃଦ୍ଧ ଓ ଦିବ୍ୟାଙ୍ଗ ଭୋଟରଙ୍କ ଘରକୁ ୧୨ଡି ଫର୍ମ ସହ ଯିବେ । ଏହି ଭୋଟିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ ଗୁପ୍ତ ରହିବ ଏବଂ ଏହାର ଭିଡିଓଗ୍ରାଫି କରାଯିବ । ୮୦ ବର୍ଷରୁ ଅଧିକ ବୟସର ଭୋଟରମାନେ ମତଦାନ ପାଇଁ ବୁଥ୍କୁ ଆସିବାରେ ମନା ନାହିଁ । ତେବେ ଯେଉଁମାନେ ଆସି ନ ପାରିବେ, କେବଳ ସେହିମାନଙ୍କୁ ଏହି ବିକଳ୍ପ ଉପଲବ୍ଧ ହେବ ।
ଏହାଛଡା ଦିବ୍ୟାଙ୍ଗମାନଙ୍କ ପାଇଁ ‘ସକ୍ଷମ’ ନାମକ ଏକ ମୋବାଇଲ୍ ଆପ୍ ଆରମ୍ଭ କରାଯାଇଛି । ଦିବ୍ୟାଙ୍ଗମାନେ ସେଥିରେ ଲଗ୍ଇନ୍ କରି ଇଚ୍ଛାନୁସାରେ ଭୋଟ୍ ଦେଇପାରିବେ । ସେହିପରି ‘ସୁବିଧା’ ନାମକ ଆଉ ଏକ ମୋବାଇଲ୍ ଆପ୍ ବିକଶିତ ହୋଇଛି । ଏହା ଏକ ଅନ୍ଲାଇନ୍ ପୋର୍ଟାଲ୍ ଯାହା ମାଧ୍ୟମରେ ପ୍ରାର୍ଥୀମାନେ ନାମାଙ୍କନ ଓ ସତ୍ୟପାଠ ଦାଖଲ କରିପାରିବେ । ଆଚରଣବିଧି ଉଲ୍ଲଂଘନ ସମ୍ବନ୍ଧୀୟ ଅଭିଯୋଗ ଦାଖଲ ପାଇଁ ଇ-ଭିଜିଲ୍ ମୋବାଇଲ୍ ଆପ୍ ପ୍ରଚଳନ କରାଯାଇଛି ।
ବେଙ୍ଗଲୁରୁରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ କୁମାର ଓ ଅନ୍ୟ ଦୁଇ ଆୟୁକ୍ତ ଅନୁପ ଚନ୍ଦ୍ର ପାଣ୍ଡେ ଓ ଅରୁଣ ଗୋଏଲ୍ ସାମ୍ବାଦିକ ସମ୍ମିଳନୀରେ ଆଗାମୀ କର୍ଣ୍ଣାଟକ ବିଧାନସଭା ପାଇଁ ଆୟୋଗର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେବା ମଧ୍ୟରେ ଏକଥା ପ୍ରକାଶ କରିଛନ୍ତି ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ସମ୍ପର୍କରେ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ସିଇସି କହିଲେ, ମେ’ ୨୪ ପୂର୍ବରୁ ନିର୍ବାଚନ ହେବ । ତେବେ କେତେ ପର୍ଯ୍ୟାୟରେ ଭୋଟିଂ ହେବ ସେ ବିଷୟରେ ସିଇସି ନିର୍ଦ୍ଦିଷ୍ଟଭାବେ କିଛି କହି ନ ଥିଲେ । ତାଙ୍କ ମତରେ ଏହା ଆୟୋଗଙ୍କ ବିଶେଷାଧିକାର । ତାଛଡା ସୁରକ୍ଷା ବାହିନୀର ଉପଲବ୍ଧତା, ପରୀକ୍ଷା ଓ ପର୍ବପର୍ବାଣି ଉପରେ ଭୋଟିଂ ପର୍ଯ୍ୟାୟ ନିର୍ଭର କରିବ ।
୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ଅନୁସୂଚିତ ଜାତି ପାଇଁ ୩୬ ଓ ଅନୁସୂଚିତ ଜନଜାତି ପାଇଁ ୧୫ ଆସନ ସଂରକ୍ଷିତ ରହିଛି । ରାଜ୍ୟର ମୋଟ୍ ୫.୨୧ କୋଟି ମତଦାତାଙ୍କ ମଧ୍ୟରୁ ୨.୫ କୋଟି ମହିଳା । ଏଥର କର୍ଣ୍ଣାଟକରେ ୯.୧୭ ଲକ୍ଷ ଲୋକ ପ୍ରଥମ ଥର ପାଇଁ ଭୋଟ୍ ଦେବେ ।