ଜିନ୍ସ ପିନ୍ଧି ଗର୍ଭଗୃହରେ ସେବାୟତ, ଅଧିକାରୀ

ଶ୍ରୀମନ୍ଦିରରେ ଡ୍ରେସ୍ କୋଡ୍ ନିୟମକୁ ଫୁ’
ଅଧିକାରୀ ବଦଳିଲେ ବଦଳୁଛି ନିଷ୍ପତ୍ତି
ଭକ୍ତ ମହଲରେ ତୀବ୍ର ଅସନ୍ତୋଷ
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିର ପରିସର ସବୁଠାରୁ ଭିନ୍ନ । ସେଠାରେ ଏକପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ଏଠାକୁ ପ୍ରତିଦିନ ଦେଶର କୋଣଅନୁକୋଣରୁ ଭକ୍ତମାନେ ଆସିଥାନ୍ତି । ସେମାନଙ୍କ ମନରେ ଅନେକ ଦୁଃଖ, କଷ୍ଟ ରହିଥିଲେ ସୁଦ୍ଧା ମହାପ୍ରଭୁଙ୍କୁ ରତ୍ନସିଂହାସନରେ ଦର୍ଶନ କରିବା ପରେ ତାହା ଆପେ ଆପେ ମନରୁ ଉଭେଇ ଯାଏ । ସେହି ଭକ୍ତିଭାବକୁ ଆହୁରି ଦୁଇଗୁଣ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତ ଓ ଅଧିକାରୀଙ୍କ ଲାଗି ଡ୍ରେସ୍ କୋଡ୍ ଲାଗୁ କରାଯାଇଥିଲା । ଏନେଇ ଗତ ୨୦୨୧ ଅକ୍ଟୋବର ୧୨ରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଥିଲା । ତତ୍ସହିତ ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨୧ ତାରିଖ ଅର୍ଥାତ୍ କୁମାର ପୂର୍ଣ୍ଣିମାଠାରୁ ଏହି ନିୟମ ସେବାୟତଙ୍କ କ୍ଷେତ୍ରରେ ଲାଗୁ କରାଯିବ ବୋଲି ବୈଠକରେ ମୋହର ଲାଗିଥିଲା ।
ସେହିଭଳି ୨୦୨୧ ମସିହା ନଭେମ୍ବର ୫ରୁ ଶ୍ରୀମନ୍ଦିର କର୍ମଚାରୀ, ଜେଟିପିଙ୍କ ପାଇଁ ଲାଗୁ କରାଯାଇଥିଲା । ଏପରିକି ସେମାନେ ଭିତରକାଠ ନିକଟରୁ ରତ୍ନସିଂହାସନ ପର୍ଯ୍ୟନ୍ତ ପାରମ୍ପରିକ ପୋଷାକ ପରିଧାନ କରି ସେବାୟତମାନେ ନୀତିକାନ୍ତି କରିବା ସହ ଡୁ୍ୟଟିରେ ଥିବା କର୍ମଚାରୀମାନେ ପିନ୍ଧିବେ ବୋଲି ପୂର୍ବତନ ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ଘୋଷଣା କରିଥିଲେ । ଏହାରି ମଧ୍ୟରେ ମୁଖ୍ୟ ପ୍ରଶାସକ ବଦଳିବାର ବର୍ଷେ ବିତିଯାଇଥିଲେ ସୁଦ୍ଧା ସେହି ନିୟମକୁ କାର୍ଯ୍ୟ କରିବାରେ ଫେଲ୍ ମାରିଛି ପ୍ରଶାସନ । ଏବେ ବି ସେବାୟତଙ୍କ ଠାରୁ ଆରମ୍ଭ କରି ଅଧିକାରୀମାନେ ଜିନ୍ସ ପ୍ୟାଣ୍ଟ ଓ ସାର୍ଟ ପିନ୍ଧି ଗର୍ଭଗୃହକୁ ସିଧାସଳଖ ପ୍ରବେଶ କରୁଛନ୍ତି । ଯାହାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ଏନେଇ ବୁଦ୍ଧିଜୀବୀମାନେ କୁହନ୍ତି, ଶ୍ରୀମନ୍ଦିରରେ ଅଧିକାରୀ ବଦଳିରେ ବଦୁଳୁଛି ନିଷ୍ପତ୍ତି । ପୂର୍ବରୁ ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଥିବା କି୍ରଷନ କୁମାର ସେବାୟତ ଓ କର୍ମଚାରୀଙ୍କ ଲାଗି ଡ୍ରେସ୍ କୋଡ୍ ନିୟମ ଲାଗୁ କରାଯିବ ବୋଲି ଘୋଷଣା କରିଥିଲେ । ଏପରିକି କିଛି ଦିନ ଧରି ସେବାୟତମାନେ ମଧ୍ୟ ଡ୍ରେସ୍ କୋଡ୍ରେ ଶ୍ରୀମନ୍ଦିରକୁ ଆସୁଥିଲେ । ଫଳରେ ସେହି ସମୟରେ ସେବାୟତଙ୍କୁ ଦେଖିଲେ ଭକ୍ତଙ୍କ ମନରେ ଏକ ଅଲଗା ଭାବନା ଜାତ ହେଉଥିଲା । ହେଲେ ଅଧିକାରୀ ଜଣଙ୍କ ବଦଳିଗଲା ପରେ ନୂତନ ଭାବେ ଯୋଗ ଦେଇଥିବା ଅଧିକାରୀ ସେହି କଟକଣା ନିୟମକୁ ସମ୍ପୂର୍ଣ୍ଣ ଭାବେ ଭୁଲିଗଲେ । ଫଳରେ ଏହାକୁ ନେଇ ଏବେ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ନୂତନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବାରମ୍ବାର ଛତିଶା ନିଯୋଗ ଓ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲେ ହେଁ ଡ୍ରେସ୍ କୋଡ୍ କଟକଣା ଉପରେ ଥରୁଟିଏ ଆଲୋଚନା ହୋଇ ନ ଥିବା ଜଣାପଡ଼ିଛି ।
ସୂଚନାଥାଉକି, ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଦିଗରେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଥିବା ବେଳେ ଡ୍ରେସ୍ କୋଡ୍ ନିୟମକୁ ଅଣଦେଖା କରିବା ଅତ୍ୟନ୍ତ ଦୁଭାର୍ଗ୍ୟଜନକ ଘଟଣା । ଡ୍ରେସ୍ କୋଡ୍ ନିୟମ ଲାଗୁ ନ ହେବା ଫଳରେ ଖୁଲମ୍ଖୁଲା ମହାପ୍ରଭୁଙ୍କ ପରମ୍ପରାକୁ କ୍ଷୁର୍ଣ୍ଣ କରାଯାଉଛି । ଆଗାମୀ ଦିନରେ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବାକୁ ସାଧାରଣ ଭକ୍ତଙ୍କ ମହଲରେ ଦାବି ଜୋର୍ ଧରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *