ହିମାଚଳରେ ଗଠନ ହୋଇପାରୁନି ମନ୍ତ୍ରିମଣ୍ଡଳ

କଂଗ୍ରେସର ପାରିବାପଣିଆ ନେଇ ପ୍ରଶ୍ନବାଚୀ
ଶିମଲା (ଏଜେନ୍ସି): ଯେତେ ଚେଷ୍ଟା କଲେ ମଧ୍ୟ ଦଳରେ ଥିବା ଆଭ୍ୟନ୍ତରୀଣ କନ୍ଦଳ ତଥା ନେତା-ମନ୍ତ୍ରୀଙ୍କ ଅଯୋଗ୍ୟ ପଣିଆକୁ କଂଗ୍ରେସ ଲୁଚାଇ ପାରୁନାହିଁ । ଗୋଟିଏ ପଟେ ରାଜସ୍ଥାନରେ ସଚିନ୍ ପାଇଲଟ୍ ଏବଂ ଅଶୋକ ଗେହଲଟ୍ଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ କାରଣରୁ ସମାଲୋଚିତ ହେଉଥିବା କଂଗ୍ରେସ ପାଇଁ ଆଉ ଏକ ହାସ୍ୟାସ୍ପଦ ଘଟଣା ସାମ୍ନାକୁ ଆସିଛି । ହିମାଚଳ ପ୍ରଦେଶରେ ବହୁମତ ହାସଲ କରିବା ସତ୍ତ୍ୱେ କଂଗ୍ରେସ ବର୍ତ୍ତମାନ ସୁଦ୍ଧା କ୍ୟାବିନେଟ୍ ସମ୍ପ୍ରସାରଣ କରିପାରୁନାହିଁ ।
ହିମାଚଳରେ କଂଗ୍ରେସ ସୁଖବିନ୍ଦର ସୁଖୁଙ୍କୁ ମୁଖ୍ୟମନ୍ତ୍ରୀ କରିଛି । ଗତ ୮ତାରିଖରୁ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇସାରିଛି । ସେହିପରି ୧୧ ତାରିଖ ସୁଦ୍ଧା ସୁଖବିନ୍ଦର ସୁଖୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ମଧ୍ୟ ଗ୍ରହଣ କରିନେଲେ । ଇତି ମଧ୍ୟରେ ଗୋଟିଏ ସପ୍ତାହ ବିତି ସାରିଛି । କିନ୍ତୁ ସୁଖୁ ବର୍ତ୍ତମାନ ସୁଦ୍ଧା ନିଜ ମନ୍ତ୍ରିମଣ୍ଡଳକୁ ପୂର୍ଣ୍ଣାଙ୍ଗ ରୂପ ଦେବାରେ ବିଫଳ ହୋଇଛନ୍ତି । ଏହାପଛରେ ତାଙ୍କର ଯେ ଅଯୋଗ୍ୟ ପଣିଆ ରହିଛି ସେକଥା ନୁହେଁ । ତେବେ ଦଳର ହାଇକମାଣ୍ଡ ଏବଂ ପ୍ରଦେଶ କଂଗ୍ରେସ ନେତାଙ୍କ ମଧ୍ୟରେ ସହମତି ପ୍ରକାଶ ପାଉନଥିବାରୁ କ୍ୟାବିନେଟ୍ ସମ୍ପ୍ରସାରଣ ହୋଇପାରୁନଥିବା ଜଣାପଡିଛି । ପ୍ରାପ୍ତ ସୂଚନାନୁସାରେ ରାଜ୍ୟ ମନ୍ତ୍ରିମଣ୍ଡଳରେ କେଉଁମାନଙ୍କୁ ସ୍ଥାନିତ କରାଯିବ ସେନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ରାଜ୍ୟ ପ୍ରଭାରୀ, ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ମୁଖ୍ୟଙ୍କ ସହ ଏସମ୍ପର୍କରେ ଆଲୋଚନା କରିବା ପୂର୍ବକ ଏହି ତାଲିକା ପ୍ରସ୍ତୁତ କରିଥିଲେ । କିନ୍ତୁ ହାଇକମାଣ୍ଡ୍ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି ।
ପ୍ରକାଶ, ହିମାଚଳର ବଡ଼ ନେତାଭାବେ ପରିଚିତ ଦିବଂଗତ ବୀରଭଦ୍ର ସିଂହ (ପୂର୍ବତନ ମୁଖ୍ୟମନ୍ତ୍ରୀ)ଙ୍କ ପତ୍ନୀ ପ୍ରତିଭା ଦେବୀ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ନକରି ହାଇକମାଣ୍ଡ୍ ସୁଖବିନ୍ଦର ସୁଖୁଙ୍କୁ ମୁଖ୍ୟମନ୍ତ୍ରୀ କରିଛନ୍ତି । କିନ୍ତୁ କ୍ୟାବିନେଟ୍ ଗଠନ ଦିଗରେ ସୁଖୁଙ୍କୁ ଫ୍ରି ହ୍ୟାଣ୍ଡ୍ ଦେଉନାହାନ୍ତି । ସୁଖୁ ନିଜ ପ୍ରସ୍ତାବିତ କ୍ୟାବିନେଟ୍ରେ ନିଜ ଗୋଷ୍ଠୀର ଅଧିକାଂଶ ନେତାଙ୍କୁ ସ୍ଥାନିତ କରୁଥିବା ବେଳେ ପ୍ରତିଭା ଦେବୀ ସିଂହ ଏହାକୁ ବିରୋଧ କରୁଛନ୍ତି । ପ୍ରତିଭା, ନିଜ ଗୋଷ୍ଠୀରୁ କିଛି ନେତାଙ୍କୁ କ୍ୟାବିନେଟ୍ରେ ସ୍ଥାନ ଦେବା ପାଇଁ ଜିଦ୍ରେ ଅଡିବସିଛନ୍ତି । ହାଇକମାଣ୍ଡ୍ ମଧ୍ୟ ପ୍ରତିଭାଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନି । ଏତଦ୍ବ୍ୟତୀତ ଶିମଲା ଆସନକୁ ନେଇ ମଧ୍ୟ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଜାରି ରହିଛି । ଶିମ୍ଲା ବିଧାନସଭା ଆସନର କୋଟା ଅନୁସାରେ ଏଠାରୁ ୨ଜଣ କିମ୍ବା ଅତିବେଶୀରେ ୩ଜଣ ହିଁ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରିବେ । କିନ୍ତୁ ଏଠାରୁ ୫ଜଣ ମନ୍ତ୍ରୀ ପଦ ପାଇଁ ଆଶାୟୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୩ଜଣଙ୍କୁ ମନ୍ତ୍ରୀ ପଦ ଦେଇ ବାକି ୨ଜଣଙ୍କୁ ବିଧାନସଭା ବାଚସ୍ପତି ଏବଂ ଉପବାଚସ୍ପତି ପଦ ଦେବାକୁ ସୁଖୁ ଚାହୁଁଥିବା ବେଳେ କେହି ଏହି ଦୁଇ ପଦ ନେବାକୁ ଚାହୁଁନାହାନ୍ତି । ଅନ୍ୟପକ୍ଷେ ଏହି ୫ଜଣଙ୍କ ମଧ୍ୟରେ ନିଜ ଗୋଷ୍ଠୀର ୨ଜଣ ରହିଥିବା ବେଳେ ବାକି ୩ଜଣ ପ୍ରତିଭା ସିଂହଙ୍କ ଗୋଷ୍ଠୀର ଏବଂ ଗାନ୍ଧୀ ପରିବାରର ଅତ୍ୟନ୍ତ ନିକଟତର ରହିଛନ୍ତି । ସୁତରାଂ ଏମାନଙ୍କୁ ବାଦ୍ ଦେବା ସୁଖୁଙ୍କ ପକ୍ଷେ ସମ୍ଭବ ହେଉନାହିଁ । ସ୍ଥିତି ଏବେ ଏପରି ହୋଇଛି, ରାଜ୍ୟରେ କଂଗ୍ରେସର କ୍ଷମତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ତେବେ କିଛି ନେତାଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ନିଶ୍ଚିତ ହୋଇସାରିଛି । ଏସବୁ ମଧ୍ୟରେ କ୍ୟାବିନେଟ୍ ସମ୍ପ୍ରସାରଣ ହୋଇପାରୁନଥିବାରୁ ସରକାରୀ କାର୍ଯ୍ୟକ୍ରମ ମଧ୍ୟ ଅଧାପନ୍ତରିଆ ଭାବେ ପଡ଼ି ରହିଛି । ଏହାକୁ ନେଇ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *