କୋଇଲା ଗାଡ଼ି ଚଳାଚଳ ବନ୍ଦ ଦାବିରେ ରାସ୍ତା ରୋକ୍
ଛେଣ୍ଡିପଦା (ଆପ୍ର): ଅନୁଗୋଳରୁ ଛେଣ୍ଡିପଦା ଦେଇ ଯାଉଥିବା ୬୩ ନଂ ରାଜ୍ୟ ରାଜପଥରେ ଦୈନନ୍ଦିନ ଭାରିଯାନ ଚଳାଚଳ କରୁଥିବାରୁ ରାସ୍ତାର ଅବସ୍ଥା ଶୋଚନୀୟ ହେବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଏହାର ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ହେଁ ଏଯାବତ୍ ଏହାର କିଛି ସୁଫଳ ନ ମିଳିବାରୁ ପୁନର୍ବାର କୋଶଳା ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଦିଷ୍ଟ ଅର୍ଥନୈତିକ ରାସ୍ତା ଅବରୋଧ ଜାରି ରହିଛି । କେବଳ କୋଇଲା ବୋଝେଇ ଭାରୀଯାନ ଚଳାଚଳକୁ ବନ୍ଦ କରାଯାଇଛି ।
ଆନେ୍ଦାଳନରେ ପ୍ରଶାସନ ପକ୍ଷରୁ ସମାଧାନ ନିମନ୍ତେ ପ୍ରତିଶୃତି ମିଳିଥିଲେ ମଧ୍ୟ ଏହାର ସୁଫଳ ନ ମିଳିବାରୁ ରାସ୍ତାରେ କେବଳ କୋଇଲା ଭାରିଯାନକୁ ବନ୍ଦ କରାଯାଇଛି । ରାସ୍ତାରେ କୋଇଲା ବୋଝେଇ ଭାରିଯାନ ଚଳାଚଳ କରିବାର ନ ଥିବା ସୂଚନା ଅଧିକାର ଆଇନ ଦ୍ୱାରା ଜଣାପଡ଼ିବା ପରେ କୋଶଳା ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭାରିଯାନ ଚଳାଚଳକୁ ବନ୍ଦ କରାଯାଇଥିଲା । ଗ୍ରାମବାସୀଙ୍କ ପକ୍ଷରୁ ବାଇପାସ୍ ରାସ୍ତା ତିଆରି କରି ଭାରିଯାନ ଚଳାଚଳ ପାଇଁ ଅନୁରୋଧ କରାଯାଇଛି । ବାଇପାସ୍ ରାସ୍ତା ନିର୍ମାଣରେ ପ୍ରଶାସନକୁ ସମସ୍ତ ସହଯୋଗ କରାଯିବ ବୋଲି ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି । ରାସ୍ତାକୁ କିପରି ଭାରିଯାନ ଚଳାଚଳରେ ବ୍ୟବହାର କରାଯାଇପାରିବ ବୋଲି ସୂଚନା ଅଧିକାରରେ ମଗାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସନ୍ତୋଷ ଜନକ ଉତ୍ତର ମିଳିପାରୁନାହିଁ । ସମାଧାନ ନ ହେବା ପର୍ଯ୍ୟନ୍ତ କୋଇଲା ବୋଝେଇ ଭାରିଯାନ ଚଳାଚଳ ବନ୍ଦ ରହିବ ବୋଲି କୋଶଳା ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।