ଆକର୍ଷଣ ସାଜିବ ଲେଜର୍ ଲାଇଟ୍ ଶୋ’
ଐତିହାସିକ ବାଲିଯାତ୍ରାକୁ ଆଉ ୩ ଦିନ
କଟକ (ବୁ୍ୟରୋ): ଆଉ ମାତ୍ର ଦିନ କେଇଟା ପରେ ଐତିହାସିକ ବାଲିଯାତ୍ରା । ଚଳିତ ବର୍ଷ ବାଲିଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଦୁଇବର୍ଷ ପରେ ଏଥର ଆନ୍ତର୍ଜାତିକସ୍ତରୀୟ ଆୟୋଜନ କରାଯାଉଛି । ବାଲିଯାତ୍ରାର ପଡିଆ ସହିତ ମହାନଦୀର ଜଳରାଶିକୁ ଉପଯୋଗ କରାଯାଇଛି । କ୍ୟାଣ୍ଟେନମେଣ୍ଟ ଥାନା ଠାରୁ ସିଲିଭର ସିଟି ବୋଟିଂ କ୍ଲବ୍ ପର୍ଯ୍ୟନ୍ତ ୬୦ ଫୁଟର ପ୍ରଶସ୍ତ ରାସ୍ତା ତିଆରି କରାଯାଉଛି । ସନ୍ଧ୍ୟାରେ ମହାନଦୀ କୂଳରେ ପର୍ଯ୍ୟଟକଙ୍କୁ ମିଳିବ ମନୋରଞ୍ଜନର ନୂଆ ଖୋରାକ । ମହାନଦୀ ଜଳରାଶିରେ ମଲ୍ଟି ମିଡିଆ ଲେଜର ଲାଇଟ ଶୋ କରାଯିବ । ଏହି ଶୋ ୮ରୁ ୧୭ ପର୍ଯ୍ୟନ୍ତ ଚାଲୁରହିବ ।
କଟକର ଇତିହାସ, ବାଲିଯାତ୍ରାର ଐତିହ୍ୟ, ପରମ୍ପରା ତଥା ପୁରୁଣା କୀର୍ତ୍ତିରାଜିକୁ ସ୍ମରଣୀୟ କରିବା ନିମେନ୍ତ ଏକ ୫ମିନିଟର ସଟ୍ ଫିଲ୍ମ ପ୍ରଦର୍ଶିତ କରାଯିବ । ସେହିପରି ସଙ୍ଗୀତ ସହିତ ହାଇ ପାୱାର ଫାଉଣ୍ଟେନ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବ । ଓଡ଼ିଶାରେ ପ୍ରଥମ ଥର ପାଇଁ ହେଉଥିବା ଏହି ଲେଜର ଶୋ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିବ ବୋଲି କୁହାଯାଉଛି । ସେହିପରି ଲେଜର ଲାଇଟ ସହ ପର୍ଯ୍ୟଟକଙ୍କୁ ମିଳିବ ୱାଟର ସ୍ପୋର୍ଟସର ମଜା । ସ୍ଥଳଭାଗ ସହିତ ଜଳଭାଗକୁ ସାମିଲ କରି ବାଲିଯାତ୍ରାରେ ଦେଖଣାହାରୀଙ୍କୁ ଦିଆଯିବ ପାଣିରେ ବୋଟିଂ ଡ୍ରାଇଭିଂର ମଜା । ଟ୍ରାଫିକ ଅସୁବିଧାକୁ ଦୂର କରିବାକୁ ଏଭଳି ଆୟୋଜନ ପର୍ଯ୍ୟଟକଙ୍କ ପାଇଁ କରାଯାଇଥିବା ଜଣାପଡ଼ିଛି ।