୯ମ, ୧ଠମ ପାଇଁ ନୂଆ ସିଲାବସ୍
କଟକ ୧୭ ।୧୦(ବୁ୍ୟରୋ): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ଦ୍ୱାରା ପରିଚାଳିତ ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ନୂତନ ସଂସ୍କରଣ ଅଣାଯାଇଛି । ଏହି ପାଠ୍ୟକ୍ରମରେ ନୂତନ ଭାବେ ଆସପିରେସନାଲ କମ୍ପୋନେଣ୍ଟ ବିଷୟକୁ ସାମିଲ କରାଯାଇଛି । ଏହି ବିଷୟରେ ୪ଟି ବିଭାଗ ରଖାଯାଇଛି । ସେଥିମଧ୍ୟରୁ ବୁକ ରିଭୁ୍ୟ, ପ୍ରୋଜେକ୍ଟ ୱାର୍କ, କୋ-କରିକୁଲାର ଆକ୍ଟିଭିଟିଜ ଏବଂ ବେସିକ ଆଇଟି ସ୍କିଲସ ରହିଛି । ଛାତ୍ରଛାତ୍ରୀମାନେ ପ୍ରତି ବିଭାଗରେ ୨୫ ମାର୍କ ଲେଖାଏଁ ପରୀକ୍ଷା ଦେବେ ବୋଲି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡର ସଭାପତି ରାମାଶିଷ ହାଜରା ସୂଚନା ଦେଇ କହିଛନ୍ତି, ଏହି ପାଠ୍ୟକ୍ରମ ଆସନ୍ତା ୨୦୨୩-୨୪ରେ ଉଭୟ ନବମ ଓ ଦଶମରେ ଏହା କାର୍ଯ୍ୟକରାରୀ କରାଯିବ । ପ୍ରତିବର୍ଷ ୪ଟି ପର୍ଯ୍ୟାୟରେ ଏହି ବିଷୟରେ ପରୀକ୍ଷା କରାଯିବ । ପ୍ରଥମ ତିନୋଟି ପର୍ଯ୍ୟାୟରେ ୫ ମାର୍କ ଲେଖାଏଁ ପରୀକ୍ଷା ହେବାକୁ ଥିବାବେଳେ ଶେଷ ପର୍ଯ୍ୟାୟରେ ୧୦ ମାର୍କରେ ପରୀକ୍ଷା ହେବ । ଏଭଳି ଭାବେ ଉକ୍ତ ୪ଟି ବିଷୟରେ ମୋଟ ୧୦୦ ମାର୍କର ପରୀକ୍ଷା ଛାତ୍ରଛାତ୍ରୀମାନେ ଦେବେ । ସ୍କୁଲ ପକ୍ଷରୁ ଉକ୍ତ ପରୀକ୍ଷାର ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ସ୍କୁଲର ଶିକ୍ଷକ ପରୀକ୍ଷା ମୂଲ୍ୟାୟନ କରିବେ । ଏହି ପରୀକ୍ଷାରେ କୌଣସି ଛାତ୍ରଛାତ୍ରୀ ଫେଲ ହେବେ ନାହିଁ କିମ୍ବା ସେମାନଙ୍କ ଭବିଷ୍ୟତ ମାର୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଛାତ୍ରଛାତ୍ରୀମାନେ ରଖିଥିବା ମାର୍କ ଅନୁଯାୟୀ ବିଭିନ୍ନ ଗ୍ରେଡ୍ ପ୍ରଦାନ କରାଯିବ । ୮୦ ପ୍ରତିଶତ ମାର୍କ ରଖିଥିବା ପିଲାଙ୍କୁ ଗ୍ରେଡ- ଏ, ୬୦ରୁ ୮୦ ପ୍ରତିଶତ ମାର୍କ ମଧ୍ୟରେ ଗ୍ରେଡ-ବି, ୪୦ରୁ ୬୦ ପ୍ରତିଶତ ମାର୍କ ଲାଗି ଗ୍ରେଡ-ସି ଏବଂ ୪୦ ପ୍ରତିଶତରୁ କମ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ଗ୍ରେଡ-ଡି ମିିଳିବ । ଏହି ଗ୍ରେଡ ହାଇସ୍କୁଲ ପ୍ରମାଣପତ୍ରରେ ରହିବ ବୋଲି ସଭାପତି ଶ୍ରୀ ହାଜରା କହିଛନ୍ତି ।
ସେ ପୁଣି କହିଛନ୍ତି, ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀ ପରେ କୌଣସି କଲେଜରେ ନାମ ଲେଖାଇବା ପରେ ଏହି ସମସ୍ତ ଆକ୍ଟିଭିଟିଗୁଡିକ ସମ୍ପୃକ୍ତ କଲେଜରେ ଥିଲେ ସେମାନେ ଏଥିରେ ଅଂଶଗ୍ରହଣ କରିବାକୁ ସୁବିଧା ହେବ । ରାଜ୍ୟ ସରକାର ପ୍ରତି ସ୍କୁଲକୁ ରୂପାନ୍ତରିକରଣ କରୁଥିବାବେଳେ ପାଠପଢା ନିମନ୍ତେ ଆବଶ୍ୟକୀୟ ସୁବିଧା ଯୋଗାଇ ଦେଉଛନ୍ତି । ତେଣୁ ସବୁ ଛାତ୍ରଛାତ୍ରୀଙ୍କର କିଭଳି ଅନ୍ତର୍ନିହିତ ଦକ୍ଷତାର ବିକାଶ ଘଟିବ ସେଥିଲାଗି ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଦେ୍ର୍ଦଶକ୍ରମେ ବୋର୍ଡ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ଫର୍ମେଟିଭ ଆସେସମେଣ୍ଟ (ଏଫଏ) ଓ ସମ୍ମେଟିଭ ଆସେସମେଣ୍ଟ (ଏସଏ)ରେ ଆସପିରେସନାଲ କମ୍ପୋନେଣ୍ଟ ବିଷୟକୁ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ବିଷୟର ୪ ବିଭାଗରେ ପରୀକ୍ଷା ପଦ୍ଧତି ସୂଚନା ଦିଆଯାଇଛି । ବୁକ ରିଭୁ୍ୟରେ ଛାତ୍ରଛାତ୍ରୀମାନେ ଏକ ବହିକୁ ପଢିବେ ଏବଂ ଏହାର ସାରାଂଶ ଲେଖିବେ । ଆତ୍ମଜୀବନୀ ପୁସ୍ତକ କିମ୍ବା ଉପନ୍ୟାସ ପୁସ୍ତକକୁ ବାଦଦେଇ ଛାତ୍ରଛାତ୍ରୀମାନେ ଅନ୍ୟ ସମସ୍ତ ପୁସ୍ତକକୁ ଅନୁସରଣ କରିପାରିବେ । ଏହାବାଦ ସେମାନେ ନିଜର ପୂର୍ବ ଶ୍ରେଣୀର ପାଠ୍ୟପୁସ୍ତକକୁ ରିଭୁ୍ୟ କରିପାରିବେ ।
ସେହିଭଳି ପ୍ରୋଜେକ୍ଟ ୱାର୍କରେ ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମ ଅନ୍ତର୍ଗତ ଏବଂ ପାଠ୍ୟକ୍ରମ ବାହାର ବିଷୟକୁ ନେଇପାରିବେ । କିନ୍ତୁ ଫର୍ମେଟିଭ ଆସେସମେଣ୍ଟରେ ଯେଉଁ ବିଷୟରେ ଛାତ୍ରଛାତ୍ରୀ ପ୍ରେଜେକ୍ଟ ୱାର୍କ କରିଥିବେ ସେହି ବିଷୟରେ ଆଉଥରେ ପ୍ରୋଜେକ୍ଟ ୱାର୍କ କରାଯାଇପାରିବନାହିଁ । କୋ-କରିକୁଲାଇ ଆକ୍ଟିଭିଟିଜରେ ପ୍ରାୟ ୭ଟି ଆକ୍ଟିଭିଟିକୁ ସାମିଲ କରାଯାଇଥିବାବେଳେ ଏଥିରୁ ୩ଟିକୁ ଛାତ୍ରଛାତ୍ରୀମାନେ ନେବେ । ଫିଜିକାଲ ଡେଭଲପମେଣ୍ଟ ଆକ୍ଟିଭିଟି ବାଧ୍ୟତାମୂଳକ ହୋଇଥିବା ବେଳେ ଅନ୍ୟ ୬ଟି ଯଥା ଲିଟେରାସି, କଲଚରାଲ ଡେଭେଲପମେଣ୍ଟ, ସୋସିଆଲ ଡେଭଲପମେଣ୍ଟ, ସିଟିଜେନସିପି ଟ୍ରେନିଂ, ଲିଜର ଟାଇମ, ଇଣ୍ଟରନ୍ୟାସନାଲ ଆଣ୍ଡ ନ୍ୟାସନାଲ ଇଣ୍ଟିଗ୍ରେସନ ଡେଭଲପମେଣ୍ଟ ଆକ୍ଟିଭିଟି ମଧ୍ୟରୁ ୨ଟିକୁ ଚୟନ କରିବାକୁ ହେବ । ଯଦି କୌଣସି ଛାତ୍ରଛାତ୍ରୀ ରାଜ୍ୟ ତଥା ଜାତୀୟସ୍ତରରେ ଭାଗ ନେଇଥିବେ ତାହଲେ କେବଳ ଗୋଟିଏ ଆକ୍ଟିଭିଟିକୁ ନେଇପାରିବେ । ଅନ୍ୟ ୨ଟି ଆକ୍ଟିଭିଟି ସେମାନଙ୍କ ନିମନ୍ତେ ଇଚ୍ଛାଧୀନ । ସେହିପରି ବେସିକ୍ ଆଇଟି ସ୍କିଲସରେ ଛାତ୍ରଛାତ୍ରୀଙ୍କୁ ଇଣ୍ଟରନେଟ, କମ୍ପୁ୍ୟଟର ଅପରେଟିଙ୍ଗ, ଟାଇପିଂ, ମାଇକ୍ରୋସଫ୍ଟ ଅଫିସ, ଏକ୍ସେଲ ଓ ପାୱର ପଏଣ୍ଟ ଆଦି ଉପରେ ପଢିବାକୁ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ ହାଜରା ସୂଚନା ଦେଇଛନ୍ତି ।