୨୯ରେ ପାୱାର୍ ସୋ
୨୪ ସାଧରଣ ନିର୍ବାଚନ ପାଗଭିଡ଼ା
ଭୁବନେଶ୍ୱର (ବୁ୍ୟରୋ): ମିଶନ ୨୦୨୪ ପାଇଁ ଆସନ୍ତା ୨୯ରେ ଭୁବନେଶ୍ୱର କମ୍ପେଇବେ ୩ ପ୍ରମୁଖ ରାଜନୈତିକ ଦଳ । ଜନତା ମଇଦାନରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନ‡ା କର୍ମକର୍ତ୍ତାଙ୍କୁ ବିଜୟ ମନ୍ତ୍ର ସହ ଦେବେ । ଠିକ ସେଇଦିନ ବିଜେଡିର ଛାମୁଆ ସଙ୍ଗଠନ ନେତାଙ୍କୁ ଆଗାମୀ ରଣନୀତି ଓ କାର୍ଯ୍ୟପନ୍ଥା ନେଇ ବରମୁଣ୍ଡା ପଡ଼ିଆରୁ ମାର୍ଗଦର୍ଶନ ଦେବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏପଟେ ଓଡ଼ିଶାରେ ଭାରତ ଯୋଡ଼ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସେହିଦିନ ପିସିସି ସଭାପତି ଶରତ ପଟ୍ଟନାୟକ ଖୋର୍ଦ୍ଧାରେ କରିବେ ବୈଠକ । ମିଶନ ୨୦୨୪ ପାଇଁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳର ସମରସଜ୍ଜା ଆରମ୍ଭ ହୋଇଛି । ଆସନ୍ତା ୨୯ ତାରିଖରେ ବିଜେପି, ବିଜେଡି ଓ କଂଗ୍ରେସର ବଡ଼ କାର୍ଯ୍ୟକ୍ରମ ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ପଲିଟିକାଲ୍ ପାୱାର ସୋ’ ଦେଖିବାକୁ ମିଳିବ ବୋଲି ଏବେଠୁ ଚର୍ଚ୍ଚା ଜୋର ଧରିଛି ।
୨୯ରୁ ପାଗଭିଡ଼ିବେ ୩ ଦଳ । ନ‡ାଙ୍କ ସଭାରେ ପାଣିପାଗ ଯଦି ଠିକ ରୁହେ ତେବେ ୩୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି । ଦଳକୁ ଆହୁରି ସଙ୍ଗଠିତ କରିବା ସହ ରାଜଧାନୀରୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିବ ବୋଲି ବିଜେପି ଆଶା ରଖିଛି ।
ସେହିପରି ବିଜେଡି ବିଧିବଦ୍ଧ ଘୋଷଣା କରିନଥିଲେ ମଧ୍ୟ ୨୦୨୪ ପାଇଁ ଦଳ ବ୍ୟାପକ ଭାବେ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ନିର୍ବାଚନମଣ୍ଡଳୀ ୱାରି ପଦଯାତ୍ରା କରିବ ବିଜେଡି । ବରମୁଣ୍ଡା ପଡିଆରୁ ଏନେଇ ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ପଦଯାତ୍ରାର ସଫଳ କରିବାକୁ ମୁଖ୍ୟ ଦାୟିତ୍ୱ ଦଳର ଛାତ୍ର, ଯୁବ ଓ ମହିଳା ସଙ୍ଗଠନ ତୁଲାଇବେ । ଏ ସକାଶେ ମୁଖ୍ୟମନ୍ତ୍ରୀ ଦଳର ବରିଷ୍ଠ ନେତା ଓ ତିନି ଛାମୁଆ ସଙ୍ଗଠନର ମୁଖିଅ । ଏବଂ ବଡ଼ ପଦାଧିକାରୀଙ୍କ ସହ ଆଲୋଚନା କରିବେ । ତୃଣମୂଳସ୍ତରରେ କିଭଳି କସରତ କରିବାକୁ ହେବ, ସେଥିପାଇଁ ଛାମୁଆ ସଙ୍ଗଠନ ନେତାମାନଙ୍କୁ ଦିଗଦର୍ଶନ ଦେବେ । ଏନେଇ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି । ନେତା ଦେବୀ ମିଶ୍ର, ଅରୁଣ ସାହୁ, ପ୍ରମିଳା ମଲ୍ଲିକ ଓ ଦେବୀ ପ୍ରସାଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ସେପଟେ କଂଗ୍ରେସ ମଧ୍ୟ ସମାନ ଭାବରେ ଖୋର୍ଦ୍ଧା ବରୁଣେଇରେ ଏକ ବିରାଟ କର୍ମୀ ସମ୍ମିଳନୀ ଆୟୋଜନ କରିଛି । କଂଗ୍ରେସର ଭାରତଯୋଡ ପଦଯାତ୍ରାକୁ କିଭଳି ଅଧିକ କ୍ରିୟାଶୀଳ କରାଯିବ ସେନେଇ ରୋଡ଼ ମ୍ୟାପ ପ୍ରସ୍ତୁତ କରିବ ଦଳ । ୨୯ରେ ଭାରତ ଯୋଡ଼ ଅଭିଯାନ ପାଇଁ ଖୋର୍ଦ୍ଧାରେ କଂଗ୍ରେସର ବୈଠକ ହେବ । ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକ ଯୋଗ ଦେବା ସହ ଦଳୀୟ କର୍ମକର୍ତ୍ତାଙ୍କୁ ୨୦୨୪ ନେଇ ଆହ୍ୱାନ ଦେବେ ବୋଲି ଜଣାପଡ଼ିଛି ।