ସ୍ପେନ ସହ ଭାରତର ପ୍ରଥମ ମୁକାବିଲା

ଆସିଲା ୨ଠ୨୩ ବିଶ୍ୱକପ୍ ହକି ଖେଳସୂଚୀ, ୧୬ ଟିମ୍, ୪୪ ମ୍ୟାଚ୍
ଭୁବନେଶ୍ୱର, ୨୭ା୯(ବୁ୍ୟରୋ): ୨୦୨୩ ବିଶ୍ୱକପ ହକି ପାଇଁ ଖେଳ ସୂଚୀ ଘୋଷିତ ହୋଇଛି । ଭୁବନେଶ୍ୱର ଓ ରାଉରକେଲାରେ ହେବାକୁ ଥିବା ବିଶ୍ୱକପର ଉଦଘାଟନୀ ମ୍ୟାଚ୍ ୨୦୨୩ ଜାନୁଆରୀ ୧୩ ତାରିଖରେ କଳିଙ୍ଗ ହକି ଷ୍ଟାଡିୟମରେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । କଳିଙ୍ଗରେ ସେହିଦିନ ଦ୍ୱିତୀୟ ମ୍ୟାଚ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ ଖେଳାଯିବ । ପରେ ସେହିଦିନ ରାଉରକେଲାର ନବନିର୍ମିତ ର୍ବିସା ମୁଣ୍ଡା ହକି ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଇଂଲଣ୍ଡ ଓ ୱେଲସ ମଧ୍ୟରେ ଖେଳାଯିବ । ଦ୍ୱିତୀୟ ମ୍ୟାଚରେ ଆୟୋଜକ ଭାରତର ମୁକାବିଲା ସ୍ପେନ ସହ ହେବ । ବିଶ୍ୱକପରେ ଭାଗ ନେଉଥିବା ସମସ୍ତ ଦଳ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ମ୍ୟାଚ ଖେଳିବେ ।
୨୦୧୮ ଭଳି ୨୦୨୩ରେ ଓଡ଼ିଶାରେ ହକି ବିଶ୍ୱକପ ଆୟୋଜନ ହେବାକୁ ଯାଉଛି । ଜାନୁଆରୀ ୧୩ରୁ ଭୁବନେଶ୍ୱର ଓ ରାଉରକେଲାରେ ବିଶ୍ୱକପ ମ୍ୟାଚ୍ ଆରମ୍ଭ ହୋଇ ଜାନୁଆରୀ ୨୯ ଯାଏ ଚାଲିବ । ଏଥିରେ ମୋଟ ୧୬ ଦଳ ଭାଗ ନେବେ । ୧୬ ଦଳକୁ ୪ ପୁଲ୍ ବା ଗ୍ରୁପରେ ଭାଗ କରାଯାଇଛି । ପ୍ରତି ଗ୍ରୁପରେ ୪ ଲେଖାଏ ଦେଶ ରହିଛନ୍ତି । ବିଶ୍ୱକପରେ ମୋଟ ୪୪ ମ୍ୟାଚ୍ ଖେଳାଯିବ । ଲିଗ୍ ପର୍ଯ୍ୟାୟ ମ୍ୟାଚ ପରେ ଗ୍ରୁପର ୧ନଂ ସ୍ଥାନରେ ରହୁଥିବା ଦଳ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ । କିନ୍ତୁ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଦଳ କ୍ରସ ଓଭର ମ୍ୟାଚ୍ ଖେଳିବେ । ଏହାର ବିଜେତା ଟପ୍ ୮ ବା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ । କ୍ରସ ଓଭର ମ୍ୟାଚ୍ ଗୁଡ଼ିକ ୨୨ ତାରିଖରୁ ଆରମ୍ଭ ହେବ । ସମସ୍ତ କ୍ରସ ଓଭର ମ୍ୟାଚ୍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ସେହିପରି ୪ କ୍ୱାର୍ଟର ଫାଇନାଲ, ୨ ସେମି ଫାଇନାଲ ଓ ଫାଇନାଲ ମଧ୍ୟ ଭୁବନେଶ୍ୱରରେ ଆୟୋଜନ ହେବ । ଫାଇନାଲ ମ୍ୟାଚ୍ ଜାନୁଆରୀ ୨୯ ତାରିଖ ସନ୍ଧ୍ୟା ୭ଟାରେ କଳିଙ୍ଗରେ ଖେଳାଯିବ ।
ବିଶ୍ୱକପରେ ଭାଗ ନେବାକୁ ଯାଉଥିବା ୧୬ ଦେଶକୁ ୪ ପୁଲରେ ବିଭକ୍ତ କରାଯାଇଛି । ପୁଲ୍-ଏରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି । ପୁଲ୍-ବିରେ ବେଲଜିଅମ୍, ଜର୍ମାନୀ, କୋରିଆ, ଜାପାନ ସାମିଲ ହୋଇଛନ୍ତି । ଏବଂ ପୁଲ୍-ସିରେ ନେଦରଲାଣ୍ଡସ୍, ନୁ୍ୟଜିଲାଣ୍ଡ, ମାଲେସିଆ, ଚିଲୀ ରହିଛନ୍ତି । ପୁଲ୍-ଡିରେ ଭାରତ ସହ ଇଂଲଣ୍ଡ, ସ୍ପେନ୍, ୱେଲ୍ସ ବି ସାମିଲ ହୋଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *