ଏ ବର୍ଷ କମ୍ ଖରିଫ୍ ଧାନ ଉତ୍ପାଦନ

ନୂଆଦିଲ୍ଲୀ (ଏଜେନ୍ସି): ଚଳିତ ବର୍ଷ ଖରିଫ ଧାନ ଉତ୍ପାଦନ ୧ଠ-୧୨ ନିୟୁତ ଟନ୍ ହ୍ରାସ ହୋଇପାରେ । ଚାଉଳ ରପ୍ତାନୀ ଉପରେ ରୋକ୍ ଲଗାଯିବାର ଦିନକ ପରେ କେନ୍ଦ୍ର ସରକାର ଏପ୍ରକାର ଆକଳନ ଲଗାଇଛନ୍ତି । ତେବେ ଭାରତରେ ଅତିରିକ୍ତ ଷ୍ଟକ୍ ଉପଲବ୍ଧ ରହିଛି, ସୁତରାଂ ଏହାକୁ ନେଇ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ସରକାରୀ ଅଧିକାରୀମାନେ କହିଛନ୍ତି । ଦେଶରେ ପର୍ଯ୍ୟାପ୍ତ ଚାଉଳ ଉପଲବ୍ଧତା ସୁନିଶ୍ଚିତ କରାଇବା ଉଦେ୍ଦଶ୍ୟରେ ଦିନକ ପୂର୍ବେ ଚାଉଳ ରପ୍ତାନୀ ଉପରେ ନିଷେଧାଦେଶ ଲାଗୁ କରାଯାଇଥିଲା । ୨୪ଘଣ୍ଟା ମଧ୍ୟରେ ଶୁକ୍ରବାର କେନ୍ଦ୍ର ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି । କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି, ଚଳିତ ବର୍ଷ ମୌସୁମୀଜନିତ ବର୍ଷା କାରଣରୁ ଦେଶର ଅନେକ ପ୍ରାନ୍ତରେ ଚାଷଜମିଗୁଡିକ ପ୍ରଭାବିତ ହୋଇପଡିଛି । ବିଶେଷ କରି ଚଳିତ ବର୍ଷ ମୌସୁମୀ ବର୍ଷା ଅଭାବରୁ ଦେଶର ୪ ରାଜ୍ୟ ମରୁଡ଼ି ପ୍ରଭାବିତ ରାଜ୍ୟ ଭାବେ ଚିହ୍ନଟ ହୋଇଛନ୍ତି । ଏହି ୪ ରାଜ୍ୟରୁ ପ୍ରାୟ କୃଷି ଉପଯୋଗୀ ଚାଷଜମିର ପରିମାଣ ମଧ୍ୟ ୨୫ଲକ୍ଷ ହେକ୍ଟର ପର୍ଯ୍ୟନ୍ତ ହ୍ରାସ ପାଇଛି । ୨୫ଲକ୍ଷ ହେକ୍ଟର ଚାଷଜମିରୁ ପ୍ରାୟତଃ ୭/୮ ମିଲିଅନ୍ ଟନ୍ ଧାନ ଉତ୍ପାଦନ ହେଉଥିବା ବେଳେ ଚଳିତ ବର୍ଷ ଏହା ବାଧିତ ହୋଇଛି । ଆଉ କେତେକ ରାଜ୍ୟରେ ମାତ୍ରାଧିକ ବର୍ଷା ମଧ୍ୟ ଖରିଫ୍ ଫସଲକୁ ପ୍ରଭାବିତ କରିଥିବା ବେଳେ କେତେକ ରାଜ୍ୟରେ ଫସଲ ବିବିଧିକରଣ ଯୋଗୁ ଫସଲ ଉତ୍ପାଦନ ହ୍ରାସ ପାଇଛି । ମୋଟାମୋଟି ଚଳିତ ବର୍ଷ ଖରିଫ ଚାଉଳ ଉତ୍ପାଦନ ୧ଠ-୧୨ ନିୟୁତ ଟନ୍ ହ୍ରାସ ହୋଇପାରେ ବୋଲି ଅନୁମାନ କରାଯାଉଛି ବୋଲି ସେ କହିଛନ୍ତି । ଖାଦ୍ୟ ସଚିବଙ୍କ କହିବାନୁସାରେ ଡିଏ ଆଣ୍ଡ୍ ଏଫ୍ଡବ୍ଲୁ୍ୟ ଅନୁଯାୟୀ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଚଳିତ ବର୍ଷ ମୋଟ୍ ୩୮.ଠ୬ ଲକ୍ଷ ହେକ୍ଟରରୁ କମ୍ ଚାଷ ଜମିରେ ଏଥର ଫସଲ (ଧାନ ରୁଆ) ଲଗାଯାଇଥିଲା । ଯାହାଫଳରେ ଚଳିତ ବର୍ଷ ଧାନ ଉତ୍ପାଦନ ୧ଠ-୧୨ ନିୟୁତ ଟନ୍ ପର୍ଯ୍ୟନ୍ତ ହ୍ରାସ ପାଇବା ଆଶଙ୍କା କରାଯାଇପାରେ । ତେବେ ଯେଉଁ ଅଞ୍ଚଳରେ ସ୍ୱାଭାବିକ ବର୍ଷା ହୋଇଛି ସେହିସବୁ ଅଞ୍ଚଳରେ ଅଧିକ ଧାନ ଉତ୍ପାଦନ ହୋଇପାରେ ଯାହାକି କମ୍ ବର୍ଷା, ଫସଲ ବିବିଧିକରଣ ତଥା ବନ୍ୟା ଭଳି ସ୍ଥିତି ଜନିତ କ୍ଷତିର କିଛି ମାତ୍ରାରେ ଭରଣା କରିବ ବୋଲି ମଧ୍ୟ ଆଶା କରାଯାଉଛି । ପ୍ରକାଶ, ଅଣ ବାସୁମତି ଚାଉଳ ଉପରେ ୨ଠ% ରପ୍ତାନି ଶୁଳ୍କ ଲାଗୁ କରିବା ପରେ ସରକାର ଗତକାଲି ମୂଲ୍ୟ ହ୍ରାସ କରିବାକୁ ଚେଷ୍ଟା କରି ସମସ୍ତ ପ୍ରକାର ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ । ୨ଠ୨୨ ଏପ୍ରିଲ୍-ଜୁଲାଇ ମଧ୍ୟରେ ଭାରତର ବାସୁମତି ଚାଉଳ ରପ୍ତାନୀ ପ୍ରକ୍ରିୟା ମଧ୍ୟରେ ମଧ୍ୟରେ ଇରାନ୍କୁ ୩୪%, ସାଉଦି ଆରବକୁ ୧୯%, ୟୁଏଇକୁ ୮%, ଇରାକ୍କୁ ୭% ଏବଂ ୟେମେନ୍କୁ ୫% ଚାଉଳ ପଠାଯାଇଛି । ସୂଚନାଯୋଗ୍ୟ, ଅନ୍ୟପକ୍ଷେ ୨ଠ୨୫ ସୁଦ୍ଧା ଇ୨ଠ ମିଶ୍ରଣ ପାଇଁ ଭାରତକୁ ପ୍ରାୟ ୧୧ଠଠ କୋଟି ଲିଟର ଇଥାନଲ ଆବଶ୍ୟକତା ରହିଥିବା ବେଳେ ଏହା କେବଳ ଚିନି ଭିତ୍ତିକ ଫିଡ୍ ଷ୍ଟକରୁ ପୂରା କରାଯାଇପାରିବ ନାହିଁ । ଏଥିପାଇଁ ଜାତୀୟ ଜୈବ ଇନ୍ଧନ ନୀତି ୨ଠ୧୮ ଅନୁଯାୟୀ, ସରକାର ଶସ୍ୟ ଭିତ୍ତିକ ଫିଡଷ୍ଟକ୍ରୁ ଇଥାନଲ ଉତ୍ପାଦନକୁ ଅନୁମତି ଦେଇଛନ୍ତି । ସୁତରାଂ ଆଗାମୀ ଦିନରେ ଇଥାନଲ୍ ପ୍ରସ୍ତୁତି ପାଇଁ ମଧ୍ୟ ଶସ୍ୟର ପର୍ଯ୍ୟାପ୍ତ ଉପଲବ୍ଧତା ଉପରେ କେନ୍ଦ୍ର ସରକାର ଜୋର ଦେଉଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *