ବର୍ଷାରେ ବିଲ-ରାସ୍ତା ଚିହ୍ନିହେଉନି
ବନ୍ତ (ଆପ୍ର): ବନ୍ତ ବ୍ଲକ୍ ରାମପୁର, ରାମକୃଷ୍ଣପୁର, ଛୟାଳସିଂ, ଓଡ଼ଙ୍ଗ, ଗଣିଜାଙ୍ଗ ସମେତ ବିଭିନ୍ନ ପଞ୍ଚାୟତରେ ଲଘୁଚାପ ବର୍ଷାରେ ଚାଷଜମି ପାଣିରେ ବୁଡ଼ି ରହିଛି । ବର୍ଷା ଅଭାବରୁ ଚାଷୀମାନେ ତଳି ପକାଇ ପାରି ନଥିବା ବେଳେ ସାମାନ୍ୟ ପାଗ ଦେଖି ଚାଷୀ ତଳି ପକାଇଥିଲେ । ହେଲେ ଏବେ ଅନିୟମିତ ବର୍ଷା ପାଇଁ ଚାଷଜମିରେ ପାଣି ଲହଡ଼ି ଭାଙ୍ଗୁଛି । ଫଳରେ ଗଜାମରୁଡ଼ି ଓ ତଳି ପଚିଯିବାରୁ କିପରି ଜମି ବେଉଷଣ ହେବ ତାହାକୁ ନେଇ ଚାଷୀ ଚିନ୍ତା ପ୍ରକଟ କରିଛନ୍ତି । ଶ୍ରାବଣ ଶେଷ ହେବାକୁ ବସିଥିବା ବେଳେ ଏ ପର୍ଯ୍ୟନ୍ତ ରୁଆ କାର୍ଯ୍ୟ ହୋଇ ପାରି ନାହିଁ । ଋଣ କରି ଚାଷ ପାଇଁ ପାଗ ଭିଡ଼ିଥିବା ବେଳେ ଲଘୁଚାପ ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି । ଅପରପକ୍ଷେ ଚାଷଜମିରୁ ଜଳ ନିଷ୍କାସନରେ ବାଧକ ସାଜିଛି ଭଙ୍ଗା କାଡ଼ାନାଳ । ନିମ୍ନମାନର କାମ ଯୋଗୁଁ କାଡ଼ାନାଳ ଗୁଡ଼ିକ ଧସି ଭାଙ୍ଗିଯାଇଥିବାରୁ ବିଲରୁ ପାଣି ନିଷ୍କାସନ ହୋଇପାରୁନାହିଁ ।
ନିକଟରେ କପାଳି ନଦୀ ଥିବାରୁ କନ୍ତିଆର ଯେନା ସାହି, ଶାସନ, ନାୟକ ସାହି, ରାଉତ ସାହିରେ ବନ୍ୟାପାଣି ଚାଷଜମିରେ ମାଡ଼ିବା ସହିତ ଘରେ ପଶି ଯାଇଥିବା ଦେଖିବାକୁ ମିଳିଛି । ଏଥିଯୋଗୁ ଚାଷୀଙ୍କ ସମେତ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଚାଷଜମି ରାସ୍ତା ଏକକାର ହୋଇ ଯାଇଛି । ଏଭଳି ସ୍ଥିତିରେ ଚାଷୀ ଧାନ ବେଉଷଣ ଆଶା ଛାଡ଼ି ଦେଲାଣି ।