ଡାକ୍ତର ଅଭାବ: ରୋଗୀସେବା ବିପର୍ଯ୍ୟସ୍ତ
କଙ୍କଡାହାଡ (ଆପ୍ର): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ୍ରେ ଡାକ୍ତର ଅଭାବ ଯୋଗୁ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ଏହାକୁ ନେଇ କଙ୍କଡାହାଡ ସାମ୍ବାଦିକ ସଙ୍ଘ ତରଫରୁ ଡାକ୍ତର ନିଯୁକ୍ତି ନେଇ ଏକ ଦାବୀ ପତ୍ର ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । କଙ୍କଡାହାଡ ଏବଂ ମହାବିରୋଡ ଚିକିତ୍ସାଳୟରେ ଡାକ୍ତର ନ ଥିବା ସହିତ ଆବଶ୍ୟକୀୟ କର୍ମଚାରୀ ମଧ୍ୟ ନାହାଁନ୍ତିି । ବିରାଶାଳରେ ଏକ ସ୍ୱାସ୍ଥ୍ୟକେନ୍ଦ୍ର ଥିଲା ବେଳେ ଡାକ୍ତର କି କର୍ମଚାରୀ ରହୁନାହାଁନ୍ତି । କିଛି ଦିନ ତଳେ ଡାକ୍ତରଖାନା ପରିସରରେ ଥିବା ଏକ ଗଛମୂଳେ ଏକ ମହିଳା ସନ୍ତାନ ପ୍ରସବ କରିବା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ମହାବିରୋଡ ଅଞ୍ଚଳ ଘାଗରାମୁଣ୍ଡାରୁ ସ୍ୱାସ୍ଥ୍ୟ ସେବା ହେଉ କି ଜନ୍ମ ମୃତୁ୍ୟ ପ୍ରମାଣପତ୍ର, ପାଇବା ପାଇଁ ବିରାଶାଳ ଚିକିତ୍ସାଳୟକୁ ୭୦ କିମି ଆସିବାକୁ ପଡିଥାଏ । ବହୁ ଦୂର ଦୂରାନ୍ତରରୁ ରୋଗୀ ମାନେ ଆସି ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି । ମହାବିରୋଡ ଏବଂ କଙ୍କଡାହାଡକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମାନ୍ୟତା ପ୍ରଦାନ କରାଯିବାକୁ ସଂଘ ତରଫରୁ ଦାବୀ କରାଯାଇଛି । ତହସିଲଦାର ରମେଶ ଚନ୍ଦ୍ର ଜେନା ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଏବଂ ନିଶ୍ଚିତ ଭାବରେ ଜିଲ୍ଲାପାଳଙ୍କୁ ଏ ବିଷୟରେ ପଦକ୍ଷେପ ନେବା ପାଇଁ ଅବଗତ କରାଇବେ ବୋଲି କହିଥିଲେ । ଏଥିରେ ଉପସଭାପତି ପବିତ୍ର ମୋହନ ବରାଳ, ସମ୍ପାଦକ ପୃଥ୍ୱୀରାଜ ସାହୁ, ଉପଦେଷ୍ଟା ପାଣ୍ଡବ ଚରଣ ଦାସ, ବିମଳ ଦାସ, ଅକ୍ରୁର ସିଂହଙ୍କ ସମେତ ସମସ୍ତ ସଭ୍ୟ ଉପସ୍ଥିିତ ଥିଲେ ।